ବଦଳୁଛି ସହରିଆଙ୍କ ଖାଦ୍ୟାଭ୍ୟାସ। ଜଳଖିଆରେ ପାରମ୍ପରିକ ଚୁଡ଼ା, ମୁଢ଼ି, ଛତୁଆ ପ୍ରତି ଲୋକଙ୍କ ଆଉ ଆଗଭଳି ରୁଚି ନାହିଁ। ତେଣୁ ଭିନ୍ନଭିନ୍ନ ସୁଆଦିଆ ଜଳଖିଆ ପରଶିଦେବା ପାଇଁ ରାଜଧାନୀର ପ୍ରମୁଖ ଛକଠାରୁ ଆରମ୍ଭ କରି ଗଳିକନ୍ଦିରେ ଗଢ଼ି ଉଠିଛି ବହୁ ଛୋଟବଡ଼ ଜଳଖିଆ ଦୋକାନ। ବରା, ଆଳୁଚପ୍, ଇଡ୍ଲି, ପୁରୀ, ଉପମା ଓ ଦୋସା ଭଳି ଚକୁଳି-ଡାଲମା, ଚିକେନ୍ କଷା-ପରଟା, ଦହିବରା ଓ ଦହି ରସଗୋଲା ଭଳି ଭିନ୍ନ ସ୍ବାଦର ଜଳଖିଆକୁ ଏବେ ଲୋକ ବେଶି ପସନ୍ଦ କରୁଛନ୍ତି। ଯଦି ଗ୍ରାହକଙ୍କୁ ଖାଦ୍ୟର ସୁଆଦ ରୁଚିଗଲା, ତେବେ ଦୋକାନୀ ନାକେଦମ୍। ଗୁଡ଼କୁ ପିମ୍ପୁଡ଼ି ଘେରିଗଲା ଭଳି ଲୋକେ ଦୋକାନୀକୁ ଘେରି ରହି ଅସ୍ତବ୍ୟସ୍ତ କରି ପକାଇବାର ଦୃଶ୍ୟ ଏବେ ନିତିଦିନିଆ ହୋଇଗଲାଣି। ଗ୍ରାହକଙ୍କୁ କିମିଆ କରୁଥିବା ରାଜଧାନୀର ଏଭଳି କିଛି ଦୋକାନ ଓ ଦୋକାନୀଙ୍କୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି...
ଚକୁଳି-ଡାଲମା ପାଇଁ ଠେଲାପେଲା
ଚକୁଳି ଓଡ଼ିଆଙ୍କର ଏକ ପ୍ରିୟ ପିଠା। କିନ୍ତୁ ପର୍ବପର୍ବାଣୀ କିମ୍ବା ଖାସ୍ କୌଣସି ଉତ୍ସବ ନଥିଲେ ଘରେ ଏ ପିଠାର ଦେଖା ମିଳେନି। କିନ୍ତୁ ପିଠାପ୍ରେମୀଙ୍କ ଲାଳସାକୁ ପ୍ରତିଦିନ ପୂରଣ କରୁଛନ୍ତି ନିବାସ ଭାଇ। ସୂର୍ଯ୍ୟନଗର ଏଲ୍ଆଇସି କାର୍ଯ୍ୟାଳୟ ସାମ୍ନାରେ ନିଜର ଏକ ଛୋଟିଆ ଦୋକାନ ଖୋଲି ସେ ଗ୍ରାହକଙ୍କୁ ସବୁଦିନ ଚକୁଳି-ଡାଲମା ପରଶି ଦେଉଛନ୍ତି। ଏହା ହିଁ ତାଙ୍କୁ ସ୍ବତନ୍ତ୍ର ପରିଚୟ ଆଣି ଦେଇଛି। ନିବାସଙ୍କ ଦୋକାନର କିଛି ନାଁ ନାହିଁ। କିନ୍ତୁ ତାଙ୍କ ଚକୁଳି ତାଙ୍କ ଦୋକାନର ଠିକଣା ଓ ପରିଚୟ ପାଲଟି ଯାଇଛି। ସକାଳୁ ଟେବୁଲ୍ ଉପରେ ତାଙ୍କ ପସରା ମେଲେ। ଥରେ ଦୋକାନ ଖୋଲିବା ପରେ ଆଉ ତାଙ୍କୁ ଫୁରସତ୍ ମିଳେ ନାହିଁ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତାଙ୍କ ଦୋକାନ ଖୋଲୁଥିବା ବେଳେ ସରକାରୀ ଚାକିରିଆଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ ସେଠାରେ ଭିଡ଼ ଜମାନ୍ତି। ୫ଟି ଚକୁଳି ଓ ଡାଲମା ପ୍ଲେଟ୍ର ମୂଲ୍ୟ ୩୦ଟଙ୍କା ରହିଛି। ନିବାସ କୁହନ୍ତି ସେ ଏ ବେପାର ଆରମ୍ଭ କଲା ବେଳେ ରାଜଧାନୀର କୋଉଠି ବି ଚକୁଳି-ଡାଲମା ମିଳୁ ନଥିଲା। ଏବେ କିନ୍ତୁ ତାଙ୍କ ଦେଖାଦେଖି ବହୁ ସ୍ଥାନରେ ଏ ଜଳଖିଆ ପରଶା ଆରମ୍ଭ ହୋଇଗଲାଣି।
ଦହି ରସଗୋଲା
/sambad/media/post_attachments/wp-content/uploads/2022/07/35-16.jpg)
ଦହି ରସଗୋଲା କେବେ ଖାଇଛନ୍ତି? ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏମିତି ଖାଦ୍ୟ ପରଶି ମନୋଜ ଭାଇ ନିଜ ଦୋକାନକୁ ଏକ ନୂଆ ପରିଚୟ ଦେବାରେ ସଫଳ ହୋଇଛନ୍ତି। ପୁରୁଣା ଭୁବନେଶ୍ବର କେଦାରଗୌରୀ ଛକରେ ‘ଭାଇ ଭାଇ ରସଗୋଲା’ରେ ଏଭଳି ଭିନ୍ନ ସ୍ବାଦର ରସଗୋଲା ମିଳୁଛି। ପ୍ରାୟ ୨୦ବର୍ଷ ହେଲା ଏଭଳି ରସଗୋଲା କରି ମିଠାପ୍ରେମୀଙ୍କୁ ଭିନ୍ନ ସ୍ବାଦ ଦେଇ ଆସୁଛନ୍ତି। ଯିଏ ଏଠି ଥରେ ଖାଇଛି, ସେ ବାରମ୍ବାର ଖାଇବାକୁ ମନ କରେ ବୋଲି ମନୋଜ କହନ୍ତି। ରସଗୋଲାକୁ ଶିରାରେ ବୁଡ଼ାଇବା ପରେ ତାକୁ ପୁଣି ଦହିରେ ପକାଯାଏ ବୋଲି ସେ କହନ୍ତି। ଏହାର ଦାମ୍ ୨୦ ଟଙ୍କା ଥିବା ବେଳେ ପ୍ରତ୍ୟେକ ଦିନ ହଜାରେ ପିସ୍ ବିକ୍ରି ହେଉଥିବା ସେ କହିଛନ୍ତି। ଲୋକମାନେ ମିଠା ସହ ଖଟା ପୁଣି ଆମ ଅଦାର ସ୍ବାଦ ଥିବା ଏହି ଚଟ୍ପଟି ଖାଦ୍ୟକୁ ବେଶି ପସନ୍ତ କରୁଛନ୍ତି।
ସକାଳୁ ସକାଳୁ ଚିକେନ କଷା, କଶ୍ମିରୀ ଟିକା
ଚିକେନ୍ କଷା, ଚିକେନ୍ କଶ୍ମିରୀ ଟିକା, ଚିକେନ୍ ଚପ୍, ଚିଲ୍ଲୀ ଚିକେନ୍, ଚିକେନ୍ କୁରମା, ମଟନ୍ କଷା, ପୁରୀ, ପରଟା। ନାକରେ ବାସ୍ନା ବାଜୁବାଜୁ ଆମିଷପ୍ରେମୀଙ୍କ ପାଟିରୁ ଲାଳ ଝରିପଡ଼େ। ଚନ୍ଦ୍ରଶେଖରପୁର ପ୍ରଶାନ୍ତି ବିହାର ରାସ୍ତାରେ ‘ଖବର କୋଲକାତା ଟିଫିନ୍ ଷ୍ଟଲ୍’ରେ ଆମିଷପ୍ରେମୀଙ୍କୁ ସକାଳୁ ସକାଳୁ ଏଭଳି ଜଳଖିଆ ପରଶି ଦିଅନ୍ତି ମାଧବ ଦାସ। ଚିକେନ୍ କଷା ସାଙ୍ଗକୁ ପରଟା ପ୍ଲେଟ୍ର ଦାମ ୮୦ ଟଙ୍କା ଥିବା ବେଳେ ମଟନ୍ କଷାର ଦର ଟିକେ ଅଧିକ। ପ୍ରତିଦିନ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଭିଡ଼ ଜମେ। ମାଧବ କହନ୍ତି, ବିଶେଷକରି କଲେଜ ଛାତ୍ରଛାତ୍ରୀମାନେ ତାଙ୍କ ଦୋକାନକୁ ଆସିଥା’ନ୍ତି। ଦିନ ୧୨ଟା ସୁଦ୍ଧା ସବୁ କିଛି ଶେଷ ହୋଇଯାଏ। ପ୍ରାୟ ୪ବର୍ଷ ହେଲା ସେ ଏଠାରେ ବେପାର କରି ଆସୁଥିବା ବେଳେ ଦିନକୁ ଦିନ ରୋଜଗାର ବଢ଼ୁଥିବା ସେ କହିଛନ୍ତି।
ଏବେ ବି ଟଙ୍କିକିଆ ବରା
/sambad/media/post_attachments/wp-content/uploads/2022/07/36-17.jpg)
ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଥିଲେ ହେଁ ସୁବାସ ଭାଇଙ୍କ ସୁଆଦିଆ ବରାର ମୂଲ୍ୟ ୧ ଟଙ୍କାରୁ ଆଗକୁ ବଢ଼ିନି। ଏହା ହିଁ ତାଙ୍କ ସଫଳତାର ରହସ୍ୟ ବୋଲି ସେ କହନ୍ତି। ଝାରପଡ଼ା ଓଭରବ୍ରିଜ୍ ତଳେ ଫୁଡ୍-ଅନ୍-ହୁଇଲ୍ରେ ସୁବାସ ଭାଇ ଟଙ୍କିକିଆ ବରା, ଆଳୁଚପ୍ ଓ କଟ୍ଲେଟ୍ ଭଳି ଜଳଖିଆ ପରଶି ଦିଅନ୍ତି। ତାଙ୍କର ଦୁଇ ପିଢ଼ି ୨୫ବର୍ଷ ହେଲା ଏଠାରେ ବେପାର କରି ଆସୁଛନ୍ତି। ପୂର୍ବରୁ ବରା, ଆଳୁଚପ୍ ଓ କଟ୍ଲେଟ୍ର ଦାମ୍ ୫୦ ପଇସା ଥିଲା। କିନ୍ତୁ ୫୦ ପଇସାର ଆଉ ମୂଲ୍ୟ କିଛି ନ ରହିବାରୁ ୧୦ବର୍ଷ ତଳେ ତାହା ୧ ଟଙ୍କାକୁ ବୃଦ୍ଧି ପାଇଥିଲା। ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ତାଙ୍କ ଦୋକାନରେ ପ୍ରବଳ ଭିଡ଼ ଜମେ। ସ୍କୁଲ୍, କଲେଜ୍ ପିଲାଙ୍କଠାରୁ ଆରମ୍ଭ କରି ଆଖପାଖ ଦୋକାନୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ଲୋକମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ୨୦ ଟଙ୍କାରେ ସେ ୧୪ଟି ବରା, ଆଳୁଚପ୍ ଓ କଟ୍ଲେଟ୍ ସହ ଘୁଗୁନି ପରଶି ଦିଅନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/34-17.jpg)