ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମାଜବାଦୀ ପାର୍ଟି, ଓଡ଼ିଶାର ସଭାପତି ରବି ବେହେରା କହିଛନ୍ତି ଯେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଦମ୍ୟ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସହ ଏହା ଓଡ଼ିଶାର ଶାସନର ଭାଷା ମାନ୍ୟତା ପାଇଲା। ଆଜି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତର ଅନୁମୋଦନ ପାଇଲା। ୪ କୋଟି ୭୦ ଲକ୍ଷ ଓଡ଼ିଆଙ୍କ ପାଇଁ ଇତିହାସରେ ଆଜିର ଦିନ ଏକ ମାଇଲଖୁଣ୍ଟ ବୋଲି ଶ୍ରୀ ବେହେରା କହିଛନ୍ତି। ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ୍ ପଟ୍ଟନାୟକ କହିଛନ୍ତି, ଏହା ଏକ ଐତିହାସିକ ନିଷ୍ପତ୍ତି। ଏହା ଆମକୁ ଗର୍ବିତ କରିଛି। ୨୦୦୬ରେ ଏଏସବିଏମ୍‌ ପ୍ରତିଷ୍ଠା ଦେବା ଦିନଠାରୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମସ୍ତ ସଭାସମତି ଓ କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀକୁ ପ୍ରାରମ୍ଭିକ ସଂଗୀତ ଭାବେ ଗାନ କରାଯାଇ ଆସୁଛି। ତେଣୁ ଆମ ପାଇଁ ଏହା ଏକ ଗୌରବର ବିଷୟ। ରାଜ୍ୟ କ୍ୟାବିନେଟ ଏହି ସଂଗୀତକୁ ରାଜ୍ୟ ସଂଗୀତ ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ସାଧୁବାଦ ଜଣାଉଛି ବୋଲି ପ୍ରଫେସର୍‌ ପଟ୍ଟନାୟକ କହିଛନ୍ତି। ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ଗତ ୩୦ ତାରିଖ ଦିନ ଯେଉଁଭଳି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନାଯୋଦ୍ଧାଙ୍କୁ ଅଭିନନ୍ଦନ ଜ୍ଞାପନ କଲେ, ସେହି ଦିନ ହିଁ ଓଡ଼ିଆ ଜାତି ସ୍ଥିର କରିଥିଲା ଏହି ସଂଗୀତ ରାଜ୍ୟ ସଂଗୀତ ମାନ୍ୟତା ପାଇବା ପାଇଁ ହକ୍‌ଦାର। ଆଜିର ଏହି ଐତିହାସିକ ନିଷ୍ପତ୍ତି ପାଇଁ ଅନୁଷ୍ଠାନର ସଭାପତି ପ୍ରଦେଶ ପଟ୍ଟନାୟକ ଓ ସଂପାଦକ ଦିଲ୍ଲୀପ ହାଲି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତାକୁ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ବିଜୟ କୁମାର ନାୟକ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଂଗୀତ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁଁ ହୋଇଥିବା ଆନ୍ଦୋଳନରେ ଏହା ଓଡ଼ିଶାର ସଙ୍କଳ୍ପକୁ ଜୀବନୀ ଶକ୍ତି ପ୍ରଦାନ କରିଥିଲା। ଓଡ଼ିଆ ନବ ଜାଗରଣର ଏହା ଥିଲା ମନ୍ତ୍ର। ଏବେ ବି ଏହି ସଙ୍ଗୀତ ଆମ ପ୍ରାଣ ଓ ପ୍ରେରଣା। ସରକାରଙ୍କ ଏହି ନିଷ୍ପତ୍ତି ମାଧ୍ୟମରେ ଓଡ଼ିଆ ଜାତୀୟତା ଆହୁରି ପରିପୁଷ୍ଟ ହେବ। ଏହାକୁ ରାଜ୍ୟ ସଂଗୀତ ର ମାନ୍ୟତା ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ମାନଙ୍କର ଭାବଗତ ଏକତାକୁ ଆହୁରି ଦୃଢ଼ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର