ଭୁବନେଶ୍ବର: ବିଏମ୍ସର ସବୁ ୱାର୍ଡରେ ପୁଳାପୁଳା ସମସ୍ୟା। ଦୁର୍ନୀତି ବ୍ୟାପିଗଲାଣି। ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ରାଜଧାନୀର ପୁଳାପୁଳା ସମସ୍ୟାକୁ ପ୍ରସଙ୍ଗ କରି ଚଳିତ ବିଏମ୍ସି ନିର୍ବାଚନରେ ରାଜଧାନୀବାସୀଙ୍କ ନିକଟକୁ ଯିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ପୌର ନିର୍ବାଚନ ପାଇଁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଟଙ୍କା ଖର୍ଚ ଅପେକ୍ଷା ଲୋକଙ୍କ ପାଖକୁ ଯିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି।
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ୬୭ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ଦଳ ସ୍ଥିର ରହିଛି। ଗୋଟିଏ ଗୋଟିଏ ୱାର୍ଡ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବା ଦଳ ଦାବି କରିଛି। ତେବେ ୨ଟି ୱାର୍ଡ ପାଇଁ କଂଗ୍ରେସର ସିପିଆଇ(ଏମ୍)ସହିତ ମେଣ୍ଟ ହୋଇପାରେ। ମାତ୍ର କେଉଁ ୨ଟି ୱାର୍ଡ କଂଗ୍ରେସ ସିପିଆଇ(ଏମ୍)କୁ ଛାଡ଼ିବ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଖୁବ୍ଶୀଘ୍ର ଦଳର ପ୍ରାର୍ଥୀ ଚୟନ କମିଟି ବୈଠକରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଏମ୍ସିର ନିର୍ବାଚନରେ ଦଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ୨ଘଣ୍ଟା ଧରି ଏହି ବୈଠକ ବସିଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବିଏମ୍ସି ଅଞ୍ଚଳରେ ରହୁଥିବା ପ୍ରତ୍ୟେକ କଂଗ୍ରେସ କର୍ମୀ, ନେତୃବୃନ୍ଦ, ସମସ୍ତ ପ୍ରକୋଷ୍ଠ, ସଂଗଠନର ଅଧ୍ୟକ୍ଷ ଓ ପଦାଧିକାରୀମାନେ ମିଳିତ ଭାବେ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହେବା ଦରକାର। ବିଏମ୍ସିରେ ରହିଥିବା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ନଚେତ୍ ଯେତେ ଟଙ୍କା ଖର୍ଚ କଲେ ମଧ୍ୟ ତାହା ଫଳପ୍ରଦ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଧାୟକ ସୁରେଶ ରାଉରାୟ, ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ କହିଥିଲେ, କଂଗ୍ରେସ ପତାକାର ସ୍ବାର୍ଥକୁ ରକ୍ଷା କରିବା ଲାଗି ସମସ୍ତ ନେତୃବୃନ୍ଦଙ୍କୁ ଲଢ଼ିବାକୁ ପଡ଼ିବ। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଭ୍ରଷ୍ଟାଚାରୀମାନଙ୍କୁ ବିଏମ୍ସି ନିର୍ବାଚନରେ କଡ଼ା ଜବାବ ଦିଆଯିବ ବୋଲି କହିଥିଲେ।
ବୈଠକରେ ଯଜ୍ଞେଶ୍ବର ବାବୁ, ମନୋରଂଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଶାନ୍ତାୟନ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିୟାରସିଂ, ମୋହନ ଗାନ୍ଧି, ମନୋଜ ନାୟକ, ପଦ୍ମାକର ଗୁରୁ, ନାରାୟଣ ଜେନା, ବେଣୁଧର ପାତ୍ର, ଆଲୋକ ମହାନ୍ତି, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ବିସ୍ମୟ ମହାପାତ୍ର, ପ୍ରଣତି ମିଶ୍ର, ସ୍ବାଧୀନବାଳା ଦାସ, ଶ୍ରୀୟା ମହାନ୍ତି, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ପ୍ରଭାତ ପ୍ରତାପ ସିଂ, ସୁଭଦ୍ରା ମିଶ୍ର, ଶ୍ରୀନିବାସ ରାଉତରାୟ, ରାମଚନ୍ଦ୍ର ପରିଡ଼ା, ରଞ୍ଜିତ ପାତ୍ର, ସଂଜୀବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।