ବମିଖାଲ କେନାଲ ବନ୍ଧର ଦୁରାବସ୍ଥା, ବର୍ଷେ ହେଲା ସରୁନି ସ୍ବେରେଜ୍ ଲାଇନ୍‌ କାମ

ଭୁବନେଶ୍ବର: ବ‌ର୍ଷେ ହେଲା ସ୍ବେରେଜ୍‌ ଲାଇନ୍‌ କାମ ସରୁନାହିଁ। ରାସ୍ତାକୁ ଖୋଳି ପକାଇ ଦିଆଯାଇଛି। ସବୁଆଡ଼େ ଖାଲଖମା ସାଙ୍ଗକୁ ଠାଏ ଠାଏ ଜମା ହୋଇ ରହିଥିବା ବାଲିଗୋଡ଼ି ରାସ୍ତାକୁ ସଂକୁଚିତ କରିଦେଇଛି। ଫଳରେ ଏହି ଅଞ୍ଚଳର ଲାଇଫ୍ ଲାଇନ୍‌ କୁହାଯାଉଥିବା ମୁଖ୍ୟ ରାସ୍ତା ଏବେ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। ପ୍ରବଳ ଧୂଳି ଉଡ଼ିବା ସାଙ୍ଗକୁ ଛୋଟମୋଟ ଦୁର୍ଘଟଣା ଏହି ରାସ୍ତାକୁ ଏକ ମରଣଯନ୍ତାର ପରିଚୟ ଦେଇଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏହା ହେଉଛି ବମିଖାଲ କେନାଲ ରୋଡ୍‌ର ଅବସ୍ଥା ଓ ସେହି ଅଞ୍ଚଳର ବାସିନ୍ଦାଙ୍କ ଦୁଃଖ।

ସୂଚନା ଅନୁସାରେ ବିଏମ୍‌ସି ୩୧ ନମ୍ବର ୱାର୍ଡ ଅନ୍ତର୍ଗତ ବମିଖାଲ କେନାଲ ରୋଡ୍‌ରେ ଚାଲିଛି ସ୍ବେରେଜ୍‌ ଲାଇନ୍‌ କାମ। ବର୍ଷେ ହେଲା କାମ ଚାଲିଛି। କାମ ନେଇଥିବା ଠିକା ସଂସ୍ଥା ମନମୁଖୀଭାବେ କାମ କରୁଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଠିକା ସଂସ୍ଥା ଦିନେ କାମ କଲେ, ୩ ଦିନ ବନ୍ଦ ରଖୁଛି। ତେଣୁ ମାତ୍ର ଏକ କିଲୋମିଟର ରାସ୍ତାରେ ନିର୍ମାଣ କରାଯାଉଥିବା ସ୍ବେରେଜ୍‌ ଲାଇନ୍‌ କାମ ବର୍ଷକ ଭିତରେ ବି ଅଧା ହୋଇନାହିଁ। ଏଣେ ରାସ୍ତାକୁ ଖୋଳି ପକାଇଥିବାରୁ ବର୍ଷେ ହେଲା ଲୋକେ ଯାତାୟାତ କରିବାରେ ବହୁ ସମସ୍ୟାରେ ପଡ଼ୁଛନ୍ତି। ରାସ୍ତାର ଏଭଳି ଅବସ୍ଥା ପାଇଁ ସେଠିକାର ୫୦ ପରିବାର ଓ ପାଖାପାଖି ୨୦ ଦୋକାନୀ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଯେଉଁ ଅଂଶରେ ସ୍ବେରେଜ୍‌ କାମ ସରିଛି, ସେଠି ମ୍ୟାନ୍‌ହୋଲ୍‌ ସବୁ ରାସ୍ତାଠାରୁ ଉଚ୍ଚରେ ରହିଛି। ଫଳରେ ରାତିରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଧୂଳିଧୁସର ଭର୍ତ୍ତି ରାସ୍ତାରେ ମ୍ୟାନ୍‌ହୋଲ୍‌ ଦେଖାଯାଉନଥିବାରୁ ଲୋକେ ଏଥିରେ ପିଟି ହୋଇ ପଡ଼ୁଛନ୍ତି। ସେହିଭଳି ପ୍ରବଳ ଧୂଳି ଉଡୁଥିବାରୁ ବରିଷ୍ଠ ନାଗରିକମାନେ ଚଳପ୍ରଚଳ ହେବା କଷ୍ଟକର ହେଉଛି। କିଛି ଦିନ ଠିକା ସଂସ୍ଥା ପାଣି ପକାଇ ଧୂଳି ଉଡ଼ାକୁ ନିୟନ୍ତ୍ରଣ କରୁଥିଲା। କିନ୍ତୁ ଏବେ ଆଉ ପାଣି ପକାଯାଉନାହିଁ। ରାସ୍ତାର ଏମିତି ଅବସ୍ଥା ଯୋଗୁଁ ଏବେ ଲୋକେ ଅନ୍ୟ ରାସ୍ତାରେ ଯାତାୟାତ କରୁଛନ୍ତି। ଫଳରେ ଏହି ରାସ୍ତା କଡ଼ରେ ଦୀର୍ଘ ଦିନ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଲେଣି।

ସ୍ଥାନୀୟ ବ୍ୟବସାୟୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ କହିବାନୁସାରେ ଏହି ରାସ୍ତା କାମ ଯୋଗୁ ବହୁତ ସମୟ ଦୋକାନ ବନ୍ଦ ରଖିବାକୁ ବାଧ୍ୟ ହେଉଛୁ। ଏଇଟି ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିଲେ ବି ଏବେ ଲୋକମାନେ ଏହି ରାସ୍ତାରେ ଯିବାଆସିବା ବନ୍ଦ କରି ଦେଇଛନ୍ତି। ତେଣୁ ବେପାର ପୂରା ମାନ୍ଦା। ବ୍ୟବସାୟୀ ଶିବାନନ୍ଦ ବର୍ମାଙ୍କ କହିବା କଥା ବର୍ଷେ ହେବ ତାଙ୍କ ବେପାର ନାହିଁ କହିଲେ ଚଳେ। ତେଣୁ ଏତେ କ୍ଷତି ସହିବା ପରେ ଦୋକାନ ବନ୍ଦ କରିବାକୁ ସ୍ଥିର କରିଛି। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ ଠିକା ସଂସ୍ଥା ବହୁତ ମନ୍ଥର ଗତିରେ କାମ କରୁଛି। ଦିନେ କାମ କଲେ, ଆଠ ଦିନ ବନ୍ଦ ରହୁଛି। ସ୍ବେରେଜ୍‌ ଲାଇନ୍‌ କାମ ଅଧା ରହିଥିବାରୁ ପୂର୍ତ୍ତ ବିଭାଗ ପିଚୁ କାମ କରୁନାହିଁ। ଫଳରେ ଖାଲଖମା ଭର୍ତ୍ତି ହୋଇଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ଜରୁରୀ। ନଚେତ୍ ଲୋକେ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଲାଣି।

ସମ୍ବନ୍ଧିତ ଖବର