ଭୁବନେଶ୍ବର: ଆଇଗିଣିଆ ପାତ୍ରପଡ଼ାସ୍ଥିତ ଏସ୍ଭିଏନ୍ କଲେଜ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ କଲେଜ ନାଁରେ ଜଣେ ବିଏସ୍ସି ନର୍ସିଂ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ୪ ବର୍ଷିଆ ବିଏସ୍ସି ନର୍ସିଂ କୋର୍ସ ଶେଷ କରିବା ପରେ ମଧ୍ୟ କଲେଜ୍ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ରେଜିଷ୍ଟ୍ରେସନ୍ଯୁକ୍ତ ସାର୍ଟିଫିକେଟ୍ ଦେଉନଥିବାରୁ ତାଙ୍କ ଭବିଷ୍ୟତ ଉଜୁଡ଼ିବାକୁ ବସିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଛାତ୍ରୀଜଣକ ଗତ ଫେବ୍ରୁଆରି ପହିଲାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ଫଳ ମିଳୁନଥିବା କହିଛନ୍ତି।
ଛାତ୍ରୀଙ୍କ କହିବା ମୁତାବକ, ସେ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଏସ୍ସି ନର୍ସିଂ କୋର୍ସ ଏସ୍ଭିଏନ୍ କଲେଜ୍ରେ ପଢ଼ିଥିଲେ। କଲେଜ୍ରେ ପାଠ ପଢ଼ିବା ପରେ ସେ ସାର୍ଟିଫିକେଟ୍ ହାସଲ କରି ଉଚ୍ଚଶିକ୍ଷା ପାଇଁ ଆବେଦନ କରିବା ବେଳକୁ ସାର୍ଟିଫିକେଟ୍ରେ ରେଜିଷ୍ଟ୍ରେସନ୍ ନଂ ନଥିବାରୁ ତାଙ୍କୁ କେଉଁଠି ଆଡମିସନ୍ ମିଳିନଥିଲା। ଏପରିକି ଚାକିରି ପାଇଁ ଯେକୌଣସି ସଂସ୍ଥାରେ ଆବେଦନ କରିଥିଲେ ବି ରେଜିଷ୍ଟ୍ରେସନ୍ ନମ୍ବର ନଥିବାରୁ ତାଙ୍କୁ ଚାକିରି ମିଳିନଥିଲା। ଏନେଇ ଛାତ୍ରୀଜଣକ ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।