ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଟଙ୍କପାଣି ରୋଡ୍‌ସ୍ଥିତ ଚିଲି ପୋଖରୀ ଏବେ ଜବରଦଖଲରେ ରହିଛି। ରାଜଧାନୀର ବହୁ ପ୍ରାଚୀନ ଏହି ପୋଖରୀ ଦୀର୍ଘ ବର୍ଷ ଧରି ଅବ୍ୟବହୃତ ହୋଇ ରହିଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି କରାଯିବା ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏଦିଗରେ କିଛି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।

Advertisment

ଅଭିଯୋଗ ଅନୁସାରେ ଏହି ପୋଖରୀର ହୁଡ଼ା ଏକ ରାସ୍ତା ଭାବେ ବ୍ୟବହାର ହେଉଥିଲା। ଟଙ୍କପାଣି ରୋଡ୍‌କୁ ଏହି ହୁଡ଼ା ରାସ୍ତା ସଂଯୋଗ କରୁଥିଲା। ଫଳରେ ଶିବନଗରର ବାସିନ୍ଦାମାନେ ଟଙ୍କପାଣି ରୋଡ୍‌କୁ ଏହି ହୁଡ଼ା ରାସ୍ତା ଦେଇ ସହଜରେ ଯାଇପାରୁଥିଲେ। କିନ୍ତୁ ଏବେ ଏହି ହୁଡ଼ାକୁ ତାରବାଡ଼ ଘେରାଇ ଜବରଦଖଲ କରାଯାଇଛି। ହୁଡ଼ା ରାସ୍ତା ଉପରେ ବାଲି, ଗୋଡ଼ି ଆଦି ଗଦା କରି ରଖାଯାଇଛି। ତେଣୁ ହୁଡ଼ା ରାସ୍ତାଟି ସଙ୍କୁଚିତ ହୋଇଯାଇଛି। ଫଳରେ ଶିବନଗରବାସୀ ଯାତାୟାତ କରିବାକୁ ସମସ୍ୟାରେ ପଡ଼ୁଛନ୍ତି। ଏ ନେଇ ଶିବନଗର ୱେଲ୍‌ଫେୟାର୍‌ ଆସୋସିଏସନ୍‌ ପକ୍ଷରୁ ବାରମ୍ବାର ବିଏମ୍‌ସିରେ ଅଭିଯୋଗ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଏମିତିକି ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲେ ବି କିଛି କରୁନାହିଁ। ଫଳରେ ଏହାର ସୁଯୋଗ ନେଇ କିଛି ଲୋକେ ରାସ୍ତା ଉପରେ ତାରବାଡ଼ ଦେଇ ବେଆଇନ ଭାବେ ଦଖଲ କରି ରଖିଛନ୍ତି। ଶିବନଗର ବାସିନ୍ଦାମାନଙ୍କ ପକ୍ଷରୁ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଏହି ଜବରଦଖଲ ହଟାଇବାକୁ ବିଏମ୍‌ସିକୁ ପୁଣି ଆବେଦନ କରାଯିବ ବୋଲି ସ୍ଥିର କରାଯାଇଛି।