ଇଦ୍‌-ଉଜ୍‌-ଜୁହାରେ ସହର ହେଲା ଉତ୍ସବମୁଖର, ବିଶ୍ୱଶାନ୍ତି ପାଇଁ ସମୂହ ପ୍ରାର୍ଥନା

କୁର୍ବାନି ଦେଲେ, ଇଦ୍‌-ମୁବାରକ ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର: ଦେଢ଼ ସପ୍ତାହ ହେଲା ରାଜଧାନୀରେ ବର୍ଷା ଜାରି ରହିଥିବା‌ ବେଳେ ଆଜି କିନ୍ତୁ ଆକାଶ ଥିଲା ମେଘମୁକ୍ତ। ସକାଳୁ ସକାଳୁ ଉତ୍ସବମୁଖର ହୋଇପଡ଼ିଥିଲା ସାରା ସହର। ଚଳଚଞ୍ଚଳ ହୋଇପଡ଼ିଥିଲା ରାଜଧାନୀର ମସ୍‌ଜିଦ୍‌ ସମୂହ। ସକାଳ ୮ଟାରୁ ସମୂହ ନମାଜ ପାଠରେ ପରିବେଶରେ ଆଧ୍ୟାତ୍ମିକତା ଭରିଯାଇଥିଲା। ଇଦ୍‌ ମୁବାରକ୍‌ ଉଚ୍ଚାରଣରେ କମ୍ପିଥିଲା ଗଗନପବନ। ମସ୍‌ଜିଦ୍‌ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖବାକୁ ମିଳିଥିଲା। ତା’ ସାଙ୍ଗକୁ ଶୃଙ୍ଖଳା ରକ୍ଷା ପାଇଁ ମସ୍‌ଜିଦଗୁଡ଼ିକ ସମ୍ମୁଖରେ ପୁଲିସ ମଧ୍ୟ ତତ୍ପର ହୋଇ ଉଠିଥିଲା। ଅବସର ଥିଲା ମୁସ୍‌ଲିମ୍‌ ସମ୍ପ୍ରଦାୟର ଅନନ୍ୟ ପର୍ବ ଇଦ୍‌-ଉଜ୍‌-ଜୁହା। ନୂଆ ପୋଷାକ ପିନ୍ଧି ସକାଳୁ ରୋଜା ପାଳନ କରି ମୁସଲ୍‌ମାନ୍‌ ଭାଇମାନେ ପହଞ୍ଚିଥିଲେ ମସ୍‌ଜିଦ୍‌ରେ।

ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଜ୍‌-ଜୁହା। ଇଦ୍‌-ଉଲ୍‌-ଫିତର ଯିବାର ଦୁଇ ମାସ ୧୦-୧୨ ଦିନ ପରେ ଚାନ୍ଦକୁ ଦେଖି ଏହି ପର୍ବର ଦିନ ଧାର୍ଯ୍ୟ କରାଯାଇଥାଏ। ଏହି ପର୍ବ ୩ ଦିନ ମଧ୍ୟ ପାଳନ କରାଯାଇଥାଏ। ପୂର୍ବ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ସେମାନଙ୍କ ନାମରେ ମୁସଲ୍‌ମାନ୍‌ ଭାଇମାନଙ୍କୁ ଆଜି କିଛି କୁର୍ବାନି ଦେବାକୁ ପଡ଼ିଥାଏ। ସାଧାରଣତଃ ଏହି ପର୍ବରେ ପଶୁ ବଳି ଦିଆଯିବାର ନିୟମ ରହିଛି।

ବିଭିନ୍ନ ମସ୍‌ଜିଦ୍‌ରେ ଇଦ୍‌ ପାଳନ

ୟୁନିଟ୍‌-୪ କ୍ୟାପିଟାଲ୍‌ ମସ୍‌ଜିଦ୍‌ରେ ୮.୩୦ରେ ନାମଜ ପାଠ କରାଯାଇଥିଲା। ୪୦୦୦ରୁ ଊର୍ଧ୍ବ ଶ୍ରଦ୍ଧାଳୁ ଏଠାରେ ନମାଜ୍ ପାଠ କରିଥିଲେ। ରାଜଧାନୀରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୟୁକ୍ରେନ୍‌, ଆଫଗାନିସ୍ତାନ ଭଳି ଦେଶରୁ ବହୁର ମୁସଲମାନ ସମ୍ପ୍ରଦାୟର ଶିକ୍ଷାର୍ଥୀମାନେ ମଧ୍ୟ ଏଠାକୁ ନମାଜ ପାଠ କରିବାକୁ ଆସିଥିଲେ। ଏଥିସହ ମସ୍‌ଜିଦ୍‌ କମିଟି ପକ୍ଷରୁ ଅନ୍ୟ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ମୁଫ୍‌ତି ଅବ୍‌ରାର୍‌ ସମସ୍ତଙ୍କୁ ନମାଜ ପାଠ କରାଇଥିଲେ। ମହାପ୍ରଭୁଙ୍କ ସୁନାବେଶ ଓ ସେହିଦିନ ହିଁ ମୁସଲମାନ ସମ୍ପ୍ରଦାୟର ଇଦ୍‌-ଉଜ୍‌-ଜୁହା ପର୍ବ ପଡ଼ିବା, ଈଶ୍ବର ଆଲ୍ଲା ଏକର ବାର୍ତ୍ତା ଦେଉଛି ବୋଲି ଅଲ୍‌ ଓଡ଼ିଶା ଜାମା ମସ୍‌ଜିଦ୍‌ର ସମ୍ପାଦକ ଶେଖ୍‌ ତହମୁଲ ହୁସେନ କହିଛନ୍ତି।
ଏଥିସହ ଆଜି ସକାଳେ ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ରେ ପ୍ରାୟ ୨୦୦୦ରୁ ଊର୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମୌଲାନା ମେରାଜ ଇମାମ୍‌ ସମସ୍ତଙ୍କୁ ନମାଜ ପାଠ କରାଇଥିଲେ। ଏହି ଅବସରରେ ମୁସ୍‌ଲିମ୍‌ ଭାଇମାନେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଧୀରେଧୀରେ ମୁସଲ୍‌ମାନ୍‌ମାନଙ୍କ ପ୍ରତି ଲୋକଙ୍କ ମନରେ ବଢ଼ୁଥିବା ନକାରାତ୍ମକ ଚିନ୍ତାକୁ ଦୂର କରିବା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଇମାମ୍‌ ‘ଖୋଦ୍‌ବା’(ଆଲ୍ଲାଙ୍କ ବାର୍ତ୍ତା)କୁ ଶ୍ରଦ୍ଧାଳୁଙ୍କୁ ବୁଝାଇଥିଲେ। ଏହାପରେ ପରସ୍ପରର କରମର୍ଦ୍ଦନ ଓ ଆଲିଙ୍ଗନ କରି ଇଦ୍‌ ମୁବାରକ୍‌ ଜଣାଇଥିଲେ।

