ଭୁବନେଶ୍ବର: ଶନିବାର ବିଏମ୍ସିର ନୂଆ ମେୟରଙ୍କ ସମେତ ୬୭ କର୍ପୋରେଟର ଓ ଡେପୁଟି ମେୟର ଶପଥ ଗ୍ରହଣ କରିବେ। ଦୀର୍ଘ ୩ ବର୍ଷ ଧରି ଏହି ପଦ ଫାଙ୍କା ପଡ଼ିବା ପରେ ନୂଆ ଜନପ୍ରତିନିଧି ଦାୟିତ୍ବ ନେବେ। ଏହାକୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଯାଉଛି ବିଏମ୍ସି। ତେବେ ଏହି ଉତ୍ସବରେ ବିଏମ୍ସିର ପ୍ରଶାସନିକ ମୁଖ୍ୟ କମିସନର୍ ସଞ୍ଜୟ ସିଂହ ରହିବେନି। ଆସନ୍ତାକାଲି ଠାରୁ ସେ ଲମ୍ବା ଛୁଟିରେ ଯାଉଥିବା କୁହାଯାଉଛି। ବିଏମ୍ସି ଅଫିସ୍ ଆଦୌ ଆସୁନଥିବା ନେଇ ବିବାଦରେ ରହିଥିବା ଶ୍ରୀ ସିଂହ ଏଭଳି ଏକ ପର୍ବରେ ନ ରହିବା ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।
ଭୁବନେଶ୍ବରର ପ୍ରଥମ ନାଗରିକ ତଥା ବିଏମ୍ସି ମେୟରଙ୍କ ଶପଥ ଗ୍ରହଣ ଉତ୍ସବରେ କମିସନର୍ ନ ରହିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଏକ ବିଡ଼ମ୍ବନା ବୋଲି କୁହାଯାଉଛି। ପ୍ରଶ୍ନ ଉଠୁଛି, ୯ ତାରିଖରୁ କମିସନର୍ ଛୁଟିରେ ଯାଉଥିଲା ବେଳେ ସେହି ଦିନ କିଛି ଘଣ୍ଟା ରହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାରେ ଅସୁବିଧା କେଉଁଠି ଥିଲା? ବାସ୍ତବରେ କିଛି ଜରୁରୀ କାମ ଅଛି ନା ଏହା ପଛରେ ଆଉ କିଛି କାରଣ ରହିଛି? ବିଏମ୍ସିର ମୁଖିଆ ହୋଇ ସବୁବେଳେ ଲୋକଙ୍କ ଠାରୁ ଦୂରରେ ରହୁଥିବା ଶ୍ରୀ ସିଂହ ନିର୍ବାଚିତ ପ୍ରତିନିଧିମାନଙ୍କୁ ବି କ’ଣ ସ୍ବାଗତ କରିବାକୁ କୁଣ୍ଠାବୋଧ କଲେ? ନିଜର ବରିଷ୍ଠତା ଦୃଷ୍ଟିରୁ କମ୍ ପାହ୍ୟାରେ ଥିବାରୁ ଶ୍ରୀ ସିଂହ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଏପରି କରୁଛନ୍ତି କି?
ଗତ ୨୦୨୧ ମେ’ ମାସରେ ବିଏମ୍ସି କମିସନର୍ ଭାବେ ସଞ୍ଜୟ ସିଂହ ଯୋଗ ଦେବା ପରେ ବିବାଦରେ ଥିଲେ। ତାଙ୍କ ମୂଳ ନିଯୁକ୍ତି ବିଏମ୍ସିରେ ହୋଇଥିଲା ବେଳେ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ସେ ବିଏମ୍ସି ଅଫିସ୍ ନ ଆସି ବିଡିଏ ଅଫିସ୍ରେ ବସୁଛନ୍ତି। ବିଡିଏ ଅଫିସ୍ରେ ତାଙ୍କ ପାଖକୁ ସାଧାରଣ ଲୋକଙ୍କର ପ୍ରବେଶ ନିଷେଦ୍ଧ ରହିଛି। ସାଧାରଣ ଲୋକ ଭେଟିବାକୁ ଗଲେ ପ୍ରଥମେ କରୋନା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା। ପରେ ଆଧାରକାର୍ଡ ଦେଖାଇବାକୁ ପଡ଼ୁଥିଲା। ଯଦି ଏ ସବୁ ଉପଲବ୍ଧ ହେଉଥିଲା ତେବେ କର୍ମଚାରୀଙ୍କର ପ୍ରଶ୍ନ ଥିଲା ‘କଣ କାମ?’ ଏଭଳି ବିଭିନ୍ନ ବାହାନା କରି କର୍ମଚାରୀ ହିଁ ସମସ୍ତଙ୍କୁ ଫେରାଇ ଦେଉଥିଲା। ଏଭଳି ଆଦେଶ କମିସନରଙ୍କ ପାଖରୁ ହିଁ ରହିଥିବା ଚର୍ଚ୍ଚା ହେଉଥିଲା। ୨୦୧୯ ଜାନୁଆରିରେ ନିର୍ବାଚିତ କର୍ପୋରେଟର୍ଙ୍କ କାର୍ଯ୍ୟକାଳ ସରିବା ପରେ ବିଏମ୍ସିରେକମିସନର୍ ହିଁ ସର୍ବେସର୍ବା ପାଲଟିଥିଲେ। ସାଧାରଣତଃ କମିସନର୍ ସିଧାସଳଖ ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନର ବାଟ ବାହାର କରନ୍ତି। କିନ୍ତୁ ସାଧାରଣ ଲୋକ ଯେମିତି କମିସନରଙ୍କୁ ଗନ୍ଧ ହେଉଥିବା ଅନୁଭବ ହୋଇଥିଲା।
ଏକ ଦୁଃଖଦ ଘଟଣାରେ ସବୁଠାରୁ ବେଶି ଚର୍ଚ୍ଚାକୁ ଆସିଥିଲେ କମିସନର ଶ୍ରୀ ସିଂହ। ବର୍ଷ ବର୍ଷ ଧରି ରାଜଧାନୀରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଅସରାଏ ବର୍ଷାରେ ରାଜଧାନୀବାସୀ ଜଳବନ୍ଦୀ ହୋଇ ପଡ଼ୁଥିଲେ। ଘରେ ନଳାପାଣି ଲହଡ଼ି ମାରିବା ସହ ଦାଣ୍ଡରେ ସୁଅ ପଡ଼ୁଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ନଳା ପାଣିରେ ଭାସି ଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ହେଲେ କମିସନର ଘଟଣାସ୍ଥଳକୁ ଗଲେ ନାହିଁ କି ପରିବାରବର୍ଗଙ୍କ ନିକଟକୁ ଯାଇ ସମବେଦନା ଜଣାଇବାକୁ ଉଚିତ ମଣିଲେ ନାହିଁ। ଯେଉଁଥିପାଇଁ ବିଭିନ୍ନ ମହଲରୁ ସେ ନିନ୍ଦାର ପାତ୍ର ହୋଇଥିଲେ। କାର୍ଯ୍ୟଭାର ନେବା ଦିନ ଠାରୁ ସାଧାରଣ ଲୋକ ଓ ଲୋକପ୍ରତିନିଧିଙ୍କୁ ପାଖରେ ପୁରାଇ ଦେଉନଥିବା କମିସନର ଏବେ ନବନିର୍ବାଚିତ ଲୋକ ପ୍ରତିନିଧିଙ୍କ ଠାରୁ ଦୂରରେ ରହିବାକୁ ଯୋଜନା କରିଛନ୍ତି। ପ୍ରଥମ ଦିନରୁ ହିଁ ସେ ଅଲଗା ରହିବାକୁ ଯେମିତି ସେ ନିଷ୍ପତ୍ତି ନେଇଥିବା ତାଙ୍କ ଛୁଟିନେବାରୁ ଜଣାପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/27-6.jpg)