ବାଲିପାଟଣା: ଆସନ୍ତାକାଲି ଶ୍ରାବଣର ଶେଷ ସୋମବାର। ଶୈବ ପୀଠରେ କାଉଡ଼ିଆଙ୍କ ଜଳାଭିଷେକର ଶେଷ ପାଳି। ତେଣୁ ଆଜି ପୁଣ୍ୟତୋୟା ପ୍ରାଚୀ ନଦୀର ତ୍ରିବେଣୀ ଘାଟ ବେଶ୍ ଚଳଚଞ୍ଚଳ ହୋଇପଡ଼ିଥିଲା। ପାଖାପାଖି ୨ ହଜାରରୁ ଅଧିକ କାଉଡ଼ିଆଙ୍କ କୋଳାହଳରେ ତ୍ରିବେଣୀ ଘାଟ ପ୍ରକମ୍ପିତ ହୋଇଉଠିଥିଲା। ବୋଲ୍ ବମ୍ ହର୍ ହର୍ ବମ୍, ଭୋଲେ ବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଭଳି ନାରାବାଜି ଘାଟ ତଟରେ ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଅପରାହ୍ଣ ୩ଟା ସୁଦ୍ଧା କାଉଡ଼ିଆମାନେ ଜଳ ଭାର କାନ୍ଧେଇ ତ୍ରିବେଣୀ ଘାଟରୁ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ବାହାରିପଡ଼ିଥିଲେ।
ପ୍ରତିବର୍ଷ ଏହି ଘାଟରୁ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରାବଣୀ ଜଳ ଭାର ନେଇ ବିଭିନ୍ନ ଶିବ ମନ୍ଦିରକୁ ଯାଆନ୍ତି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର କାଉଡ଼ିଆମାନେ ଏଠାରୁ ପାଣି ଉଠାଇ ପୁରୀ ଲୋକନାଥ, ଭୁବନେଶ୍ବର ଲିଙ୍ଗରାଜ, କପିଳନାଥ, ବାଲିପାଟଣା ବୁଦ୍ଧନାଥ, ବାଲିକପିଳନାଥ, ଅନ୍ଧକପିଳେଶ୍ବର ଆଦି ପୀଠକୁ ଯାତ୍ରା କରନ୍ତି। ସେହିଭଳି କିଛି କାଉଡ଼ିଆ ଏଠାରୁ ଢେଙ୍କାନାଳ କପିଳାସ ପାହାଡ଼ ଚନ୍ଦ୍ରଶେଖରଙ୍କ ନିକଟକୁ ଯାତ୍ରା କରନ୍ତି। ଚଳିତ ବର୍ଷ ପ୍ରଥମ ପାଳିରେ ସେଭଳି ଭିଡ଼ ପରିଲକ୍ଷିତ ହୋଇନଥିଲା। କିନ୍ତୁ ଦ୍ବିତୀୟ ପାଳିରୁ ଆଜି ଶେଷ ପାଳି ଭିତରେ ପ୍ରାୟ ୬ ହଜାର କାଉଡ଼ିଆ ଜଳ ଭାର ଉଠାଇଥିବା ଜଣାପଡ଼ିଛି। ଏବର୍ଷ ଶେଷ ସୋମବାରରେ ପଡ଼ୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା। ତେଣୁ କାଉଡ଼ିଆଙ୍କ ପାଇଁ ବିଶେଷ ଦିନ। ଏଥିପାଇଁ ଆଜି ନିମାପଡ଼ା, ଗୋପ, ପିପିଲି, ବଳଙ୍ଗା ଆଦି ଅଞ୍ଚଳର ଶହ ଶହ କାଉଡ଼ିଆ ଏଠାରୁ ଜଳ ନେଇ ନିଜ ନିଜର ଗନ୍ତବ୍ୟ ପୀଠକୁ ଯାଇଥିଲେ। ସକାଳୁ ଏହି ଘାଟରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପୁରୀ, କୋଣାର୍କ ଯାଉଥିବା କାଉଡ଼ିଆମାନେ ଭୋର୍ରୁ ଘାଟକୁ ଛୁଟିଆସିଥିଲେ। ପ୍ରାଚୀ ନଦୀରେ ବୁଡ଼ ପକାଇ ଜଳ ଉଠାଇବା ପରେ ଅନ୍ତର୍ବେଦି ପୀଠ ପରିକ୍ରମା କରିଥିଲେ। ଅନ୍ତର୍ବେଦି ପୀଠର ଆରାଧ୍ୟ ଦେବତା ପ୍ରଭୁ ଅନ୍ତର୍ଯ୍ୟାମୀନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ଶ୍ରୀବେଲେଶ୍ୱର ଓ ଶ୍ରୀତ୍ରିବେଣୀଶ୍ୱରଙ୍କ ମନ୍ଦିର ଚାରି ପଟେ ବୁଲିଥିଲେ। ଏହାପରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ଅନ୍ତର୍ବେଦି ସାଂସ୍କୃତିକ ପରିଷଦ ତରଫରୁ କାଉଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଥିଲା।
କିଂବଦନ୍ତୀ କୁହେ, ଗଙ୍ଗା ନଦୀଠାରୁ ପ୍ରାଚୀ ନଦୀ ଶହେ ବର୍ଷ ବଡ଼। ପୁରାଣ ଅନୁସାରେ ରାଜା ଭଗୀରଥ ସ୍ବର୍ଗରୁ ଗଙ୍ଗାଙ୍କୁ ଆଣିବା ପୂର୍ବରୁ ପୁଣ୍ୟତୋୟା ପ୍ରାଚୀ ନଦୀ ଭାରତଭୂଇଁରେ ଉତ୍କଳ ଭୂଖଣ୍ଡରେ ପ୍ରବାହିତ ହେଉଥିଲା। ଏହି ନଦୀ କୂଳରେ ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ମାଧବ ଓ ଦ୍ୱାଦଶ ଶକ୍ତି ପୀଠ ରହିଛି। ସେହିଭଳି ତ୍ରିବେଣୀ ଘାଟରେ ଗୁପ୍ତଗଙ୍ଗାଙ୍କ ଆବିର୍ଭାବ ହୋଇଥିବା ସାଧୁସନ୍ଥଙ୍କ ମୁହଁରୁ ଶୁଣିବାକୁ ମିଳେ। ତେଣୁ ଏହି ଘାଟ ଏକ ସ୍ବତନ୍ତ୍ର ପବିତ୍ର ସ୍ଥଳ। ସେଥିପାଇଁ ଏହି ଘାଟରେ ବର୍ଷ ସାରା ପିଣ୍ଡଦାନ, ଅସ୍ଥି ବିସର୍ଜନ, ବିବାହ, ବ୍ରତ ଓ ମୁଣ୍ଡନ ଆଦି କାର୍ଯ୍ୟ ସମାହିତ ହେଉଛି।