ଭୁବନେଶ୍ବର: କଟକରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଆୟୁଷ ମହାନ୍ତିଙ୍କୁ ଭୁବନେଶ୍ବର ଏ’ ଦଳରେ ନଖେଳାଇବାକୁ ନେଇ ପ୍ରଶିକ୍ଷକ ବିବିସିସି ମହାପାତ୍ର ଓ ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟ ରଂଜନ ପରିଜାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଆୟୁଷଙ୍କ ବାପା ଦିବାକର ମହାନ୍ତି ଓ ମା’ ରୋଜାଲିନ୍ ମହାନ୍ତି। ଭୁବନେଶ୍ବର ଦଳ ଚୟନ ବେଳେ ପାତର ଅନ୍ତର କରାଯାଇଥିବା ନେଇ ଉଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ପ୍ରତିଭାବାନ୍ କ୍ରିକେଟର୍ଙ୍କୁ ସୁଯୋଗ ନଦେଇ ନିଜ କ୍ଲବ୍ ଓ ଏକାଡେମିର ଖେଳାଳିଙ୍କୁ ଖେଳାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ ପୂର୍ବରୁ ଇଣ୍ଟ୍ରା କ୍ଲବ୍ ଓ ଅନ୍ତଃଜିଲ୍ଲା ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏଥର ସୁପରଲିଗ୍ ବେଳେ ଆୟୁଷଙ୍କୁ କେବଳ ପାଣି ବୁହାଇବାରେ ନିୟୋଜିତ କରାଯାଇଥିଲା।
ପ୍ରିଲିମିନାରିରେ ଖେଳିଥିବା ୧୪ ଜଣଙ୍କୁ ସୁପରଲିଗ୍ରେ ଖେଳାଯାଇଥିଲା, କିନ୍ତୁ ଆୟୁଷଙ୍କୁ ଗୋଟିଏ ବି ମ୍ୟାଚ୍ରେ ଖେଳିବାକୁ ଦିଆଗଲାନି। ପ୍ରିଲିମିନାରି ପର୍ଯ୍ୟାୟରେ ଟାଣଖରାରେ ତାଙ୍କୁ ୱିକେଟ୍ କିପିଂ କରାଇବା ପରେ ତୁରନ୍ତ ବ୍ୟାଟିଂ କରିବାକୁ ଯିବା ପାଇଁ କହିବାରୁ ଆୟୁଷଙ୍କ ପ୍ରଦର୍ଶନ ଭଲ ହୋଇ ନଥିଲା। ହେଲେ ଇଣ୍ଟ୍ରା କ୍ଲବ୍ କିମ୍ବା ପ୍ରିଲିମିନାରିରେ ଆଦୌ ଖେଳି ନଥିବା ଖେଳାଳିଙ୍କୁ ସୁପରଲିଗ୍ରେ ଖେଳାଇ ବିବିସିସି ମହାପାତ୍ର ପକ୍ଷପାତିତା କରୁଥିବା ଆୟୁଷଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି। ଏଣୁ ଆୟୁଷଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଉଭୟ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟଜଣେ ଅଭିଭାବକ ପ୍ରତାପ ଚନ୍ଦ୍ର ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ।