ଦେଶୀୟ ସାମଗ୍ରୀ ରପ୍ତାନି କରିବ ଆୟିରା କମ୍ପାନି, ଉପକୃତ ହେବେ ଚାଷୀ ଓ କୃଷି ଶ୍ରମିକ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବନମାଳିପୁରସ୍ଥିତ ଆୟିରା ଏକ୍ସପୋର୍ଟ କମ୍ପାନି ଏଣିକି ବିଦେଶକୁ ମାଟି ତିଆରି ଜିନିଷ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କୃଷିଜାତ ସାମଗ୍ରୀ ରପ୍ତାନୀ କରିବ। ଫଳରେ ବାଲିପାଟଣା ଅଞ୍ଚଳର ଶିଳ୍ପୀ, କୃଷକ ଓ କୃଷି ଶ୍ରମିକମାନେ ରୋଜଗାର ପାଇ ଉପକୃତ ହେବେ। ଆଜି ବନମାଳିପୁର ବଜାରରେ ଏହି କମ୍ପାନିର ଶୁଭ ଉଦ୍‌ଘାଟନ ଅବସରରେ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର କୃଷକ, ମତ୍ସ୍ୟଚାଷୀ ଓ ମାଟି କାମ କରୁଥିବା କୁମ୍ଭକାରମାନେ ରୋଜଗାରର ନୂତନ ରାହା ପାଇବା ନେଇ ଆଶାବାଦୀ ହୋଇ ପଡ଼ିଛନ୍ତି।

ସୂଚନାନୁସାରେ ଆୟିରା କମ୍ପାନି ତରଫରୁ ନଡ଼ିଆ, ଗୁଆ, ଗୋଲମରିଚ, ଗୁଜୁରାତି, ଜାଇଫଳ, ଅଳେଇଚ, ଡାଳଚିନ, ଡାଲି ଜାତୀୟ ଶସ୍ୟ ( ବିରି, ମୁଗ ), ମକା, ମାଛ ଦାନା, ଶୁଖୁଆ, ଚା ଆଦି ସାମଗ୍ରୀକୁ ଏଠାରୁ ପ୍ରକ୍ରିୟାକରଣ କରାଯାଇ ବିଦେଶକୁ ରପ୍ତାନି କରାଯିବ। ସେହିଭଳି ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ବାରା ପ୍ରସ୍ତୁତ କାଠ ପାନିଆ, ଚାନ୍ଦୁଆ, ହସ୍ତତନ୍ତ ପୋଷାକ, ଟେରାକୋଟା (ଚା କପ )ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇ ବାହାରକୁ ରପ୍ତାନି କରାଯିବ। ଏହି ସବୁ ସାମଗ୍ରୀ ଦୁବାଇ, ୟୁରୋପୀୟ ମହାଦେଶ ଏବଂ ଗଲ୍ଫ ଦେଶଗୁଡ଼ିକୁ ରପ୍ତାନି କରାଯିବ ବୋଲି ମୁଖ୍ୟଅତିଥି ତଥା‌ ଚାଟାର୍ଡ ଆକାଉଣ୍ଟାଣ୍ଟ ଶେଖ ଫିରୋଜ କହିଛନ୍ତି। ଏହା ଦ୍ୱାରା ଗ୍ରାମାଞ୍ଚଳର କୁଶଳୀ କର୍ମଜୀବୀମାନେ ରୋଜଗାରକ୍ଷମ ହୋଇପାରିବେ। ସ୍ଥାନୀୟ କୃଷକମାନେ ମଧ୍ୟ ଉପରୋକ୍ତ ଜିନିଷ ଉତ୍ପାଦନ କରି ଅଧିକ ରୋଜଗାରକ୍ଷମ ହୋଇପାରିବେ। ତେଣୁ ସ୍ଥାନୀୟ ଲୋକଙ୍କୁ କମ୍ପାନି ତରଫରୁ ବୈଷୟିକ ଶିକ୍ଷା ଏବଂ ଯାନ୍ତ୍ରିକ ଶିକ୍ଷା ପ୍ରଦାନ କରାଯିବ। ୱେବ୍‌ସାଇଟ୍‌ ଏବଂ ଅଲିବାବା ଡ଼ଟକମ୍‌ ମାଧ୍ୟମରେ ଏହି ସବୁ ସାମଗ୍ରୀ ବିକ୍ରୟ କରାଯିବ ବୋଲି ଯୋଜନା ହୋଇଛି। ଏହାବାଦ୍‌ ଗ୍ରାହକଙ୍କ ସହ ମଧ୍ୟ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯିବ ବୋଲି କମ୍ପାନି ନିର୍ଦେଶକ ରବିନାରୟଣ ଷଡ଼ଙ୍ଗୀ ଏବଂ ମମ୍‌ତାଜ୍‌ ବେଗମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର