ଭୁବନେଶ୍ୱର: ଉତ୍ପାତ କଲେଣି ଜମ୍‌ତରା ଗ୍ୟାଙ୍ଗ୍‌। ଯୋଜନ ଯୋଜନ ଦୂରରେ ବସି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ରାଜଧାନୀ ସମେତ ପୂରା ରାଜ୍ୟରେ ଏହି ଠକଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସ୍‌କୁ ସଫଳତା ମିଳି ପାରୁନାହିଁ। ଲୁଟ୍‌ ବେଳେ ସେମାନେ ଏମିତି ତରିକା ଆପଣାଉଛନ୍ତି, ଯାହାଦ୍ବାରା ପୁଲିସ୍‌ ସେମାନଙ୍କ ଟେର୍‌ ପାଇପାରୁନାହିଁ। ଏକମାତ୍ର ସୁରାକ୍‌ ମୋବାଇଲ ନମ୍ବରକୁ ଧରି ପୁଲିସ୍‌ ରାଜ୍ୟରୁ ରାଜ୍ୟ ବୁଲୁଛି। କିନ୍ତୁ ‘ହତାଶ’ ଛଡ଼ା ଆଉ କିଛି ମିଳୁନାହିଁ। କରୋନା କାଳରେ ଏହି ଗ୍ୟାଙ୍ଗ୍‌ର ଉତ୍ପାତ ସବୁଠାରୁ ବେଶି ଥିଲା। ଚଳିତବର୍ଷ କେବଳ ଦ୍ବୈତନଗରୀ (କଟକ-ଭୁବନେଶ୍ବର)ରେ ଏମିତି ଜମ୍‌ତରା ଗ୍ୟାଙ୍ଗ୍‌ ଦ୍ବାରା ଶିକାର ୧୦୦ରୁ ଊର୍ଧ୍ବ ମାମଲା ରୁଜୁ ହୋଇଛି। ତେବେ ପଞ୍ଜୀକୃତ ମାମଲାଠାରୁ ଠକେଇ ସଂଖ୍ୟା ଢେର୍‌ ଅଧିକ ବୋଲି ଜଣାଯାଇଛି। ସମ୍ମାନ ଦୃଷ୍ଟିରୁ ଅନେକ ଅଭିଯୋଗ ଥାନାକୁ ଆସିନାହିଁ। ତେବେ ଲୁଟେରାଙ୍କ ପର୍ଦ୍ଦାଫାସ୍‌ କରିବା ପାଇଁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଓ ମୋବାଇଲ୍‌ ଅପରେଟରଙ୍କଠାରୁ ମଧ୍ୟ ଆଶାନୁରୂପ ସହଯୋଗ ମିଳୁ ନଥିବାରୁ ଲୁଟେରାମାନେ ଗୋଟାଏ ପରେ ଗୋଟାଏ ଅପରାଧ ଘଟାଇ ଚାଲିଛନ୍ତି। ପୁଲିସ୍‌ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏଭଳି କହି ନିଜର କ୍ଷୋଭ ଓ ଅସହାୟତା ପ୍ରକାଶ କରିଛନ୍ତି।

Advertisment

ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଠକେଇର ଶିକାର ହୋଇଥିବା ଲୋକ ପାଖରେ ଲୁଟେରା ବାବଦରେ କୌଣସି ସୂଚନା ରହୁନାହିଁ। ଏକମାତ୍ର ସୁରାକ୍‌ ‌ମୋବାଇଲ୍‌ ନମ୍ବରକୁ ଧରି ପୁଲିସ୍‌ ତଦନ୍ତ କରୁଛି। ତଦନ୍ତ ବେଳେ ଜଣାପଡ଼ୁଛି କି ଲୁଟେରା ଡାର୍କୱେବ୍‌ ଜରିଆରେ ଲୋକଙ୍କୁ ଫୋନ୍‌ କରୁଛି। ଫଳରେ ସେମାନଙ୍କୁ ଧରିବା କଷ୍ଟ ହେଉଛି। ଆଉ କେତୋଟି ମାମଲା‌ରେ ଯେଉଁ ସିମ୍‌କାର୍ଡ ବ୍ୟବହାର ହେଉଛି, ତାହାର ମା’ ବାପା କେହି ନାହାନ୍ତି। ସିମ୍‌ କାର୍ଡ ଯାହା ନାଁରେ ରେଜିଷ୍ଟର୍‌ ହୋଇଛି, ସେ ଲୋକ ମୃତ କିମ୍ବା ଦିଆଯାଇଥିବା ଡକ୍ୟୁମେଣ୍ଟ ନକଲି। ଆଉ କେତେକ ମାମଲାରେ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ବ୍ୟବହାର ହୋଇଛି। ଯାହା ସହଜରେ ୫ଶହ ଟଙ୍କାରେ ମିଳି ଯାଉଛି। ଫଳରେ ଠକକୁ ଧରିବା ସମ୍ଭବ ହେଉ ନାହିଁ।

ଠକର ଅନ୍ୟ ଏକ ସୁରାକ୍‌ ହେଉଛି ବ୍ୟାଙ୍କ୍‌ ଆକାଉଣ୍ଟ। ଠକ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଥାଏ। ଏହି ଆକାଉଣ୍ଟ ନମ୍ବର ଆଧାରରେ ତଦନ୍ତ କଲା ବେଳେ ମଧ୍ୟ ବିଚିତ୍ର ପରିସ୍ଥିତି ଦେଖାଯାଇଛି। ଯେଉଁ ଆକାଉଣ୍ଟକୁ ଠକେଇ ଟଙ୍କା‌ ସ୍ଥାନାନ୍ତର ହୋଇଥାଏ ସେହି ବ୍ୟାଙ୍କ୍‌ରୁ ଖାତାଧାରୀର କେୱାଇସି ବାବଦରେ ସଠିକ୍‌ ତଥ୍ୟ ମିଳୁନାହିଁ। କେତେକ ‌କ୍ଷେତ୍ରରେ ଟଙ୍କା ଉଠାଇ ନେବା ପରେ ଠକ ଆକାଉଣ୍ଟକୁ ବନ୍ଦ କରି ଦେଉଥିବା ଦେଖାଯାଇଛି। ବ୍ୟାଙ୍କରୁ ମଧ୍ୟ ଉପଯୁକ୍ତ ସୂଚନା ମିଳୁ ନଥିବାରୁ ତଦନ୍ତ ଆଗକୁ ବଢ଼ିବା ସମ୍ଭବ ହେଉନାହିଁ। ଉଭୟ କ୍ଷେତ୍ରରେ ମୋବାଇଲ ଅପରେଟର୍‌ ଓ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। ଯେଉଁସବୁ ସିମ୍‌କାର୍ଡ ବ୍ୟବହାର ହେଉଛି, ତାହାର ଉପଯୁକ୍ତ କେୱାଇସି ଅପରେଟର୍‌ଙ୍କ ପାଖରେ ମହଜୁଦ ରହିବା ଜରୁରୀ। ଉଚିତ ସମୟରେ ସେମାନେ ସହଯୋଗ କରୁନାହାନ୍ତି କିମ୍ବା ଅପରେଟର୍‌ଙ୍କ ପାଖରେ ଯଥେଷ୍ଟ ସୂଚନା ରହୁନାହିଁ। ଫଳରେ ସଫଳତା ମିଳୁନାହିଁ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ଓ ମୋବାଇଲ ଅପରେଟରଙ୍କ ସହ ଆଲୋଚନା ହୋଇଛି। କୌଣସି ସିମ୍‌କାର୍ଡ ଯେଭଳି ନକଲି କେୱାଇସିର ଜାରି ହେବ ନାହିଁ, ସେ ନେଇ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ମଧ୍ୟ ବ୍ୟାଙ୍କ୍‌ ଠକେଇ ତଦନ୍ତରେ ପୁଲିସକୁ ସହଯୋଗ କରିବା ପାଇଁ ସ୍ବତନ୍ତ୍ର ଅଫିସର ରଖିବା ଜରୁରୀ ବୋଲି କହିଛନ୍ତି କମିସନର ଶ୍ରୀ ଷଡ଼ଙ୍ଗୀ।