ଭୁବନେଶ୍ବର: ସ୍ମାର୍ଟ ସିଟି ଅଧୀନରେ ଥିବା ସିଟି ସର୍ଭେଲାନ୍ସ ସିଷ୍ଟମ ଓ ସ୍ମାର୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରସ୍ତୁତ ହେଉଛି। ସହରରେ ଚିହ୍ନଟ ହୋଇଥିବା ୪୫୦ ଜାଗାରେ ସିସିଟିଭି ଓ ୧୫୦ ଜାଗାରେ ପିଟିଜେଡ୍‌(ପ୍ୟାନ୍‌ ଟିଲ୍ଟ ଜୁମ୍‌) କ୍ୟାମେରା ଲାଗିବାକୁ ଯାଉଛି। ଏଯାବତ୍‌ ୪ଶହ ସିସିଟିଭି କ୍ୟାମେରା ଲାଗି ସାରିଥିବା ବେଳେ ଏଥିରୁ ୧୭୦ କାର୍ଯ୍ୟକ୍ଷମ ହୋଇଛି। ଯେଉଁଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି ସେଗୁଡ଼ିକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ସମସ୍ତ କ୍ୟାମେରା ଲାଗିବା ସହ ପରୀକ୍ଷା କରାଯାଇ ପ୍ରସ୍ତୁତ କରାଯିବ। ଅଗଷ୍ଟ ସୁଦ୍ଧା ସମଗ୍ର ସହର କ୍ୟାମେରା ଲେନ୍ସରେ ରହିବା ସହ ନୂଆ ଟ୍ରାଫିକ୍‌ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଛି ସ୍ମାର୍ଟ ସିଟି ଲିମିଟେଡ୍‌। ଏହି ବ୍ୟବସ୍ଥାକୁ ବ୍ୟବହାର କରି ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିବା ସହ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ। ତା’ ଛଡ଼ା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଦୁର୍ଘଟଣା ରେକର୍ଡିଂ ସିଷ୍ଟମ୍‌ ଉପଯୋଗୀ ହେବ। ଏହା ଦ୍ବାରା କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଅଟୋମେଟିକ୍ ଭେଇକିଲ୍ ଲୋକେସନ ସିଷ୍ଟମ ମଧ୍ୟ ପୁଲିସ ପାଇଁ ବେଶ୍‌ ସହାୟକ ହେବ।

Advertisment

ଉଲ୍ଲେଖଯୋଗ୍ୟ, ବିଏସ୍‌ସିଏଲ୍‌ ଅଧୀନରେ ଏବେ ଭୁବନେଶ୍ବରରେ ୨୫ଟି ଜାଗାରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍, ୧୫ଟି ଡାଇନାମିକ୍ ମେସେଜ୍ ସାଇନ୍ ବୋର୍ଡ ଓ ୨୫ଟି ଲାଇଭ୍ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟ କରୁଛି। ୯ଟି ଜାଗାରେ ଟ୍ରାଫିକ୍ ଆକ୍ସିଡେଣ୍ଟ ରେକର୍ଡିଂ ସିଷ୍ଟମ୍ ମଧ୍ୟ କାମ କରୁଛି। ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଅପରାଧ କମିବା ସହ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି କୁହାଯାଉଛି।