ଭୁବନେଶ୍ବର: ରାଜଧାନୀର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟକୁ ଆଖିଧରା ସହ ଜ୍ବର ମାଡ଼ି ଚାଲିଛି। ପାଗ ପରିବର୍ତ୍ତନ ଓ ମୌସୁମୀ ବର୍ଷା ଯୋଗୁଁ ପିଲାମାନେ ଅସୁସ୍ଥ ରହୁଥିବା ଦେଖିବାକୁ ମିଳୁଛି। କେଉଁଠି ପିଲାଙ୍କର ଆଖି ନାଲି ପଡ଼ି ଫୁଲି ଯାଉଛି ତ ଆଉ କାହାର ହଠାତ୍ ଜ୍ବର ମାଡ଼ି ଆସୁଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ଅଖିଧରା ଓ ଜ୍ବର ଆକ୍ରାନ୍ତ ବଢ଼ୁଥିବାରୁ ଉପସ୍ଥାନ ପ୍ରଭାବିତ ହେବାରେ ଲାଗିଛି। ସେତେଟା ପ୍ରଭାବ ପଡ଼ି ନ ଥିଲେ ମଧ୍ୟ ଏପ୍ରିଲ ମାସ ତୁଳନାରେ ଜୁଲାଇ ମାସରେ ଉପସ୍ଥାନ ଟିକିଏ କମିଛି। ଏପ୍ରିଲ୍ ମାସରେ ନୂଆ ଶିକ୍ଷାବର୍ଷ ଆରମ୍ଭ ବେଳେ ବିଦ୍ୟାଳୟଗୁଡ଼ିକରେ ଦୈନିକ ଉପସ୍ଥାନ ହାରାହାରି ୮୦% ରହୁଥିଲା। ତେବେ ଏବେ ଉପସ୍ଥାନ ୭୫%କୁ ଖସି ଆସିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯେଉଁ ପିଲାଙ୍କ ଆଖି ଧରୁଛି, ସେମାନଙ୍କୁ ଜ୍ବର ମଧ୍ୟ ହେଉଛି। ୩ରୁ ୪ଦିନ ଧରି ଜ୍ବର ଲାଗି ରହୁଛି। ଆଖି ଲାଲ୍ ପଡ଼ିବା ମାତ୍ରେ ଶରୀର ଭୀଷଣ ଭାବେ ତାତୁଛି। ଆଖିଧରା ଯେତେଦିନ ପର୍ଯ୍ୟନ୍ତ ଲାଗି ରହୁଛି, ପିଲାଙ୍କ ଜ୍ବର ମଧ୍ୟ ସେତେଦିନ ରହୁଛି। ୭ଦିନ ହେଲା ଭୁବନେଶ୍ବରରେ ଏଭଳି ସ୍ଥିତି ଲାଗି ରହିଛି। ଅନ୍ୟପଟେ ବର୍ଷା ଦିନେ ଡେଙ୍ଗୁ ବ୍ୟାପିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ, ପିଲାଙ୍କୁ ସତର୍କ କରାଯାଉଛି। ଗତ ବର୍ଷଗୁଡ଼ିକରେ ବିଭିନ୍ନ ବିଦ୍ୟାଳୟରେ ପିଲାଙ୍କ ଆଖି ଧରିଲେ ସେମାନଙ୍କୁ ଅଲଗା ବସାଯାଇ ଶିକ୍ଷା ପ୍ରଦାନ କରାଯାଉଥିଲା। ତେବେ ଚଳିତବର୍ଷ ଆଖି ଧରିଲେ ପିଲାମାନେ ସ୍କୁଲ ନ ଆସିବାକୁ ବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଗୋଟିଏ ପଟେ ପିଲାଙ୍କୁ ଆଖିଧରା ଓ ଅନ୍ୟପଟେ ରାଜଧାନୀରେ ଡେଙ୍ଗୁ ମାଡ଼ୁଛି। ପଟିଆ, ନୀଳାଦ୍ରିବିହାର, ଶୈଳଶ୍ରୀବିହାର ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ ହେଲେଣି। ସ୍କୁଲ ଛାତ୍ରଛାତ୍ରୀ ଯେପରି ଡେଙ୍ଗୁରେ ଆକ୍ରାନ୍ତ ନ ହୁଅନ୍ତି, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପିଲାଙ୍କୁ ପ୍ରାର୍ଥନା ସମୟ ଓ କ୍ଲାସରୁମ୍ ପରିସରରେ ଡେଙ୍ଗୁ ସମ୍ପର୍କରେ ଅବଗତ କରାଯାଇଛି। ଲିଫ୍ଲେଟ୍ ବଣ୍ଟନ ସହ ଡେଙ୍ଗୁ ଯେପରି ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କ୍ୟାମ୍ପସର ଯେଉଁଠି ୭ଦିନରୁ ଅଧିକ ସମୟ ଧରି ପାଣି ଜମି ରହିଥିବ, ତାକୁ ତୁରନ୍ତ ସଫା କରିବା, କ୍ୟାମ୍ପସ୍ ପରିସରରେ ଗଛ ଲଗାଇବା ପାଇଁ କୁଣ୍ଡରେ ରହୁଥିବା ପାଣିରୁ ନିଷ୍କାସନ କରିବାକୁ କୁହାଯାଇଛି। ଅନେକ ସମୟରେ ଛୋଟ ନଡ଼ିଆର ଖୋଳ, ଅମୂଲ ଡବାରେ ପାଣି ଜମି ରହିଥିଲେ, କୁଲର, ଓଭରହେଡ୍ ଟାଙ୍କି ମଧ୍ୟ ଡେଙ୍ଗୁ ମଶା ବଂଶବୃଦ୍ଧିର କାରଣ ହୋଇଥାଏ।
ସାଧାରଣତଃ ମଶା ଅଣ୍ଡା ଦେଇ ନୂଆ ମଶା ଜନ୍ମ ନେବାକୁ ୭ ଦିନ ସମୟ ଲାଗେ। କୌଣସି ସ୍ଥାନରେ ପାଣି ରଖିଥିଲେ ୭ ଦିନ ଭିତରେ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରତିବର୍ଷ ପରି ଏଥର ମଧ୍ୟ ଭୁବନେଶ୍ବରର କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଖିଧରା ରୋଗ ହୋଇଥିବା ସମ୍ପର୍କରେ କିଭଳି ଜାଣିବେ, ସେନେଇ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଉଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ଆଦି ବ୍ୟବହାର ନ କରିବା, ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ବ୍ୟବହାର ନ କରିବା, ନିଜର ଚଷମା ନିୟମିତ ସଫା ରଖିବା ସହ ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ନ ବୁଡ଼ାଇବାକୁ କୁହାଯାଇଛି। ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର ନ କରିବା, ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମ ପାଣିର ପକାଇ ଆଖିକୁ ପୋଛିବା, ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିବା, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ ପରାମର୍ଶ ଦିଆଯାଇଛି।