ପୂର୍ଣ୍ଣାହୁତି ସହ ସମାପନ ହେଲା ମାଘମେଳା, ବେଦ ମନ୍ତ୍ରରେ କମ୍ପିଲା ଖଣ୍ଡିଗିରି ପାହାଡ଼

ଶେଷ ଦିନରେ ବହୁ ଭକ୍ତଙ୍କ ସମାଗମ

ଖଣ୍ଡଗିରି: ବେଦ ମନ୍ତ୍ରରେ କମ୍ପିଲା ଖଣ୍ଡିଗିରି ପାହାଡ଼। ପବିତ୍ର ପୂର୍ଣ୍ଣିମା ତିଥିରେ ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୁତି ସହିତ ସମାପନ ହେଲା ଖଣ୍ଡଗିରିର ମାଘମେଳା। ନାଗା ସାଧୁ, ଝୁନା ଆଖଡ଼ା, ଧୁନା ଆଖଡ଼ା, ନିରଞ୍ଜିନୀ ଆଖଡ଼ା ଏବଂ ରାଜ୍ୟରେ ନୂତନ ଭାବରେ ଗଠନ ହୋଇଥିବା ବିଭିନ୍ନ ଭାଗବତ ଆଖଡ଼ାର ସାଧୁସନ୍ଥ, ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତ୍ୟେକ ପୃଥକ ଭାବରେ ନିଜ ଯଜ୍ଞ କୁଣ୍ଡରେ ପୂର୍ଣ୍ଣାହୁତି ଦେଇଥିଲେ। ଶେଷ‌ ଦିନରେ ଶହ ଶହ ଭକ୍ତ ଉପସ୍ଥିତି ରହି ଏହି ପୂର୍ଣ୍ଣାହୁତିରେ ନଡ଼ିଆ ଅର୍ପଣ କରିବା ସହ ସାଧୁସନ୍ଥମାନଙ୍କ ଆଶୀର୍ବାଦ ନେଇଥିଲେ।

ଏହି ଅବସରରେ ତ୍ୟାଗୀ ରାମଦାସ ଓରଫ ବସନ୍ତ ବାବାଙ୍କ ତତ୍ବାବଧାନରେ ଶ୍ରୀ ଭୈରବାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ବାରା ପ୍ରସ୍ତୁତ ଚରୁଅନ୍ନ ପକାଇ ଯଜ୍ଞ କାର୍ଯ୍ୟ ସଂପନ୍ନ କରିଥିଲେ। ଏ ସମ୍ପର୍କରେ ପଣ୍ଡିତ ଭକ୍ତଚରଣ ଦାଶ କହିଛନ୍ତି, ମାଘମେଳାର ୮ ଦିନ ମଧ୍ୟରେ ୧୦ ହଜାର ୦୮ ଥର ଘୃତାହୁତି ଦିଆଯାଇଥିଲା। ଆଜିର ସ୍ବତନ୍ତ୍ର ଦିନରେ ୧୮ ଅଧ୍ୟାୟ ଗୀତ ପାଠ ସହିତ ମା’ ବାରଭୁଜାଙ୍କ ନାମରେ ୧୦୮ ଆହୁତି ଦିଆଯାଇଥିଲା। ଅରୁଆଚାଉଳ, ଘିଅ, କାଜୁ, କିସମିସ, ଗୁଜରାତି, ଲବଙ୍ଗ, ଗୋଲମରିଚ, ବାସୁମତି ଅରୁଆ ଚାଉଳ ଏକତ୍ର କରି ଚରୁଅନ୍ନ ପ୍ରସ୍ତୁତ କରି ପ୍ରତ୍ୟେକ ସ୍ବାହାରେ ଚରୁଅନ୍ନ ପକାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବରେ ଶାରଳା ପୀଠରୁ ଘଣ୍ଟଦଳ ମଧ୍ୟ ଆସିଥିଲେ।

ମେଳାକୁ ଆସିଥିବା ଏକ ଶହରୁ ଅଧିକ ସାଧୁ, ସନ୍ନ୍ୟାସୀ ଅନ୍ତିମ ଦିନରେ ନିଜସ୍ବ ବିଧିରେ ଯଜ୍ଞ କରିଥିଲେ। ବ୍ରାହ୍ମଣ ସମାଜ ପକ୍ଷରୁ ରାତିରେ ପାହାଡ଼ର ଶିଖରରେ ପୂର୍ଣ୍ଣାହୁତି ଯଜ୍ଞର ଆୟୋଜନ ହୋଇଥିଲା। ବ୍ରାହ୍ମଣ ସମାଜର ସର୍ବେଶ୍ବର ଆଚାର୍ଯ୍ୟ କହନ୍ତି, ଗୌସ୍ବାମୀ ପୀତାମ୍ବର ଦାଶଙ୍କ ପକ୍ଷରୁ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ବତନ୍ତ୍ର ଭାବରେ ପ୍ରଥମେ ୧୯୫୭ ମସିହା ଏବଂ ପରେ ୧୯୬୧ ମସିହାରୁ ଲଗାତାର ମାଘମେଳାରେ ଯଜ୍ଞ କାର୍ଯ୍ୟ ଆୟୋଜନ କରାଯାଉଛି। ରବିନାରାୟଣ ଦାଶଙ୍କ ତତ୍ବାବଧାନରେ ଆରମ୍ଭରୁ ସୂର୍ଯ୍ୟ ପୂଜା, ଯଜ୍ଞଶାଳା ପୂଜା, ମହାପ୍ରଭୁ ଜଗନ୍ନାଥଙ୍କ ଷୋଡ଼ଶ ଉପଚାର, ବାରଭୁଜା ଦୁର୍ଗାଙ୍କ ଷୋଡ଼ଶ ଉପଚାର, ବିଷ୍ଣୁଙ୍କ ୧୦୮ ନାମ ସହିତ ପୂର୍ଣ୍ଣାହୁତି ହୋଇଛି। ଏହି ଅବସରରେ ଭକ୍ତମାନେ ଦେଇଥିବା ନଡ଼ିଆ ଯଜ୍ଞରେ ଅର୍ପଣ କରାଯାଇଥିଲା। ଆଜିର ଅନ୍ତିମ ଦିନରେ ମାଘମେଳାରେ ସାମିଲ ହେବାକୁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର