ଦାଣ୍ଡରେ ପଡ଼ିଲା ତାରକା ପରିବାର କଳି

ଭୁବନେଶ୍ବର: ଦାମ୍ପତ୍ୟ ଜୀବନରେ ପତି ପତ୍ନୀଙ୍କ ମଝିରେ କେହି ତୃତୀୟ ବ୍ୟକ୍ତିର ଅନଧିକାର ପ୍ରବେଶକୁ ନେଇ ଝଡ଼ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ। ଏଭଳି କଥାବସ୍ତୁକୁ ନେଇ ବହୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି ଓ ଲୋକାଦୃତ ବି ହୋଇଛି। ବଡ଼ କଥା ହେଉଛି, ଏସବୁ କେବଳ ଫିଲ୍ମ କାହାଣୀରେ ଘଟେ ନାହିଁ, ଫିଲ୍ମ ଦୁନିଆର କଳାକାରମାନଙ୍କ କ୍ଷେତ୍ରରେ ବି ସତକୁ ସତ ଘଟେ। ସେମିତି ଓଲିଉଡ୍‌ରେ ବି ଅନେକ ଘଟଣାକୁ ନେଇ ପୁରୁଣା ଚର୍ଚ୍ଚା ରହିଛି।

କିନ୍ତୁ ବହୁ କାହାଣୀର ଗୁମର ଖୋଲାଖୋଲି ଭାବେ ଲୋକଲୋଚନକୁ ଆସିନଥାଏ। ମାତ୍ର ବାବୁସାନ୍‌, ତାଙ୍କ ସ୍ତ୍ରୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳି ଆଜି ଘରର ଚାରିକାନ୍ଥ ଓ ଏରୁଣ୍ଡି ବନ୍ଧ ଡେଇଁ ଦାଣ୍ଡ‌କୁ ଚାଲିଆସିଛି। ଓଲିଉଡ୍‌ ନାୟିକା ପ୍ରକୃତି ମିଶ୍ର ଓ ନାୟକ ବାବୁସାନ୍‌ଙ୍କ ସମ୍ପର୍କକୁ ନେଇ କୁହୁଳୁଥିବା ତୃପ୍ତି ଆଜି ରାସ୍ତାକୁ ଆସିଯାଇଛନ୍ତି। ଏମିତିକି ସ୍ବାମୀଙ୍କୁ ଫେରି ପାଇବା ପାଇଁ ସେ ନିଜେ ପ୍ରକୃତିଙ୍କ ଉପରକୁ ହାତ ଉଠାଇଛନ୍ତି। କାର୍‌ ଭିତରେ ଚୁଟି ଟାଣିବାଠାରୁ ଆରମ୍ଭ କରି ବାହାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏଭଳି ହାଇ ଡ୍ରାମା‌ର ଦୃଶ୍ୟ ଆଜି ବିଜୁଳି ଭଳି ସବୁଆଡ଼େ ଖେଳିଯାଇଛି। କଥା କେବଳ ସେତିକିରେ ଅଟକି ନାହିଁ, ମାମଲା ଥାନାକୁ ଯାଇଛି। କମିସନରେଟ୍‌ ପୁଲିସ ଉଭୟ ପକ୍ଷରୁ ଦୁଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ଲାକ୍‌ମେଲ୍‌ କରୁଥିଲେ ପ୍ରକୃତି

ପ୍ରକୃତି ଓ ବାବୁସାନ୍‌ଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କକୁ ନେଇ ତୃପ୍ତି ଆହୁରି ସଂଗିନ୍ ଅଭିଯୋଗ କରିଛନ୍ତି। ପ୍ରକୃତି କୁଆଡ଼େ ବାବୁସାନ୍‌ଙ୍କୁ ପାଖରେ ରଖିବା ପାଇଁ ତାଙ୍କୁ ସବୁବେଳେ ବ୍ଲାକମେଲ୍ କରୁଥିଲେ ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି। ଏମିତିକି ପ୍ରକୃତି କେତେବେଳ ହାତ କାଟିବା କଥା କୁହନ୍ତି ତ ଆଉ କେତେବେଳେ ଛାତରୁ ଡେଇଁପଡ଼ିବାକୁ ଧମକ ଦିଅନ୍ତି। ତେଣୁ ବାଧ୍ୟ ହୋଇ ବାବୁସାନ୍‌ ସ୍ତ୍ରୀ ଓ ପୁଅକୁ ଛାଡ଼ି ପ୍ରକୃତି ପାଖରେ ରହୁଥିଲେ ବୋଲି ସେ କହିଛନ୍ତି। ତେବେ ଏସବୁ ଅଭିଯୋଗ ପଛରେ କେତେ ସତ୍ୟତା‌ ରହିଛି, ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏମିତିକି ପ୍ରକୃତି ଏବେ ଚେନ୍ନାଇରେ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।

ବୋହୂ ପାଖରେ ଠିଆ ହେଲେ ଅପରାଜିତା

ଆଜି ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ବାବୁସାନ୍‌ଙ୍କ ମା’ ଅପରାଜିତା ବୋହୂ ତୃପ୍ତିଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛନ୍ତି। ଖବର ପାଇବା ମାତ୍ରେ ସେ ସତ୍ୟନଗରରେ ରହୁଥିବା ବୋହୂ ତୃପ୍ତିଙ୍କ ପାଖରେ ପହଞ୍ଚିଥିଲେ। ନାତି ସହ କିଛି ସମୟ ଖେଳିବା ସହ ବୋହୂକୁ ଶାନ୍ତ କରାଇଥିଲେ। ପରେ ଶାଶୁ ବୋହୂ ଏକାଠି ଖାରବେଳନଗର ଥାନାକୁ ଯାଇଥିଲେ। ତୃପ୍ତି ଲିଖିତ ଅଭିଯୋଗ କରିଥିବା ବେଳେ ଶାଶୁ ଅପରାଜିତା ତାଙ୍କ ସହ ଉପସ୍ଥିତ ଥିଲେ। ତେଣୁ ବୋହୂକୁ ନୈତିକ ସମର୍ଥନ ଦେବା ସହ ପୁଅର ଉଜୁଡ଼ିବାକୁ ବସିଥିବା ସଂସାରକୁ ବଞ୍ଚାଇବା ଲାଗି ମା’ ହିସାବରେ ଠିଆ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

କଳି ପଛର କାହାଣୀ

ଆଜି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି। ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ। ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ।

ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା। ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା। ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ। ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ। ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି। ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ। କେବଳ ଦେଖେଇ ହେବା ପାଇଁ ପୁଅକୁ ଧରି ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରୁଥିଲେ। ଅସଲରେ ସବୁ ନାଟକବାଜି ଥିଲା। ପ୍ରକୃତି ତାଙ୍କୁ ପାଗଳ କରିଛି ବୋଲି ତୃପ୍ତି କହିଛନ୍ତି।

ସମ୍ବନ୍ଧିତ ଖବର