ସେହିଭଳି ୯ ନମ୍ବର, ୮ ନମ୍ବର, ୩ ନମ୍ବର, ଶିଶୁଭବନ ଛକ ଝରଣା ସାହି, ସୈନିକ ସ୍କୁଲ, ଆଇଆର୍‌ସି ଭିଲେଜ୍‌, ଝାରପଡ଼ା, ସୁନ୍ଦରପଦା ଓ ଯଦୁପୁର ଆଦି ଅଞ୍ଚଳରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସକାଳ ୮ଟାରୁ ୧୦ଟା ଭିତରେ ନମାଜ ପାଠ କରାଯାଇଥିଲା। ଏହାପରେ ମସ୍‌ଜିଦ୍‌ ସମ୍ମୁଖରେ ଥିବା ଫକୀରମାନଙ୍କୁ ଦାନ ଧର୍ମ କରି ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ। ‘ଖୋଦ୍‌ବା’ ଶୁଣିବା ପରେ ଖାଦ୍ୟ ଗ୍ରହଣ କରି ରୋଜା ଭାଙ୍ଗିବାକୁ ହୋଇଥାଏ। ଯକାତ୍‌ ଓ ଫିତ୍‌ରା ଦେବାକୁ ସମର୍ଥ ଲୋକ ତଥା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବର୍ଗମାନେ ଏହି କୁର୍ବାନି ଦେବାକୁ ବାଧ୍ୟ ବୋଲି ପରମ୍ପରା ରହିଛି। କୁର୍ବାନି ଦିଆଯାଉଥିବା ପଶୁକୁ ଦୀର୍ଘ ଦିନ ଧରି ନିଜ ଘରେ ପାଳିବା ପରେ ହିଁ ଆଜି ଏହି ଦିନରେ ବଳି ଦେବାକୁ ପଡ଼ିଥାଏ। ତେବେ ଯାଇ ବଳିର ସାର୍ଥକତା ଆସିଥାଏ। ଏହି ବଳିକୁ ୩ ଭାଗ କରି ଗୋଟିଏ ଭାଗ ଗରିବ ଦୁଃଖୀରଙ୍କୀଙ୍କୁ ଦାନ କରାଯିବା ସହ ଆଉ ଦୁଇ ଅଂଶରୁ ଅଧା ବନ୍ଧୁ ପରିଜନଙ୍କୁ ଦିଆଯାଏ ଓ ଅବଶିଷ୍ଟାଂଶକୁ ନିଜ ବ୍ୟବହାର ପାଇଁ ରଖାଯାଇଥାଏ।

କୁର୍ବାନିର ପର୍ବ ‘ଇଦ୍‌-ଉଜ୍‌-ଜୁହା’

ଇସ୍‌ଲାମ୍‌ ଧର୍ମର ବିଶ୍ୱାସ ଅନୁଯାୟୀ, ଏକଦା ନିଜ ଅତି ପ୍ରିୟ ପୁତ୍ର ଇସ୍‌ମାଇଲ୍‌ଙ୍କୁ କୁର୍ବାନି ଦେବାକୁ ଆଲ୍ଲାଙ୍କ ପୈଗମ୍ବର ଇବ୍ରାହିମ୍‌ଙ୍କୁ ଆଲ୍ଲାଙ୍କ ତରଫରୁ ନିର୍ଦ୍ଦେଶ ହୋଇଥିଲା। ନିଜ ପୁତ୍ରଙ୍କୁ କୁର୍ବାନି ଦେବା ଇବ୍ରାହିମ୍‌ଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ତଥାପି ସେ ଆଲ୍ଲାଙ୍କ ନିର୍ଦ୍ଦେଶ ମାନି ଆଖି ବନ୍ଦ କରି ତାଙ୍କୁ ବଳି ଦେଇ ଆଖି ଖୋଲିବା ବେଳକୁ ନିଜ ପୁତ୍ର ସ୍ଥାନରେ ଏକ ଦୁମ୍ବାର ମୃତ୍ୟୁ ହୋଇଥିବା ସେ ଦେଖିଥିଲେ। ଏହାକୁ ଆଲ୍ଲାଙ୍କ ଇଚ୍ଛା ଭାବି ସେ ସ୍ୱୀକାର କରିଥିଲେ। ଏହା ପରଠାରୁ ଏହି ପବିତ୍ର ଦିନରେ ଦୁମ୍ବା ବା ପଶୁ କୁର୍ବାନି ଦେବାର ନିୟମ ରହିଛି ବୋଲି ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ର ମୌଲାନା ମେରାଜ ଇମାମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର