୯ ମାସ ପରେ ଖୋଲିଲା ସିନେମା ହଲ୍‌, ଅଗ୍ନି ନିରାପତ୍ତା ଯାଞ୍ଚ ହେଲାନି

ଅଘଟଣ ଘଟିଲେ ଦାୟୀ ରହିବ କିଏ?

ଭୁବନେଶ୍ବର: ଦୀର୍ଘ ନଅ ମାସ ଧରି ବନ୍ଦ ପଡ଼ିଥିଲା ସିନେମା ହଲ୍। ସରକାର ଅନୁମତି ପ୍ରଦାନ କରିବା ପରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସିନେମା ହଲ୍ ଖୋଲିଛି। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ଆଗକୁ ବଢିବେ ବୋଲି ଅନୁମାନ କରାଯାଉଛି। ହେଲେ ପ୍ରଶ୍ନ ଉଠୁଛି; ନଅ ମାସ ଧରି ବନ୍ଦ ପଡ଼ିଥିବା ସିନେମା ହଲ ଖୋଲିବା ପୂର୍ବରୁ ଅଗ୍ନି ନିରାପତ୍ତା ଓ ବିଦ୍ୟୁତ ବ୍ୟବସ୍ଥାର ଯାଞ୍ଚ କରାଯାଇଛି କି? ଯଦି କରାଯାଇଛି ତା’ହେଲେ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତିରେ ହୋଇଛି କି? ଯଦି ଯାଞ୍ଚ କରାଯାଇନି ତା’ହେଲେ କାହିଁକି?

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୌଣସି ସିନେମା ହଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇ ନାହିଁ। ସିନେମା ହଲରେ ସେଣ୍ଟ୍ରାଲ ଶୀତତାପ ନିୟନ୍ତ୍ରିତ(ଏସି) ବ୍ୟବସ୍ଥା ଥିବା ବେଳେ ଲାଇଟ୍ ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ରହିଛି। ଦୀର୍ଘଦିନ ଧରି ଏସି ବନ୍ଦ ରହିଥିବା କାରଣରୁ ଏଥିରେ ସର୍ଟସର୍କିଟ ହେବାର ମଧ୍ୟ ଆଶଙ୍କା ରହିଛି। ସେହିପରି ଅନ୍ୟ ବିଦ୍ୟୁତ ସାମଗ୍ରୀର ମଧ୍ୟ ସର୍ଟ ସର୍କିଟ ଆଶଙ୍କା‌କୁ ଏଡ଼ାଇ ଦିଆଯାଇ ନ ପାରେ। ହଲ୍‌ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ସ୍ଥିତି କ’ଣ ରହିଛି? ଏହା ଠିକ୍ ଭାବେ କାର୍ଯ୍ୟ କରୁଛି ନା ନାହିଁ? ଏହି ସବୁ ସାମଗ୍ରୀକୁ ଯାଞ୍ଚ କରାଯାଇଛି ତ? ଏଭଳି ଦିଗକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଅଭିଜ୍ଞ କର୍ମଚାରୀଙ୍କ ଦ୍ବାରା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ସେହିପରି ଅଗ୍ନିଶମ ବିଭାଗକୁ ମଧ୍ୟ ଅନୁରୋଧ କରି ଯାଞ୍ଚ ସହ ଡେମୋ ଦେଖାଯିବା କଥା। ଅଗ୍ନିଶମ ବିଭାଗ ପକ୍ଷରୁ ବିଧିବଦ୍ଧ ଯାଞ୍ଚ କରା ନ ଯାଇ ହଲ୍‌ ଖୋଲିବାକୁ ଅନୁମତି ଦିଆଗଲା କେମିତି? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅବସରପ୍ରାପ୍ତ ଇଞ୍ଜିନିୟର ରମେଶ ଶତପଥୀଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି କୌଣସି ପ୍ରତିଷ୍ଠାନ ବନ୍ଦ ଥିଲେ ତାହାକୁ ଖୋଲାଯିବା ପୂର୍ବରୁ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କ ଦ୍ବାରା ବିଦ୍ୟୁତ ବ୍ୟବସ୍ଥାକୁ ପ୍ରଥମେ ଯାଞ୍ଚ କରାଯିବା ଦରକାର। କେତେବେଳେ, କେଉଁଠି ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ। ଯଦି ଠିକ୍ ଭାବେ ଯାଞ୍ଚ କରାଯିବ ତା’ହେଲେ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିପାରିବ। ସେହିପରି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ମଲ୍‌ ସହ ରହିଥିବା ହଲ୍‌ ବା ମଲ୍ଟିପ୍ଲେକ୍ସର ନିୟମିତ ଯାଞ୍ଚ ଓ ଡେମୋ କରାଯାଇଛି। ଅନ୍ୟ ହଲ୍‌ରେ ହୋଇଛି କି ନାହିଁ ସମ୍ପୃକ୍ତ ଅଞ୍ଚଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ପାଖରେ ସୂଚନା ଥିବ। କିନ୍ତୁ ଶେଷ ଥର ପାଇଁ କେବେ ସିନେମା ହଲ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ ହୋଇଥିଲା ତାହାର ସୂଚନା ବିଭାଗ ପକ୍ଷରୁ ମିଳିପାରି ନାହିଁ। ସୂଚନାଯୋଗ୍ୟ, ୧୯୯୭ ଜୁନ୍ ୧୩ ତାରିଖରେ ଦିଲ୍ଲୀର ଉପହାର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୫୯ ଜଣଙ୍କର ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ। ଏହାପରେ ମଧ୍ୟ ଦେଶର ଅନ୍ୟ କେତେକ ସିନେମା ହଲ୍‌ରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟି ଜୀବନହାନି ହୋଇଥିବାର ନଜିର ରହିଛି।

ସମ୍ବନ୍ଧିତ ଖବର