କଟକ ପରେ ରାଜଧାନୀରେ ଗଣେଶ ପୂଜା ପାଇଁ କମିଟିଙ୍କ ନିବେଦନ, ସରକାରଙ୍କ ନିୟମ ମାନି ପୂଜା କରିବୁ

ଭୁବନେଶ୍ବର: ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ନିର୍ମିତ ଥିମ୍‌ ଗଣେଶ, ୪୦ ବା ୪୫ ଫୁଟର ସର୍ବୋଚ୍ଚ ଗଣେଶ ମୂର୍ତ୍ତି, ଚାଉଳ, ବିରି, ମୁଗ, କାଇଁଚ ଓ ଚେରି ପ୍ରସ୍ତୁତ ଆକର୍ଷଣୀୟ ଗଣେଶ ଅବା ୩୦ କେଜିର ବିଶାଳକାୟ ଲଡୁ ଧରି ବିଶାଳ ଗଣେଶ ନିର୍ମାଣ କରି ବିଭିନ୍ନ ସମୟରେ ନିଆରା ଢଙ୍ଗରେ ମଣ୍ଡପରେ ପାଳିତ ହେଉଥିବା ଭୁବନେଶ୍ବରର ଗଣେଶ ପୂଜା ଗତବର୍ଷ କରୋନା ମାଡ଼ରେ ରଙ୍ଗହୀନ ହୋଇଯାଇଥିଲା। ପାର୍ବତୀନନ୍ଦନ କେବଳ ଶିକ୍ଷାନୁଷ୍ଠାନ ଓ ଘରେ ଘରେ ପୂଜା ପାଇଲେ ସିନା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେନାହିଁ। ମଣ୍ଡପରେ ଗଣେଶ ପୂଜାର ବିଶାଳକାୟ ଓ ନିଆରା ଆୟୋଜନ ହେଲା ନାହିଁ କି ସହର ଦୁଲୁକିଲା ନାହିଁ। ହେଲେ ଚଳିତ ବର୍ଷ ମଣ୍ଡପରେ କରୋନା କଟକଣା ଓ ଅଳ୍ପ ଲୋକରେ ଗଣେଶ ପୂଜା ହୋଇପାରିବ ବୋଲି କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଭୁବନେଶ୍ବରର ପୂଜା କମିଟିମାନେ ମଣ୍ଡପ ପୂଜାକୁ ନେଇ ଆଶା ବାନ୍ଧିଲେଣି। କରୋନା କଟକଣା ଓ ସରକାରଙ୍କ ସମସ୍ତ ନିୟମ ମାନି ଗଣେଶ ପୂଜା କରିବୁ; ଏଣୁ ଭୁବନେଶ୍ବରରେ ବି ମଣ୍ଡପ ପୂଜାକୁ ଅନୁମତି ମିଳୁ ବୋଲି ସମସ୍ତ ଗଣେଶ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି।

ମଣ୍ଡପ ପୂଜାକୁ ଅନୁମତି ମିଳୁ
ଏବେ ଧୀରେଧୀରେ କରୋନାର ପ୍ରକୋପ କମିବାରେ ଲାଗିଛି। ଏଥିସହ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। କଟକ ଜିଲ୍ଲାରେ କରୋନା କଟକଣା ଭିତରେ ମଣ୍ଡପରେ ଗଣେଶ ପୂଜାକୁ ଅନୁମତି ମିଳିଛି। ଭୁବନେଶ୍ବରକୁ ବି ଏହି ଅନୁମତି ମିଳିଲେ ଭଲ ହେବ। ସେମିତିରେ କଟକର ଜନସଂଖ୍ୟା ଅପେକ୍ଷା ଭୁବନେଶ୍ବରର ଜନସଂଖ୍ୟା କମ୍‌। ଅନ୍ୟପଟେ ସରକାର ଏହାକୁ ନେଇ କଡ଼ା ନିୟମ ଜାରି କରନ୍ତୁ। କିନ୍ତୁ ମଣ୍ଡପ ପୂଜା ପାର୍ଇ ଅନୁମତି ଦିଅନ୍ତୁ। କରୋନା ମହାମାରୀର ନକରାତ୍ମକ ଛାୟା ଭିତରେ ପୂଜା, ହୋମର ସକରାତ୍ମକ ଉର୍ଜା ବ୍ୟାପିବା ଜନହିତକାରୀ ହେବ।
ବିକାଶ ରଞ୍ଜନ ଗୌଡ଼, ସମ୍ପାଦକ, ୟୁନିଟ୍‌-୮ ଗଣେଶ ପୂଜା କମିଟି

ଆଗ ଭଳି ଜାକଜମକରେ ପୂଜା କରିବୁନି
ଗତବର୍ଷ ମହାମାରୀ ଯୋଗୁଁ ମଣ୍ଡପରେ ଗଣେଶ ପୂଜା ବନ୍ଦ ରହିଲା। ଚଳିତ ବର୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହେଉ। ଆମେ ଆଗ ଭଳି ଜାକଜମକରେ ମଣ୍ଡପରେ ପୂଜା କରିବୁ ନାହିଁ। କିନ୍ତୁ ମଣ୍ଡପରେ ଗଣେଶ ପୂଜାକୁ ଅନୁମତି ମିଳୁ। ଆମେ ଆୟୋଜକମାନେ ସରକାରଙ୍କ ପ୍ରଦତ୍ତ ଗାଇଡ୍‌ଲାଇନ୍‌ ମାନିବୁ। ଲୋକଙ୍କ ଭିତରେ ସଚେତନତା ବି ସୃଷ୍ଟି କରିବୁ। କିନ୍ତୁ ମଣ୍ଡପରେ ଗଣେଶ ପୂଜାକୁ ହେବାକୁ ଦିଆଯାଉ।
ସଂଗ୍ରାମ୍‌ ମାର୍ଥା, ସମ୍ପାଦକ, ବ୍ରାଇଟ୍‌ ଷ୍ଟାର କ୍ଲବ୍‌

ସବୁ କଥାକୁ ତର୍ଜମା କରି ସରକାର ନିଷ୍ପତ୍ତି ନିଅନ୍ତୁ
ଧର୍ମୀୟ ଭାବନାକୁ କୁଠାରଘାତ ନ କରି ମଣ୍ଡପରେ ପୂଜାକୁ ଅନୁମତି ମିଳୁ। କିନ୍ତୁ ସରକାର ଏ ନେଇ କଠୋର ନିୟମ ବି ପ୍ରଣୟନ କରନ୍ତୁ। କିନ୍ତୁ ସେଇ କରୋନା ଭିତରେ କୌଣସି କାମକୁ ନ ଅଟକାଇ ସବୁ କାମ ଚାଲୁ। ଅନ୍ୟପଟେ ଅଗଷ୍ଟ ଶେଷ ଓ ସେପ୍ଟେମ୍ବର ଆରମ୍ଭ ଆଡ଼କୁ କରୋନାର ତୃତୀୟ ଲହର ଆସିବ ବୋଲି ଚର୍ଚ୍ଚା ହେଉଛି। ଏଣୁ ସରକାର କିଛି ବି ଘୋଷଣା କରିବା ପୂର୍ବରୁ ଏ ନେଇ ଭଲ ଭାବେ ତର୍ଜମା କରନ୍ତୁ। ନଚେତ ଏବେ ଅନୁମତି ମିଳିବା ପରେ ସମସ୍ତେ ପ୍ରସ୍ତୁତି ଆରମ୍ଭ କରି ଗୁଡ଼ାଏ ଟଙ୍କା ସାରିବା ପରେ ବନ୍ଦ ହେଲେ ତାହା ଯନ୍ତ୍ରଣାଦାୟକ ହେବ। ଏଣୁ କ’ଣ କରିବାକୁ ହେବ ସମସ୍ତେ ବିଚାର କରି ନିଷ୍ପତ୍ତି ନେଲେ ଭଲ।
ନାରାୟଣ ମହାପାତ୍ର, ଉପଦେଷ୍ଟା, ୱିନର୍ସ ଆସୋସିଏସନ୍‌

ସମ୍ବନ୍ଧିତ ଖବର