ଭୁବନେଶ୍ବର: ରାଜଧାନୀ ରାସ୍ତାକଡ଼ରୁ ଖୁଣ୍ଟ ହଟିବ। ମୁଣ୍ଡ ଉପରେ କୌଣସି ତାର ରହିବନି। ଭୂତଳ କେବୁଲ ଜରିଆରେ ବିଦ୍ୟୁତ୍ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ସେବା ପର୍ଯ୍ୟନ୍ତ ସବୁ ଉପଲବ୍ଧ ହେବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ବିଛାଇଥିବା ଭୂତଳ କେବୁଲ ଜରିଆରେ ସମସ୍ତ ସେବା ଉପଲବ୍ଧ ହେବ। ଏନେଇ ବିଏସ୍ସିଏଲ୍ ବିଏମ୍ସିକୁ ଚିଠି ଲେଖି ଅବଗତ କରାଇଛି। କିନ୍ତୁ ଏୟାରଟେଲ୍ ଟେଲିସୋନିକ୍ ନେଟ୍ୱର୍କକୁ ୮୯୨୨ ଖୁଣ୍ଟ ପୋତି ତାର ଟାଣିବା ପାଇଁ ବିଏମ୍ସି ସ୍ବୀକୃତି ଦେଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବି ବିଏମ୍ସି ବେଶ୍ କିଛି ଦିନ ଧରି ନିରବ ରହିଥିଲା।
ତେବେ କମିସନର ଏହି ଘଟଣାକୁ ନେଇ ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। କେଉଁଠି କେତେ ଖୁଣ୍ଟ ପୋତା ଯାଇଛି ? ଖୁଣ୍ଟ ପୋତିବା ବେଳେ ବିଏମ୍ସି ଦେଇଥିବା ସ୍ବୀକୃତି ଅନୁପାଳନ ହୋଇଛି କି ନାହିଁ ତାହାର ରିପୋର୍ଟ ଦେବାପାଇଁ ସେ ସମସ୍ତ ଜୋନାଲ ଡେପୁଟି କମିସନର(ଜେଡ୍ଡିସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବର ସମ୍ପର୍କରେ ଚିଠିରେ ଉଲ୍ଲେଖ କରିବା ସହ ନିର୍ଦ୍ଦେଶକୁ ଗୁରୁତ୍ବର ସହ ନେବାକୁ ଅଧିକାରୀମାନଙ୍କୁ କହିଛନ୍ତି।
ତେବେ ବିଏମ୍ସି ଦ୍ବାରା ପ୍ରଦତ୍ତ ସ୍ବୀକୃତିରେ ରହିଥିବା ସର୍ତ୍ତ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରିବା ପାଇଁ କୁହାଯାଇଛି। କିନ୍ତୁ ବିଏମ୍ସି ବିଏସ୍ସିଏଲ୍ର ନିଷ୍ପତ୍ତିକୁ ନ ମାନି କିଭଳି ସ୍ବୀକୃତି ଦେଲା, ତାହା ଉପରେ କମିସନର ପ୍ରଶ୍ନ ଉଠାଇ ନାହାନ୍ତି। ଯେଉଁଠି ସ୍ବୀକୃତି ଦେବାରେ ତ୍ରୁଟି ରହିଛି, ସେଠାରେ ସର୍ତ୍ତ ପାଳନ ହୋଇଛି କି ନାହିଁ, ତାହାର ତଦନ୍ତ କରିବା ମୂଲ୍ୟହୀନ ବୋଲି ଅନେକେ କହିଛନ୍ତି। ଅନ୍ୟପଟେ ପୂର୍ତ୍ତ ବିଭାଗ ରାସ୍ତାରେ ଏଭଳି ଖୁଣ୍ଟ ପୋତା ଯାଇଥିବାରୁ ପୂର୍ତ୍ତ ବିଭାଗ ଏହି କାରବାର ଉପରେ ପ୍ରଶ୍ନ ଉଠାଇଛି।
କେବଳ ପ୍ରଶ୍ନ ଉଠାଇ ନାହିଁ ବରଂ ରାସ୍ତାର ମେଡିଆନ୍ ଓ ଆଇଓଡବ୍ଲୁରେ ଖୁଣ୍ଟ ପକାଯାଇ ପାରିବ ନାହିଁ ବୋଲି ବିଏମ୍ସି ସ୍ବୀକୃତି ପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଇଥିବା ନଜରକୁ ଆସିବା ପରେ ବେଆଇନ ଖୁଣ୍ଟକୁ ଉଠାଇବାକୁ ନିର୍ଦ୍ଦେଶ ଦେଇଛି। ତା’ ସହିତ ଖୁଣ୍ଟ ପୋତିବାକୁ ହେଲେ ପୂର୍ତ୍ତ ବିଭାଗଠାରୁ ଅନୁମତି ନେବାକୁ ଚିଠି ଲେଖିଛି। ପୂର୍ତ୍ତ ବିଭାଗ ସମ୍ପୃକ୍ତ ସଂସ୍ଥାକୁ ଏଭଳି ଚିଠି ଲେଖିଛି। ବିଏସ୍ସିଏଲ୍ ବିଏମ୍ସିକୁ ଖୁଣ୍ଟ ପୋତିବାକୁ ସ୍ବୀକୃତି ନ ଦେବାକୁ ଚିଠି ଲେଖିଛି। ଏବେ କମିସନର ଖୁଣ୍ଟ ବେଆଇନ ଭାବରେ ପୋତା ଯାଉଛି କି ନାହିଁ, ତାହାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି। କିନ୍ତୁ ଏ ଯାବତ୍ ବିଏସ୍ସିଏଲ୍, ପୂର୍ତ୍ତ ଓ ବିଏମ୍ସିଙ୍କ ମଧ୍ୟରେ ଆଲୋଚନା ହୋଇନାହିଁ। କେବଳ ଚିଠି ପତ୍ର ଦେଣନେଣ ଚାଲିଛି।
ସୂଚନାଯୋଗ୍ୟ, ଖୁଣ୍ଟ ପୋତି ମୁଣ୍ଡ ଉପରେ ତାର ନେବା ପାଇଁ କୌଣସି ସଂସ୍ଥାକୁ ସ୍ବୀକୃତି ନ ଦେବାକୁ ବିଏସ୍ସିଏଲ୍ ସିଇଓ ତଥା ବିଏମ୍ସି କମିସନର ବିଏମ୍ସିକୁ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ଚିଠି ଲେଖି ତାଗିଦ୍ କରିଥିଲେ। ସେହି ମାସରେ ହିଁ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଆଇଟି ବିଭାଗ ପୂର୍ତ୍ତ ଓ ଅନ୍ୟ ବିଭାଗମାନଙ୍କୁ ଚିଠି ଲେଖି ଏ ବାବଦରେ ଅବଗତ କରିଥିଲା। ଏ ସବୁ ସତ୍ତ୍ବେ ବିଏମ୍ସି ଡେପୁଟି କମିସନର (ରାଜସ୍ବ) ଗତ ବର୍ଷ ଡିସେମ୍ବର ୨ରେ ଲାଇସେନ୍ସ ଫି’ ବାବଦକୁ ସଂସ୍ଥା ଠାରୁ ୨୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜମା ରଖି ସହର ସାରା ୮୯୨୨ ଖୁଣ୍ଟି ପକାଇବାକୁ ଘରୋଇ ସଂସ୍ଥା ଏୟାରଟେଲ୍ ଟେଲିସୋନିକ୍ ନେଟ୍ୱର୍କକୁ ଅନୁମତି ଦେଇଛନ୍ତି। ଏହି ତାର ଭୂତଳରେ ଯାଇଥିଲେ ବିଏସ୍ସିଏଲ୍ ପାଖରେ ଲିଜ୍ ବାବଦରେ ବର୍ଷକୁ ପ୍ରାୟ ୪କୋଟି ଟଙ୍କା ଜମା କରିବାକୁ ପଡ଼ିଥା’ନ୍ତା। କିନ୍ତୁ ସଂସ୍ଥାକୁ ବିଏମ୍ସି ବେଆଇନ ଭାବେ ୨୨ଲକ୍ଷ ୩୦ ହଜାର ୫ଶହ ଟଙ୍କାରେ ଏହି ସୁବିଧା ଦେଇଛି।