ପ୍ରତି ମାସ ସଫେଇ ବ୍ୟବସ୍ଥାର ସମୀକ୍ଷା‌ ହେବ

ଭୁବନେଶ୍ବର: ସହରରେ କିପରି ସଫେଇ ହେଉଛି, କେଉଁ ଅଞ୍ଚଳ‌ରୁ ଅଳିଆ ଉଠୁନି, ସଫେଇ ହେଉନି ବୋଲି କେତେ ଅଭିଯୋଗ ଆସିଥିଲା, କେତେ ସମାଧାନ ହୋଇଛି ତା’ର ସମୀକ୍ଷା ପ୍ରତି ମାସରେ ହେବ। ପ୍ରତ୍ୟେକ ପୌରସଂସ୍ଥା ପ୍ରତି ମାସର ୨୦ତାରିଖ ପୂର୍ବାହ୍ନ ୧୧ଟାରେ ଏହାର ସମୀକ୍ଷା କରିବେ। ଏହି କ୍ରମରେ ଆଜି ଭୁବନେଶ୍ବରର ସଫେଇ ବ୍ୟବସ୍ଥା ନେଇ ବିଡିଏ ସମ୍ମିଳନୀ କକ୍ଷରେ ‘ସ୍ବଚ୍ଛ ଚର୍ଚ୍ଚା ଦିବସ’ ଅନୁଷ୍ଠିତ ହୋଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷା ବୈଠକରେ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ବିଭିନ୍ନ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟପ୍ରଣାଳୀ ବିଷୟରେ କହିଥିଲେ। ଏଥିରେ ମୁଖ୍ୟତଃ କମ୍ପୋଷ୍ଟ ପ୍ଲାଣ୍ଟ, ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟିରେ ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନା, ଏନେଇ ଲୋକଙ୍କୁ ଅବଗତ କରାଇବା, ମଳ ପରିଚାଳନା, ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା, ପରିମଳ ଜନିତ ଭିତ୍ତିଭୂମି ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଓୟୁଏଟିର ଆସୋସିଏଟ୍‌ ପ୍ରଫେସର ରବୀନ୍ଦ୍ର କୁମାର ନାୟକ ଯୋଗଦେଇ କମ୍ପୋଷ୍ଟିଂ ବାବଦରେ ଆଲୋଚନା କରି ଏହାର ମାନ ରକ୍ଷା ଓ ପ୍ରସ୍ତୁତି ବିଷୟରେ ବୁଝାଇଥିଲେ। ବିଏମ୍‌ସି କମିସନର ମଧ୍ୟ ‘ମୋ ଖତ’ର ଚାହିଦା, ଉପାଦେୟତା ଓ ଉତ୍ପାଦନ ନେଇ ସମୀକ୍ଷା କରିଥିଲେ। ଏଥିରେ ବିଏମ୍‌ସି, ବିଡିଏ ଓ ୱାଟ୍‌କୋର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର