ବାରଙ୍ଗ: ୧୦ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଫେରିଛି ଘଡ଼ିଆଳ ପ୍ରଜନନ। ୨୦୧୫ ମସିହା ପରଠାରୁ ଘଡ଼ିଆଳ କୁମ୍ଭୀର ପ୍ରଜନନ ବନ୍ଦ ଥିଲା। ଆଜି ସକାଳୁ ଘଡ଼ିଆଳ ଶାବକ ଓ ଅଣ୍ଡା ଠାବ ହେବା ପରେ ନନ୍ଦନକାନନ‌ରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଜନ୍ତୁରକ୍ଷକମାନେ ୧୪ଟି ଶାବକ ଓ ୩୦ରୁ ଅଧିକ ଅଣ୍ଡା ଠାବ କରିଛନ୍ତି। ସମସ୍ତ ଘଡ଼ିଆଳ ଛୁଆଙ୍କୁ ଉଦ୍ଧାର କରି ପ୍ରଜନନ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର ଅଣ୍ଡାଗୁଡ଼ିକୁ ଫୁଟିବା ଲାଗି ଆବଶ୍ୟକ ଉତ୍ତାପ ଯୋଗାଇବା ପାଇଁ ସେଗୁଡ଼ିକୁ ଗାତ ଖୋଳି ପୋତି ଦିଆଯାଇଛି। ପୋଖରୀରୁ ଆହୁରି କିଛି ସଦ୍ୟଜାତ ଛୁଆ ଓ କୂଳରୁ ଅଣ୍ଡା ମିଳିବ ବୋଲି ଖୋଜା ଜାରି ରହିଛି। ତେଣୁ ଚଳିତ ବର୍ଷ ନନ୍ଦନକାନନକୁ ପାଖାପାଖି ୫୦ ଘଡ଼ିଆଳ ଛୁଆ ମିଳିବା ଆଶା କରାଯାଉଛି।  

Advertisment

ଆଜି ସକାଳୁ ସକାଳୁ କୁମ୍ଭୀର ପୋଖରୀ ଦାୟିତ୍ବରେ ଥିବା ଜନ୍ତୁ ରକ୍ଷକମାନେ ଘଡ଼ିଆଳ କୁମ୍ଭୀର ଛୁଆମାନଙ୍କୁ ଦେଖିଥିଲେ। ହଠାତ୍ ସଦ୍ୟଜାତ ଛୁଆଗୁଡ଼ିକ ପୋଖରୀରେ ପହଁରୁଥିବା ଦେଖି ସେମାନେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜିଣାଇଥିଲେ। ଏହି ଖବର ପ୍ରଚାରିତ ହେବା ମା‌ତ୍ରେ ନନ୍ଦନକାନନର ଅଧିକାରୀ ଓ କର୍ମଚାରୀମାନେ କୁମ୍ଭୀର ପୋଖରୀକୁ ଛୁଟିଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷା ଦୃଷ୍ଟିରୁ ଛୁଆମାନଙ୍କୁ ଧରାଯାଇଥିଲା। ରାତି ୯ଟା ସୁଦ୍ଧା ମୋଟ ୧୪ଟି ଛୁଆ ଧରାପଡ଼ିଥିଲେ ଏବଂ ସେମାନଙ୍କୁ ପ୍ରଜନନ କେନ୍ଦ୍ରସ୍ଥ ପାଣିକୁଣ୍ଡରେ ଲାଇଟ୍ ତଳେ ରଖାଗଲା। ଅନ୍ୟ କେତୋଟି ଛୁଆ ମା’ କୁମ୍ଭୀରଙ୍କ ପାଖ ନ ଛାଡ଼ିବାରୁ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା। ଘଡ଼ିଆଳ ଅଣ୍ଡା ଫୁଟିବା ଜଣାପଡ଼ିବା ପରେ ଆହୁରି ଅଣ୍ଡା ମିଳିବା ଆଶାରେ ଜନ୍ତୁରକ୍ଷକମାନେ ପୋଖରୀ କୂଳର ସମ୍ଭାବ୍ୟ ସ୍ଥାନ ଖୋଜାଖୋଜି କରିଥିଲେ। ୩ଟି ଜାଗାରୁ ପ୍ରାୟ ୩୦ରୁ ଅଧିକ ଅଣ୍ଡା ମିଳିଥିଲା। ସେଥିରୁ କିଛି ଖରାପ ହୋଇଯାଇଥିବା ଆଶଙ୍କା କରାଯାଇଛି। ଅଣ୍ଡା ଫୁଟିବା ପାଇଁ କୃତ୍ରିମ ଉପାୟରେ ଆବଶ୍ୟକ ଉତ୍ତାପ ଯୋଗାଇବା ଲାଗି ଜନ୍ତୁରକ୍ଷକମାନେ ସେଗୁଡ଼ିକୁ ଗାତ ଖୋଳି ପୋତି ଦେଇଛନ୍ତି।  

ସୂଚନାଯୋଗ୍ୟ ଯେ ୧୯୮୦ ମସିହା ମେ ୭ରେ ନନ୍ଦନକାନନରେ ପ୍ରଥମ ଥର ପାଇଁ ଘଡ଼ିଆଳ ପ୍ରଜନନ ହୋଇଥିଲା। ପରେ ଏଠାରେ ଘଡ଼ିଆଳ ବଂଶ ବଢ଼ିବଢ଼ି ସଂଖ୍ୟା ୩୦୦ ଅତିକ୍ରମ କରିଥିଲା। ତେଣୁ ଏଠାରୁ ଘଡ଼ିଆଳ କୁମ୍ଭୀରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା। ମାତ୍ର ଅଚାନକ ୨୦୧୨ ମସିହା ପରଠୁ ଏଠାରେ ଘଡ଼ିଆଳ ପ୍ରଜନନ ଧୀରେଧୀରେ ହ୍ରାସ ପାଇଲା ଏବଂ ୨୦୧୫ ବେଳକୁ ପୂରା ଠପ୍‌ ହୋଇଗଲା। କୌଣସି ସଂକ୍ରମଣ କାରଣରୁ ଅଣ୍ଡିରା ଘଡ଼ିଆଳଗୁଡ଼ିକ ମୃତ୍ୟୁ ମୁଖରେ ପଡ଼ିବାରୁ ଏଭଳି ସ୍ଥିତି ଉପୁଜିଲା। ତେଣୁ ଘଡ଼ିଆଳ ରହୁଥିବା ପୋଖରୀକୁ ଶୁଖାଇ ପଙ୍କ ବାହାର କରାଯିବା ସହିତ ବିଶୋଧକ ପ୍ରୟୋଗ କରଯାଇଥିଲା। ଏହାପରେ ୨୦୧୭ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ରାଜସ୍ଥାନର ଜୟପୁରରୁ ଅଣ୍ଡିରା ଘଡ଼ିଆଳ ଅଣାଯାଇଥିଲା। ୮ ବର୍ଷ ପରେ ତା’ର ସୁଫଳ ମିଳିଛି।