ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଦୁଇ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବାଲିଅନ୍ତା: ସ୍ଥାନୀୟ ଧବଳାହାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଦୁଇବର୍ଷ ନପୁରୂଣୁ ଫାଟି ଆଁ କରିଛି। ରାସ୍ତାର ଅଧିକାଂଶ ଅଂଶରୁ ପିଚୁ ଉଠିଗଲାଣି। ସେହିପରି କଂକ୍ରିଟ ଫାଟି ଆଁ କରିଥିବାରୁ ଯାତାୟାତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଠିକାଦାର ନିମ୍ନମାନର ରାସ୍ତାକାମ କରିଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାଙ୍ଗି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ୱାରେଣ୍ଟି ଅବଧି ସମୟ ଥିବା ବେଳେ ଠିକାଦାର ଏହାର ମରାମତି ପ୍ରତି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି। ରାସ୍ତା ଦୁରବସ୍ଥା ସଂପର୍କରେ ସ୍ଥାନୀୟ ଲୋକ ଗ୍ରାମ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଥର ଅଭିଯାଗ କରିଛନ୍ତି। ହେଲେ ଦାୟିତ୍ବରେ ଥିବା ଅଧିକାରୀମାନେ ସମସ୍ୟାର ସମାଧାନ ଦିଗରେ କିଛି ବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ସୂଚନା ମିଳିଛି। ଏହାର ପ୍ରତିବାଦରେ କିଛି ଯୁବକ ରାସ୍ତା ଅବରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୮/୧୯ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ନବୀକରଣ କାର୍ଯ୍ୟ କରାଯାଇଥିଲା। ଧବଳାହାରସ୍ଥିତ ପୁରୀ କେନାଲ ବନ୍ଧ ରାସ୍ତାରୁ ବଇଁଚୁଆ କାଜ ପର୍ଯ୍ୟନ୍ତ ପାଖାପାଖି ୨କିମି ପର୍ଯ୍ୟନ୍ତି ରାସ୍ତା ନିର୍ମାଣ ହୋଇଥିଲା। ରାସ୍ତାର କିଛି ଭାଗ ପିଚୁ କରାଯାଇଥିବା ବେଳେ ଅବଶିଷ୍ଟ କଂକ୍ରିଟ ହୋଇଥିଲା। ହେଲେ ଦୁଇବର୍ଷ ଭିତରେ ରାସ୍ତା ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏଦିଗରେ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଏସପର୍କରେ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସେ ଏହାର ମରାମତି ନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର