ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଲିଙ୍ଗରାଜ ମନ୍ଦିରଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କ ହାତରେ ଫର ଫର ହୋଇ ଉଡ଼ୁଥିଲା ତ୍ରିରଙ୍ଗା। ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଏକାମ୍ର କ୍ଷେତ୍ର।
ମୁକ୍ତେଶ୍ୱର ମନ୍ଦିରରେ ପଦଯାତ୍ରା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି। ଜାତୀୟ ପତାକା ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ବର ପ୍ରତୀକ ଅଟେ। ପ୍ରତ୍ୟେକ ଦେଶବାସୀ ଆମ ଜାତୀୟ ପତାକାକୁ ନେଇ ଗର୍ବ ଅନୁଭବ କରିଥାନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୨ ଅଗଷ୍ଟ ୧୫ରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ ଓ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାର ସମ୍ମାନାର୍ଥେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ପ୍ରତି ବର୍ଷ ସ୍ବାଧୀନତା ଦିବସ ପାଳନର କିଛି ଦିନ ପୂର୍ବରୁ ଦେଶବାସୀଙ୍କ ମନରେ ଜାତି ପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଦେଶର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ଦେଶ ପ୍ରେମର ନିଦର୍ଶନ ପ୍ରତିଫଳିତ କରୁଛନ୍ତି। ତ୍ରିରଙ୍ଗା ପଦଯାତ୍ରା ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି।
ଆମେ ସମସ୍ତେ ଏକାଠି ହେଲେ, ମିଳିମିଶି କାମ କଲେ ଜୀବନରେ ସଫଳତା ହାସଲ କରିପାରିବା। ଦେଶ ଓ ଜାତିର ଗୌରବ ବୃଦ୍ଧିରେ ନିଜର ଯୋଗଦାନ ଦେଇପାରିବା। ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ, ସବ୍କା ପ୍ରୟାସ’ ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ ନିଜର ଅବଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ବାନ ଦେଇଥିଲେ। ପଦଯାତ୍ରାରେ ସାମିଲ ହୋଇଥିବା ଶତାଧିକ ଲୋକେ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଲାଗିଥିବା ସେଲଫି ଜୋନ୍ରେ ଫଟୋ ଉଠାଇବା ସହ ଲାଗିଥିବା ବୋର୍ଡରେ ହସ୍ତଖତ କରିଥିଲେ।