ଭୁବନେଶ୍ବର: ରାଜଧାନୀରେ ବଢୁଛି ଫୁଲ ଚାହିଦା। କିନ୍ତୁ ସେ ଚାହିଦାର ମାତ୍ର ଏକ ଛୋଟିଆ ଅଂଶକୁ ସ୍ଥାନୀୟ ଉତ୍ପାଦନ ପୂରଣ କରୁଥିବାବେଳେ ତମାମ ବଜାରରେ ମହକୁଛି ବାଙ୍ଗାଲୋର, କୋଲକାତା ଏପରିକି ଥାଇଲାଣ୍ଡର ଫୁଲ। ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଭୁବନେଶ୍ବରରେ ଆଶ୍ଚର୍ଯ୍ୟଜନକ ଭାବରେ ୧୦ ବର୍ଷ ମଧ୍ୟରେ ଲିଲି ଫୁଲର ଚାହିଦା କାହିଁ କେତେ ବଢ଼ି ଯାଇଛି। ଏବେ ଏହାର ମୂଲ୍ୟ ଗୋଟାକୁ ୧୫୦ ଟଙ୍କାରେ ବିକ୍ରି ହେଉଛି। କୁହା ଯାଉଛି ଯେ ଏହି ଲିଲି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ହୋଇଥିବାରୁ ବର୍ତ୍ତମାନ ସମସ୍ତ ସରକାରୀ ତଥା ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ଏହାର ଉପଯୋଗ କରାଯାଉଛି। ତେଣୁ ଏହାର ବିକ୍ରି ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଭାବିତ ବା ଅନୁପ୍ରାଣିତ ହୋଇ ରାଜ୍ୟର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଲିଲି ନେଉଥିବା କହନ୍ତି ରାଜଧାନୀର ଏକାଧିକ ଫୁଲ ବ୍ୟବସାୟୀ।

Advertisment

ଏବେ ରାଜଧାନୀରେ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକ ମଧ୍ୟ ବିବାହ ଉତ୍ସବରେ ଉଭୟ ବର ଓ କନ୍ୟାପକ୍ଷ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେବଳ ଫୁଲରେ ଖର୍ଚ କରୁଛନ୍ତି। ନିର୍ବାଚନ ଆସୁଥିବାରୁ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଫୁଲର ଚାହିଦା କାହିଁରେ କେତେ ବଢିଯାଇଛି। ଗୋଟିଏ ଗୋଟିଏ ସାଧାରଣ ସଭା ବା ଉତ୍ସବରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫୁଲ ପାଇଁ ଖର୍ଚ କରିବାରେ କର୍ମୀ ଓ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉ ନାହାନ୍ତି। ଭିଆଇପି ଅତିଥିଙ୍କ ବେକରେ କେବଳ ଛୁଆଁଇବା ପାଇଁ ହଜାର ହଜାର ଟଙ୍କାର ବଡ଼ ଓ ମୋଟା ଫୁଲହାର କିଣାଯାଉଛି। ଏହା ଉପରକୁ ଗୋଟିଏ ସପ୍ତାହ ପରେ ପଡ଼ିବ ବଡ଼ଦିନ। ତା’ପରେ ପୁଣି ନୂଆବର୍ଷ। ତା’ର ଦେଢମାସ ପରେ ଭାଲେଣ୍ଟାଇନ ଡେ’। ତେଣୁ ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ରାଜଧାନୀ ବଜାରରେ ଫୁଲ ବ୍ୟବସାୟ ଆକାଶ ଛୁଇଁବ। ଆସନ୍ତା ମାସ ବେଳକୁ ଫୁଲତୋଡ଼ା ବା ବୁକେ’ର ଚାହିଦା ଆହୁରି ବଢିବ। ଏହି ସମୟରେ ଗୋଟିଏ ଗୋଟିଏ ଦୋକାନ ୧ ଲକ୍ଷରୁ ଅଧିକ ଟଙ୍କାର ଆୟ କରୁଥିବା ଜଣାଇଛନ୍ତି। ଇତିମଧ୍ୟରେ ଫୁଲର ଦାମ୍‌ ମଧ୍ୟ ୨-୩ ଗୁଣ ବଢିଯାଇଛି। ଗୋଲାପ ଗୋଟିଏକୁ ୨୦, ଲିଲି ୧୫୦ ଟଙ୍କା, କାରନେସନ (ଧଳା, ଲାଲ ବା ଗୋଲାପୀ) ୨୫, ଜରବେରା ୨୦, ଅର୍କିଡ ୪୦, ହଳଦିଆ କେଶର ଏବଂ ଧଳା ପାଖୁଡ଼ା ଥିବା ଡେଜି ୫୦ ଟଙ୍କା ପହଞ୍ଚି ଗଲାଣି। ଆଗକୁ ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶା କରୁଛନ୍ତି। ରାଜଧାନୀରେ ଏହିସବୁ ଫୁଲ ସମେତ ୨୫ରୁ ୩୦ ପ୍ରକାର ଫୁଲ ବିକ୍ରି ହେଉଛି। ରାଜଧାନୀରେ ୧,୦୦୦ରୁ ଅଧିକ ଫୁଲ ଷ୍ଟଲ୍‌ ଏବଂ ୫ଟି ଫୁଲ ସୋ’ରୁମ ରହିଛି। ପୁଣି ଅଛନ୍ତି ରାସ୍ତାକଡ଼ରେ ପସରା ମେଲାଉଥିବା ଅନେକ ଛୋଟ ଦୋକାନୀ। ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ନିକଟସ୍ଥ ଫୁଲ ଦୋକାନୀଙ୍କୁ ଏ ହିସାବରେ ସାମିଲ କରାଯାଇ ନାହିଁ। କରାଗଲେ ଦୋକାନ ସଂଖ୍ୟା ଓ ବ୍ୟବସାୟର ମୋଟ୍‌ ପରିମାଣ ଆହୁରି ବଢ଼ିବ।

publive-image

ଉପରୋକ୍ତ ତାଲିକା ବାହାରେ ସୋ’ରୁମରେ ଆହୁରି କିଛି ଆକର୍ଷଣୀୟ ଫୁଲ ବିକ୍ରି ହେଉଛି, ଯାହା ଗୋଟିଏକୁ ୮୦୦ ଟଙ୍କାରେ ନେବାକୁ ମଧ୍ୟ ଚିହ୍ନରା ଗ୍ରାହକମାନଙ୍କର ଆଗ୍ରହ ରହିଛି। ବର୍ତ୍ତମାନ ଥାଇଲାଣ୍ଡ ଓ ବାଙ୍ଗାଲୋରର ଲିଲି, ଅର୍କିଡ, ଡେଜି, ଜରବେରା; କୋଲକାତାର ଗେଣ୍ଡୁ ଓ ମଲ୍ଲି ଫୁଲର ବେଶ୍‌ ଚାହିଦା ରହିଛି ଭୁବନେଶ୍ବରରେ। ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଏଗୁଡ଼ିକୁ ସତେଜ ରଖାଯାଇ ପାରେ। ରାଜଧାନୀ ବଜାରକୁ ଓଡ଼ିଶାର ଗେଣ୍ଡୁ ଆସୁଥିଲେ ମଧ୍ୟ ଏହାର ପରିମାଣ ଅତି ନଗଣ୍ୟ। ଏକ ଫୁଲ ସୋ’ରୁମ୍‌ର ମାଲିକ ରାମଚନ୍ଦ୍ର ସେଠୀଙ୍କ କହିଲେ, ଜମ୍ମୁ-କାଶ୍ମୀରର ତୁଲିପ୍‌ ଫୁଲ୍‌ ବେଶ୍‌ ଆକର୍ଷଣୀୟ। ରାଜଧାନୀର ଫୁଲପ୍ରେମୀଙ୍କର ଏହାପ୍ରତି ଆଗ୍ରହ ରହିଛି, ଅନେକ ଆସି ଏ ଫୁଲ ଖୋଜନ୍ତି। କିନ୍ତୁ ଓଡ଼ିଶା ବଜାରରେ ଏହାର ବିକ୍ରି ଆରମ୍ଭ ହୋଇନାହିଁ। ତେବେ ଖୁବ୍‌ ଶୀଘ୍ର ଏ ତୁଲିପ୍‌ ଆସି ପହଞ୍ଚିଯିବ ବୋଲି ଆଶା ରହିଛି। ମହକଭରା ଏ ଖବରର ମଳିନ ଦିଗଟି ହେଉଛି, ରାଜ୍ୟରେ, ବିଶେଷକରି ରାଜଧାନୀରେ ଫୁଲର ଏତେ ବଡ଼ ବଜାର ଥିବା ସତ୍ତ୍ବେ ରାଜ୍ୟର ଚାଷୀ ଏହାର ଲାଭ ଉଠାଇ ପାରୁ ନାହାନ୍ତି। ବର୍ଷକୁ ହେଉଥିବା କୋଟି କୋଟି ଟଙ୍କାର ଏହି କାରବାରରେ ଓଡ଼ିଆ ଚାଷୀଙ୍କ ଭାଗ ନାହିଁ। ରାଜ୍ୟରେ ଫୁଲଚାଷ ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି।