ଭୁବନେଶ୍ବର: କେତେବେଳେ ଓଡ଼ିଶୀ ବୃନ୍ଦ ଗାୟନ ପ୍ରେକ୍ଷାଳୟକୁ ରସସିକ୍ତ କରୁଥିଲା ତ ଆଉ କେତେବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ। ପୁଣି ବୃନ୍ଦ ତବଲା ବାଦନ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରୁଥିଲା। ଏହା ସାଙ୍ଗକୁ ସୁନାମ ଅର୍ଜନ କରିଥିବା ଗୁରୁମାନଙ୍କ ସମ୍ପର୍କରେ ଅନାଲୋଚିତ ସାରଗର୍ଭକ ଆଲୋଚନା ଅଗଣିତ ଛାତ୍ରଛାତ୍ରୀଙ୍କ ମନରେ ପ୍ରେରଣାର ମଞ୍ଜି ବୁଣୁଥିଲା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ‘ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି’ ଆନୁକୂଲ୍ୟରେ ତ୍ରିଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉଛ୍ବାସର ରଙ୍ଗ’ ଅବସରରେ ଆଜି ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏମିତି ଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟର ପରିସର।
ଉତ୍ସବକୁ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା, ଏସ୍ସିବି ମେଡିକାଲ କଲେଜ୍ର ପ୍ରାଧ୍ୟାପିକା ସସ୍ମିତା ସ୍ୱାଇଁ ଓ ବିଶିଷ୍ଟ ସାହିତ୍ୟିକା ମମତା ବେବର୍ତ୍ତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଗୁରୁ କରୁଣାକର ନାୟକ ଓ ସାଥୀ ବୃନ୍ଦ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀନ ଗାନ କରିଥିଲେ। ଏହାପରେ ଗୁରୁ ଚନ୍ଦନ ଜେନା, ମଧୁସ୍ମିତା ମଲ୍ଲିକ, ରଞ୍ଜିତା ଚୌଧୁରୀ, ସୁଜାତା ପଣ୍ଡା, ଗନ୍ଧର୍ବ ଜେନା, ପ୍ରଶାନ୍ତ ଜେନା, ଦେବେନ୍ଦ୍ର ନାରାୟଣ ଶତପଥୀ ପ୍ରମୁଖ ଏକକ ଗାନ କରିଥିଲେ। ବୃନ୍ଦ ତବଲା ବାଦନ କରିଥିଲେ ଗୁରୁ ବିନୋଦ ବିହାରୀ ରାଉତ ଓ ସାଥୀ। ସନ୍ଧ୍ୟାରେ ଗୁରୁ କୁଳମଣି ସାହୁ ଓ ସାଥୀ ବୃନ୍ଦ ତବଲା ବାଦନ, ଗୁରୁ ମୁରଲୀଧର ସ୍ବାଇଁ ଓ ସାଥୀ ଓଡ଼ିଶୀ ବୃନ୍ଦ ଗାୟନ, ଗୁରୁ ଶାନ୍ତନୁ ପଣ୍ଡା ଓ ବିଭୁଦତ୍ତ ନାୟକ ଦୈତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ଗୁରୁ ପ୍ରଭାତ ସ୍ବାଇଁ ଓ ସାଥୀ ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ରଂଜନ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ନାଟକ ‘ଲେଡିଜ୍ ହଷ୍ଟେଲ’ ପରିବେଷଣ କରାଯାଇଥିଲା। ଏହି ଅବସରରେ ଗୁରୁ ନିରଞ୍ଜନ ରାଉତ, ସ୍ନେହପ୍ରଭା ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ମହନ୍ତଙ୍କୁ ସମ୍ମାନିତ କରାଯାଇଥିଲା।