କଣା ହୋଇଗଲାଣି ଗାଲ, ଯନ୍ତ୍ରଣା ସହିପାରୁନି ପିଣ୍ଟୁ

ଭୁବନେଶ୍ବର: କଟକ ନିଆଳି ବିଳାଶୁଣି ଗ୍ରାମର ପିଣ୍ଟୁ ଭୋଇ (୨୫)। ପିଲାଟି ଦିନରୁ ବାପା ଆରପାରିକୁ ଚାଲିଗଲେ। ମା’ ତାଙ୍କୁ ଲାଳନପାଳନ କରି ବଡ଼ କଲେ। ଘରର ଆର୍ଥିକ ଅବସ୍ଥା ଯୋଗୁଁ ପାଠ ପଢ଼ି ପାରିଲେନି। ମୂଲ ମଜୁରି ଲାଗି ଉଭୟେ ମା’ ଓ ପୁଅ କଷ୍ଟେମଷ୍ଟେ ଚଳିଯାଉଥିଲେ। ମାତ୍ର ତାଙ୍କ ପରିବାର ଉପରେ ଘୋଟି ଆସିଲା କଳାବାଦଲ। ଯେଉଁ ସମୟରେ ସେ ରୋଜଗାର କରି ଘର ଚଳାଇବା କଥା, ସେଇ ସମୟରେ ମୁଖ ଗହ୍ବର କର୍କଟ ରୋଗ ତାଙ୍କୁ କବଳିତ କରିପକାଇଲା। ଏବେ ତାଙ୍କ ଗାଲ କଣା ହୋଇଗଲାଣି। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ପିଣ୍ଟୁ। ତେଣୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସା ଆଶାରେ ପଡ଼ି ରହିଛନ୍ତି।

ଗୁଟ୍‌ଖା ଖାଇବାରୁ ୨ବର୍ଷ ପୂର୍ବେ ପ୍ରଥମେ ପିଣ୍ଟୁଙ୍କ ଡାହାଣ ଗାଲରେ ଯନ୍ତ୍ରଣା ହେଲା। କିଛିଦିନ ପରେ ସେ କଟକ ଏସ୍‌ସିବି ମେଡିକାଲରେ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ପରୀକ୍ଷା କରି ତାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପଠାଇଦେଲେ। ମାତ୍ର ସେତେବେଳକୁ କରୋନା ଆରମ୍ଭ ହୋଇଯାଇଥିଲା। ଫଳରେ ତାଙ୍କର ଚିକିତ୍ସାରେ ବିଳମ୍ବ ହେଲା। ଇତିମଧ୍ୟରେ ତାଙ୍କ ଡାହାଣ ଗାଲରେ ଘା’ ହୋଇ କଣା ହୋଇଗଲା। ଏବେ ୭ଦିନ ହେଲା ସେ ହସ୍ପିଟାଲ ପଛପଟେ ପଡ଼ି ରହିଛନ୍ତି ପିଣ୍ଟୁ। ଏଯାଏ ତାଙ୍କର ଆଡମିସନ ହୋଇନାହିଁ।

ଡାକ୍ତର କହୁଛନ୍ତି ଅପରେସନ ହେବ। ଗୋଟିଏ ପଟେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଅପରେସନ ପାଇଁ ତାଙ୍କ ପାଖେ ସମ୍ବଳ ନାହିଁ। ମୂଲ ଲାଗି ପରିବାର ଚଳାଉଥିବା ପିଣ୍ଟୁ ହସ୍ପିଟାଲରେ ଥିବା ବେଳେ ମା’ ବି ତାଙ୍କୁ ଜଗି ରହିଛନ୍ତି। ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷେ ମଧ୍ୟ ଅସମ୍ଭବ ହୋଇପଡ଼ିଛି। ହେଲେ ଆଶା ହରାଇନାହାନ୍ତି ପିଣ୍ଟୁ। ଅପରେସନ ହେଲେ ସେ ପୁଣି ଠିକ୍‌ ହୋଇଯିବେ ବୋଲି କହିଛନ୍ତି। ଏଭଳି ପରିସ୍ଥିତିରେ କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମୋବାଇଲ ନଂ. ୯୦୭୮୫୮୫୯୮୫ରେ ଯୋଗାଯୋଗ କରିବାକୁ ପିଣ୍ଟୁଙ୍କ ମା’ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର