ଧର୍ମକୁ ଆଖିଠାର ଶିଶୁ ଶ୍ରମିକ ଆଇନ

ନିଯୁକ୍ତିଦାତାଙ୍କୁ ଗିରଫ କରାଯାଉନି

ଭୁବନେଶ୍ୱର: ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଦେଶରେ ସ୍ବତନ୍ତ୍ର ଆଇନ ତିଆରି ହୋଇଛି। ଏଥିପାଇଁ ଶିଶୁ ଶ୍ରମିକ ଟାସ୍କଫୋର୍ସ କମିଟି ବି ଗଠିତ ହୋ‌ଇଛି। ମାତ୍ର ଆଜି ବି ଏହି କୁତ୍ସିତ ପ୍ରଥା ବନ୍ଦ ହୋଇପାରିନାହିଁ। ଆଇନ କେବଳ ଧର୍ମକୁ ଆଖିଠାର ସଦୃଶ ରହିଛି। ଚଢ଼ଉ ହେଉଛି, ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି। କିନ୍ତୁ ପରିତାପର କଥା, ଶିଶୁମାନଙ୍କୁ କାମରେ ନିୟୋଜିତ କରୁଥିବା ଲୋକ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନାଁକୁ କେବଳ କିଛି ଟଙ୍କା ଜରିମାନା କରାଯାଉଛି ସିନା କାହାକୁ ଗିରଫ କରାଯାଉନାହିଁ। ଏମିତିକି ସହରରେ ଘରକୁ ଘର ବୁଲି ଶିଶୁ ଶ୍ରମିକ ତଥ୍ୟ ସଂଗ୍ରହ କରିବା ନିୟମ ଥିଲେ ହେଁ ତାହା କରାଯାଉନାହିଁ। ଶିଶୁମାନଙ୍କୁ କାମରେ ଲଗାଇବା ଏକ ସଂଗିନ୍ ଅପରାଧ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୋହଳ ମନୋଭାବ ପୋଷଣ କରୁଛନ୍ତି। ଫଳରେ ଆଇନର ଗଳାବାଟକୁ ବ୍ୟବହାର କରାଯାଉଛି ଓ ଆଇନ ପ୍ରତି ଭୟ ରହୁନାହିଁ। ଏଭଳି ସ୍ଥିତିରେ ଶିଶୁ ଶ୍ରମିକ ନିରୋଧ ଆଇନ ଥାଇ ନଥିଲା ଭଳି ବୋଲି ବିବେଚନା କରାଯାଉଛି।

ଖୋର୍ଦ୍ଧା ଜିଲ୍ଲାରୁ ଗତ ୭ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ ଶିଶୁମାନଙ୍କୁ କାମରେ ନି‌ୟୋଜିତ କରୁଥିବା ବ୍ୟକ୍ତିଙ୍କ ପ୍ରତି କିଭଳି ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରୁଛି। ଖୋର୍ଦ୍ଧା ଜିଲ୍ଲାରେ ଗତ ୭ବର୍ଷ ମଧ୍ୟରେ ମାତ୍ର ଦୁଇ ଜଣ ମାଲିକଙ୍କ ବିରୋଧରେ କେବଳ ଏତଲା ଦିଆଯାଇଛି। କାହାରିକୁ ଗିରଫ କରାଯାଇନାହିଁ। ୭ଜଣଙ୍କୁ ଜରିମାନା କରି ଛାଡ଼ିଦିଆଯାଇଛି। ତେଣୁ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ସବୁ ବର୍ଷ ଯେତିକି ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି, ପୁଣି ପରବର୍ତ୍ତୀ ସମୟରେ ତା’ଠୁ ଅଧିକ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ଦିଆଯାଉଥିବା ଦେଖିବାକୁ ମିଳୁଛି। ତେଣୁ ୨୦୨୫ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରାଯିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ଏକ କଳ୍ପନା ବା ଦିବାସ୍ବପ୍ନ ବୋଲି କୁହାଯାଉଛି।
ସୂଚନାନୁସାରେ, ରାଜଧାନୀରେ ସବୁଠାରୁ ଅଧିକ ଶିଶୁ ଶ୍ରମିକ ରହିଛନ୍ତି। ବିଶେଷକରି ଢାବା, ଗ୍ୟାରେଜ୍‌, କବାଡ଼ିଆଙ୍କ ଗୋଦାମରେ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅସଲରେ ସେ ସଂଖ୍ୟାଠାରୁ ବହୁ ଅଧିକ ସଂଖ୍ୟାର ଶିଶୁ ଘରୋଇ ସହାୟକ ଭାବେ କାମ କରୁଛନ୍ତି।

ବଡ଼ବଡ଼ିଆଙ୍କ ଘରେ ସେମାନେ ଗୋତି ଶ୍ରମିକ ଭଳି ଖଟୁଛନ୍ତି। ଅଧିକ ସଂଖ୍ୟାରେ ନାବାଳିକାମାନଙ୍କୁ ଏହି କାମରେ ଦେଖିବାକୁ ମିଳେ। ତେଣୁ ଚଢ଼ଉ ହେଲେ ବି ସେମାନଙ୍କୁ ଗିରଫ କଲା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପ୍ରତି ଜିଲ୍ଲାରେ ଥିବା ଶିଶୁ ଶ୍ରମିକ ଟାସ୍କଫୋର୍ସ କମିଟିରେ ଜିଲ୍ଲା ଶ୍ରମ ଅଧିକାରୀ ଆବାହକ ଭାବେ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍‌ଡ ଲାଇନ୍‌, ସାମାଜିକ ଅନୁଷ୍ଠାନ ରହିଥାଆନ୍ତି। ଶିଶୁ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନର ମୁଖ୍ୟ ଓ ସ୍ଥାନୀୟ ପୁଲିସ ଅଧିକାରୀ ମଧ୍ୟ ସଦସ୍ୟ ଅଛନ୍ତି। ଚଢ଼ଉ ସମୟରେ ଯେଉଁମାନଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଏ, ସେମାନଙ୍କ ନାମରେ ଆବାହକ ତଥା ଶ୍ରମ ଅଧିକାରୀ ଥାନାରେ ଏତଲା ଦିଅନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ବଡ଼ବଡ଼ିଆଙ୍କ ଚାପରେ ଶ୍ରମ ଅଧିକାରୀ ଏତଲା ଦିଅନ୍ତି ନାହିଁ। ଆଇନ ଫାଙ୍କରେ ଦଫାରଫା କରିଦିଆଯାଏ।

ଏମିତିକି ଶିଶୁର ବାପାମା’ଙ୍କୁ ହାତବାରିସି କରି ମାମଲାକୁ ଚପାଇ ଦିଆଯାଏ। ଖୋର୍ଦ୍ଧା ଜିଲ୍ଲାର ତଥ୍ୟ ଅନୁସାରେ, ଗତ ୭ ବର୍ଷରେ ୫୦୦ରୁ ଅଧିକ ଶିଶୁଙ୍କୁ କର୍ମକ୍ଷେତ୍ରରୁ ଉଦ୍ଧାର କରାଯାଇଥିଲେ ବି ମାତ୍ର ୨ଜଣଙ୍କ ନାଁରେ ଏତଲା ଦିଆଯାଇଛି ଓ ୭ ଜଣଙ୍କୁ ଜରିମାନା କରାଯାଇଛି। ଜଣେ ବି ଗିରଫ ହୋଇନାହାନ୍ତି। ତେଣୁ ଶହଶହ ମାମଲାରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବା ଦ୍ବାରା ଏହି ଆଇନ ବଡ଼ ଦୁର୍ବଳ ବୋଲି ମନେ ହେଉଛି ଓ ଏଥିପ୍ରତି କାହାର ଭୟ ରହୁନାହିଁ। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ ଅନୁରାଧା ମହାନ୍ତିଙ୍କ କହିବା କଥା, ଏବେ ଘରୋଇ ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ। ତେଣୁ ଶ୍ରମବିଭାଗ ଏହାକୁ ଗୁରୁତ୍ବର ସହ ନେବା ଜରୁରୀ।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନିୟମ ଖିଲାପକାରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବା ସହ ସେମାନଙ୍କ ନାମରେ ମାମଲା ରୁଜୁ କରିବା ଦାୟିତ୍ବ ଶ୍ରମ ବିଭାଗର। ଏସବୁ ହେଉଛି, ମାତ୍ର ତ୍ବରାନିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ଆଇନ ଅନୁଯାୟୀ ୧୪ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶ୍ରମିକ ଭାବେ କାମରେ ଲଗାଯାଇପାରିବନାହିଁ। ୧୫ରୁ ୧୮ବର୍ଷ ବୟସର କିଶୋରମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗା ଯାଇପାରିବ ନାହିଁ। ସେମାନେ କେବଳ ସକାଳ ୭ଟାରୁ ସଂଧ୍ୟା ୫ଟା ଭିତରେ କାମ କରିପାରିବେ। ରାତିରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ସେମାନଙ୍କୁ ପ୍ରତି ୩ଘଣ୍ଟାରେ ୧ଘଣ୍ଟା ବିଶ୍ରାମ ଦିଆଯିବ। ବଡ଼ କଥା ହେଉଛି, ନିଯୁକ୍ତିଦାତାମାନେ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ଶିଶୁଟି ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ବାଧ୍ୟ। ନେହେଲ ଆଇନ ଅନୁଯାୟୀ ଦଣ୍ଡିତ ହେବେ।

ସମ୍ବନ୍ଧିତ ଖବର