ଆରମ୍ଭ ହେଲା ଶିଶୁ ନାଟ୍ୟ କର୍ମଶାଳା, କେବଳ ମଣିଷ ହିଁ ନାଟକ କରିପାରେ 

ଭୁବନେଶ୍ବର: ଏ ପୃଥିବୀରେ ମଣିଷ କେବଳ ଏକମାତ୍ର ପ୍ରାଣୀ ଯିଏ ନାଟକ କରିପାରେ। ପଶୁପକ୍ଷୀ, ଦେବଦେବୀ, ନରନାରୀ ସବୁପ୍ରକାର ଭୂମିକାରେ ଅଭିନୟ କରିପାରେ ବୋଲି କହିଛନ୍ତି କଥାକାର ଗୌରହରି ଦାସ। ‘ଶତାବ୍ଦୀର କଳାକାର’ ପକ୍ଷରୁ ଧୀରେନ୍ଦ୍ରନାଥ ମଲ୍ଲିକଙ୍କ ମଞ୍ଚ ସଂଚାଳନାରେ ବିଜୁ ନାଟ୍ୟ କେନ୍ଦ୍ରରେ ଅନୁଷ୍ଠିତ ଶିଶୁ ନାଟ୍ୟ କର୍ମଶାଳାରେ ଉଦଘାଟନୀ ଦିବସରେ ଯୋଗ ଦେଇ ଶ୍ରୀ ଦାସ କହିଲେ, ଛୋଟ ଶିଶୁଙ୍କର ବୌଦ୍ଧିକ ତଥା ସାମଗ୍ରିକ ବିକାଶ ପାଇଁ ତାଙ୍କୁ କେବଳ ପାଠ ଭିତରେ ବାନ୍ଧି ନ ରଖି ଖେଳ, ନାଚ, ଗୀତ, ଛବି ଆଙ୍କିବା ଆଦି କ୍ଷେତ୍ରରେ ସୁଯୋଗ ଦେବାକୁ ପଡ଼ିବ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇ ‘ଶତାବ୍ଦୀର କଳାକାର’ର ଏଭଳି ଅନନ୍ୟ ପ୍ରୟାସକୁ ପ୍ରଶଂସା କରିବା ସହିତ ପିଲାଙ୍କ ସୃଜନଶୀଳତା ବୃଦ୍ଧି କରିବା ଦିଗରେ ଏହି କର୍ମଶାଳା ସହାୟକ ହେବ ବୋଲି କହିଥିଲେ। ଉତ୍ତରାୟଣୀ କ୍ଲବର ନାଟ୍ୟ ନିର୍ଦ୍ଦେଶକ ବିପ୍ଳବ ଶତପଥୀ, କର୍ମଶାଳାର ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦର୍ପ ନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଗତ ୬ ତାରିଖରେ ବିଜୁ ନାଟ୍ୟ କେନ୍ଦ୍ରରେ ୭ବର୍ଷରୁ ୧୪ବର୍ଷର ପିଲାଙ୍କୁ ନେଇ ଅଡିସନ୍ ହୋଇଥିଲା। ଅଡିସନରୁ ବଛାବଛା ଶ୍ରେଷ୍ଠ ୩୦ ଜଣ ପିଲାଙ୍କୁ ନେଇ ଆଜିଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ସହିଦ୍ ବୀର ବାଜି ରାଉତଙ୍କ ଆତ୍ମଜୀବନୀକୁ ନେଇ ନାଟକ ପ୍ରଶିକ୍ଷଣ ଦିଆଯିବ। ଏହା ପରେ ଆସନ୍ତା ୩୦ ତାରିଖରେ ଭଞ୍ଜ କଳା ମଣ୍ଡପରେ ‘ବାଜି ରାଉତ’ ନାଟକ ମଞ୍ଚସ୍ଥ କରାଯିବ।

ନାଟକ ଶିଖିବି ଓ ନାଚିବି
ମୋତେ ନାଚିବାକୁ ଭଲ ଲାଗେ। ମୁଁ ଏଠି ନାଚ ଶିଖିବି ଓ ନାଟକ କରିବି। ନାଟକ ଶିଖିଲେ ମୁଁ ଆମ ସ୍କୁଲରେ ଅଭିନୟ କରିବି।
-ତପସ୍ବୀ ଜେନା, ଦ୍ବିତୀୟ ଶ୍ରେଣୀ,
ସେଣ୍ଟ ଜାଭିୟର ସ୍କୁଲ୍
ମୁଁ ଅର୍ଚ୍ଚିତାଙ୍କ ଭଳି ହିରୋଇନ୍ ହେବି
ମୁଁ ବଡ଼ ହୋଇ ଅର୍ଚ୍ଚିତାଙ୍କ ଭଳି ହିରୋଇନ୍ ହେବି। ମୁଁ ମଧ୍ୟ ଅର୍ଚ୍ଚିତାଙ୍କର ସବୁ ଚଳଚ୍ଚିତ୍ର ଦେଖେ। ଆଜି ଏଠାରେ ମୁଁ ନାଟକ ଶିଖିବାକୁ ଆସିଛି।
-ପ୍ରତ୍ୟୁଷା ସ୍ବୟଂସ୍ମିତା ବେହେରା, ଦ୍ବିତୀୟ ଶ୍ରେଣୀ, ସେଣ୍ଚ ଜାଭିୟର ସ୍କୁଲ୍
ବାଜି ରାଉତ ହେବାକୁ ଇଚ୍ଛା
ଶତାବ୍ଦୀର କଳାକାର ପକ୍ଷରୁ ଅନୁଷ୍ଠିତ ଏହି ନାଟକରେ ମୋତେ ବାଜି ରାଉତ ହେବାକୁ ଇଚ୍ଛା ଅଛି। ମୁଁ ବାଜି ରାଉତଙ୍କ ଭଳି ପିଲାବେଳୁ ସାହସୀ। ତେଣୁ ମୁଁ ବାଜି ରାଉତ ହେବି।
-ସୂର୍ଯ୍ୟକାନ୍ତ ଚୌଧୁରୀ, ଦ୍ବିତୀୟ ଶ୍ରେଣୀ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର

ସମ୍ବନ୍ଧିତ ଖବର