ବାରଙ୍ଗ: ଦିନକୁ ଦିନ ବିଶ୍ବରେ ଜଙ୍ଗଲ ହ୍ରାସ ପାଉଥିବାରୁ ବହୁ ବନ୍ୟପ୍ରାଣୀ ବିଲୁପ୍ତ ଅବସ୍ଥାରେ। ବିଲୁପ୍ତ ଆଶଙ୍କାରେ ଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ରହିଛି ସିମ୍ପାଞ୍ଜି। ଆଜି ସମଗ୍ର ବିଶ୍ବରେ ସିମ୍ପାଞ୍ଜି ବଂଶ ସଂକଟରେ। ଏହି ବିରଳ ମାନବାକୃତି ପ୍ରାଣୀକୁ ବଞ୍ଚାଇ ରଖିବାକୁ ୧୯୬୦ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ନନ୍ଦନକାନନ ବେଶ୍ ସଫଳତା ପାଇଛି। ୨୮ ବର୍ଷରେ ଏଠାରେ ସିମ୍ପାଞ୍ଜି ସଂଖ୍ୟା ୨ରୁ ୧୩କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ ବିଭିନ୍ନ ଚିଡ଼ିଆଖାନାରେ ୨୫ଟି ସିମ୍ପାଞ୍ଜି ଥିବା ବେଳେ ଏବେ ନନ୍ଦନକାନନରେ ୮ଟି ଅଛନ୍ତି। ସିଙ୍ଗାପୁରରୁ ଆସିଥିବା ୨ ସିମ୍ପାଞ୍ଜିଙ୍କ ମିଳନରୁ ବଂଶ ବୃଦ୍ଧି ଘଟି ୧୩ ହୋଇଥିବା ବେଳେ ୩ଟିର ମୃତ୍ୟୁ ହୋଇଛି ଓ ୨ଟିକୁ ଏଠାରୁ ଅନ୍ୟ ଚିଡ଼ିଆଖାନାକୁ ଦିଆଯାଇଛି। ସମ୍ପ୍ରତି ସିମ୍ପାଞ୍ଜିମାନେ ହିଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ବଡ଼ ଆକର୍ଷଣ ବୋଲି ଜଣାଶୁଣା। ତେବେ ଏହି ସଫଳତା ପଛରେ ବି ଆଶଙ୍କା ଛପି ରହିଛି। ନନ୍ଦନକାନନରେ ବଢ଼ୁଥିବା ସିମ୍ପାଞ୍ଜି ସଂଖ୍ୟା ସମବଂଶୀୟ(ଗୋଟିଏ ଅଣ୍ଡିରାଠାରୁ) ହୋଇଆସୁଥିବାରୁ ଆଗକୁ ଛୁଆଗୁଡ଼ିକ ରୋଗିଣା ହେବା ଆଶଙ୍କା ରହିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦିଅନ୍ତି। ତେଣୁ ମଝିରେ ଶୃଙ୍ଖଳ ଭାଙ୍ଗିବାକୁ ଚିଡ଼ିଆଖାନା ଚିଡ଼ିଆଖାନା ମଧ୍ୟରେ ଏମାନଙ୍କୁ ଅଦଳବଦଳ କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏବେ ନନ୍ଦନକାନନରେ ଥିବା ୮ ସିମ୍ପାଞ୍ଜି ହେଲେ ଜୁଲୁ(୨୮), ପମ୍ପେଟା(୨୭), ପୂର୍ଣ୍ଣିମା(୨୧), ରାକ୍ଷୀ(୧୨), ଦୁର୍ଗା(୫), ଲକ୍ଷ୍ମୀ(୫), ରାଜା(୧ ବର୍ଷ) ଓ କୁଇନ୍ (୬ମାସ)। ୧୯୯୪ ମସିହା ଜୁନ ୧୬ରେ ସିଙ୍ଗାପୁର ଚିଡ଼ିଆଖାନାରୁ ଅଣ୍ଡିରା ସିମ୍ପାଞ୍ଜି ଜୁଲୁ ଓ ମାଈ ସିମ୍ପାଞ୍ଜି ପମ୍ପେଟାକୁ ନନ୍ଦନକାନନ ଅଣାଯାଇଥିଲା। ସେତେବେଳେ ଜୁଲୁର ବୟସ ୪ ବର୍ଷ ଓ ପମ୍ପେଟାର ବୟସ ସାଢ଼େ ୩ ବର୍ଷ ହୋଇଥିଲା। ଏମାନଙ୍କ ମିଳନରୁ ୧୯୯୮ ମେ ୧୨ରେ ଜନ୍ମ ନେଇଥିଲା ବର୍ଷା। ନନ୍ଦନକାନନରେ ପ୍ରଥମ ସିମ୍ପାଞ୍ଜି ଛୁଆ ଜନ୍ମକୁ ନେଇ ସେତେବେଳେ ବେଶ୍ ଖୁସି ଦେଖାଯାଇଥିଲା। ମାତ୍ର ଏହି ଖୁସି ବେଶି ଦିନ ତିଷ୍ଠି ନଥିଲା। ବର୍ଷାକୁ ଛଅ ମାସ ହୋଇଥିବା ବେଳେ ନିମୋନିଆରେ ତା’ର ମୃତ୍ୟୁ ହୋଇଥିଲା। ଏହା ପରେ ପୁଣି ଜୁଲୁ ଓ ପମ୍ପେଟାର ମିଳନରୁ ୨୦୦୧ ଜୁନ୍ ୯ ରେ ପୂର୍ଣ୍ଣିମା ଜନ୍ମ ନେଇଥିଲା। ଏହା ପରେ ୨୦୦୬ ସେପ୍ଟେମ୍ବର ୨୬ରେ ପମ୍ପେଟାର ତୃତୀୟ ଗର୍ଭରୁ ଏକ ଅଣ୍ଡିରା ଛୁଆ ଜନ୍ମ ନେଇଥିଲା। କିନ୍ତୁ ଜୁଲୁ ତାକୁ ନଖରେ ଫାଡ଼ି ମାରି ଦେଇଥିଲା। ଗୋଟିଏ ଦଳରେ ଆଉ ଗୋଟିଏ ଅଣ୍ଡିରା ସିମ୍ପାଞ୍ଜିକୁ ଜୁଲୁ ସହ୍ୟ କରିନଥିଲା।
ଏହା ଭିତରେ ପମ୍ପେଟାର ପ୍ରଥମ ଛୁଆ ପୂର୍ଣିମା ଗର୍ଭଧାରଣ କରିବା ବୟସରେ ଉପନୀତ ହୋଇଥିଲା। ଜୁଲୁ ଓ ପୂର୍ଣ୍ଣିମା ମିଳନରୁ ୨୦୦୯ ଅକ୍ଟୋବର ୧୬ରେ ପ୍ରଥମ ସନ୍ତାନ କାର୍ତ୍ତିକ ଜନ୍ମ ନେଇଥିଲା। କାର୍ତ୍ତିକ ପୂର୍ଣ୍ଣମୀ ଦିନ ଜନ୍ମ ନେଇଥିବାରୁ ଅଣ୍ଡିରା ଛୁଆଟିର ନାମ କାର୍ତ୍ତିକ ରଖାଯାଇଥିଲା। ୨୦୧୦ ଜୁଲାଇ ୧୩ରେ ପମ୍ପେଟାର ଚତୁର୍ଥ ଗର୍ଭରୁ ଏକ ମାଈ ଛୁଆ ଜନ୍ମ ନେଇଥିଲା। ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଜନ୍ମ ନେଇଥିବାରୁ ତା’ର ନାମ ସୁଭଦ୍ରା ରଖାଯାଇଥିଲା। ପରେ କାର୍ତ୍ତିକ ଓ ସୁଭଦ୍ରାକୁ ବିହାର ପାଟନା ଚିଡ଼ିଆଖାନକୁ ପଠାଯାଇଥିଲା ଓ ବଦଳରେ ୨୦୧୨ ଜୁଲାଇ ୧୧ରେ ଜିରାଫ ଖୁସୀକୁ ଅଣାଯାଇଥିଲା। ୨୦୧୧ ଅଗଷ୍ଟ ୧୩ରେ ପୂର୍ଣ୍ଣିମାର ଦ୍ବିତୀୟ ଗର୍ଭରୁ ମାଈ ଛୁଆଟିଏ ଜନ୍ମ ନେଇଥିଲା। ପବିତ୍ର ରକ୍ଷା ବନ୍ଧନ ଅବସରରେ ଜନ୍ମ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ତା’ ନାଁ ରଖିଥିଲେ ରାକ୍ଷୀ। ରାକ୍ଷୀ ଥିଲା ଜୁଲୁ ଓ ପୂର୍ଣ୍ଣିମାଙ୍କ ମିଳନର ଦ୍ବିତୀୟ ସୃଷ୍ଟି। ୨୦୧୪ ଡିସେମ୍ବର ୨୫ରେ ପମ୍ପେଟାର ପଞ୍ଚମ ଗର୍ଭରୁ ଜନ୍ ନାମକ ଅଣ୍ଡିରା ଛୁଆ ଜନ୍ମ ନେଇଥିଲା। କିନ୍ତୁ ୨୦୧୬ ସେପ୍ଟେମ୍ବର ୨୬ରେ ଶ୍ବାସଜନିତ ରୋଗରେ ଜନ୍ର ମୃତ୍ୟୁ ହୋଇଥିଲା।
୨୦୧୭ ଏପ୍ରିଲ ୨୦ରେ ପୂର୍ଣ୍ଣିମାର ତୃତୀୟ ଗର୍ଭରୁ ମାଈ ଛୁଆ ଲକ୍ଷ୍ମୀ ଜନ୍ମ ନେଇଥିବା ବେଳେ ୨୦୧୭ ସେପ୍ଟେମ୍ବର ୨୩ରେ ପମ୍ପେଟାର ଷଷ୍ଠ ଗର୍ଭରୁ ମାଈ ଛୁଆ ଦୁର୍ଗା ଜନ୍ମ ନେଇଥିଲା। ୨୦୨୧ ଫେବ୍ରୁଆରି ୧୫ରେ ପୂର୍ଣ୍ଣିମାର ଚତୁର୍ଥ ଗର୍ଭରୁ ଅଣ୍ଡିରା ଛୁଆ ରାଜା ଜନ୍ମ ନେଇଥିଲା। ଏପର୍ଯ୍ୟନ୍ତ ଜୁଲୁ-ପମ୍ପେଟା ପ୍ରଥମ ପିଢ଼ି ଓ ଜୁଲୁ-ପୂର୍ଣ୍ଣିମା ଦ୍ବିତୀୟ ପିଢ଼ିର ମିଳନ ହୋଇ ବଂଶବୃଦ୍ଧି ହେଉଥିଲା। ତେବେ ୨୦୨୧ ଡିସେମ୍ବର ୨୮ରେ ରାକ୍ଷୀ ତା’ ପ୍ରଥମ ଗର୍ଭରୁ ମାଈ ଶାବକ କୁଇନ୍କୁ ଜନ୍ମ ଦେଇଛି। କୁଇନ୍ ମଧ୍ୟ ଜୁଲୁ ଔରସରୁ ଜନ୍ମ ନେଇଛି। ତେଣୁ ତୃତୀୟ ପିଢ଼ିରୁ ଛୁଆ ଜନ୍ମ କରାଇବା ପଛରେ ବି ରହିଛି ୨୮ ବର୍ଷୀୟ ସିମ୍ପାଞ୍ଜି ଜୁଲୁ।
ନନ୍ଦନକାନନ ଇତିହାସରେ ସିମ୍ପାଞ୍ଜି ବଂଶବୃଦ୍ଧି ଏକ ଗୌରବମୟ ଅଧ୍ୟାୟ ହୋଇଥିଲେ ହେଁ ଆଗକୁ ବିପଦ ରହିଛି। ସମବଂଶୀୟ ମିଳନରୁ ଜନ୍ମିତ ଛୁଆଗୁଡ଼ିକ ବିକଳାଙ୍ଗ ହେବା ଆଶଙ୍କା ରହିଛି। ତେଣୁ ଏବେଠୁ ନନ୍ଦନକାନନ କର୍ତ୍ତୃପକ୍ଷ ଏଦିଗରେ ସଚେତନ ହେବାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବିଶ୍ବ ସିମ୍ପାଞ୍ଜି ଦିବସ(ଜୁଲାଇ ୧୪) ଅବସରରେ ପରାମର୍ଶ ଦେଇଛନ୍ତି।