ଠିକା ସଂସ୍ଥା ନେଇଯାଉଛି ୟୁଜର୍ସ ଫି’

କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ବିଏମ୍‌ସି , ‘ବିଏମ୍‌ସି ପାଖରେ ଜମା କରିବାକୁ ଅନୁରୋଧ’

ଭୁବନେଶ୍ବର: ରାଜଧାନୀରେ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା ବିଏମ୍‌ସିର ବିନା ଅନୁମତିରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଲୋଙ୍କଠାରୁ ସଫେଇ ବାବଦକୁ ୟୁଜର୍ସ ଫି’ ଆଦାୟ କରୁଛି। ଫି’ ଆଦାୟ କରିବାକୁ ସମ୍ପୃକ୍ତ ସଂସ୍ଥା‌ମାନେ ଅଧିକୃତ ନଥିଲେ ମଧ୍ୟ ବର୍ଷ ବର୍ଷ ଧରି ବେଆଇନ ଭାବେ ଏଭଳି ଟଙ୍କା ଆଦାୟ କରୁଛନ୍ତି। ଏହି ଘଟଣା ନଜରକୁ ଆସିବା ପରେ ବିଏମ୍‌ସି ୩ଟିଯାକ ଠିକା ସଂସ୍ଥା, ଜାଗୃତି, ପିଏମ୍‌ଆର ଓ ରାମ୍‌କିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଏହାସହ ଆଗାମୀ ଦିନରେ ଠିକା ସଫେଇ ସଂସ୍ଥାକୁ ୟୁଜର୍ସ ଫି’ ନ ଦେବାକୁ ଏକ ପ୍ରେସ୍‌ ବିବୃତିରେ ଜନସାଧାରଣ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ନିବେଦନ କରିଛି।

ତେବେ ଏହି ଠିକା ସଂସ୍ଥାଦୁଇଟି କେଉଁ ପରିସ୍ଥିତିରେ, କେତେ ଦିନ ଧରି ଓ କେତେ ଟଙ୍କା ୟୁଜର୍ସ ଫି’ ଆଦାୟ କରିଛନ୍ତି? ସେମାନଙ୍କଠାରୁ ବିଏମ୍‌ସି ଏହି ଅର୍ଥ ଆଦାୟ କରିବ କି ନାହିଁ? ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବରରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ୟୁଜର୍ସ ଫି’ ଆଦାୟ କରିବାକୁ ସ୍ଥିର କରାଯିବା ସହ ବିଏମ୍‌ସି ପକ୍ଷରୁ ନୋଟିସ୍ ଜାରି ହୋଇଥିଲା। ଆପାର୍ଟମେଣ୍ଟ, ଅଧିକ ବର୍ଜ୍ୟବସ୍ତୁ ସୃଷ୍ଟି କରୁଥିବା ସଂସ୍ଥା, ମଲ୍‌, ହୋଟେଲ୍ ଓ ରେସ୍ତୋରାଁ, ଶିକ୍ଷାନୁଷ୍ଠାନ, ଅଣଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ବଡ଼ବଡ଼ ଫାଷ୍ଟଫୁଡ୍‌ ସଂସ୍ଥା (କେଏଫ୍‌ସି, ଡୋମିନସ୍‌, ପିଜାହଟ୍‌, କାଫେ କଫି ଡେ’), ଘରୋଇ ହସ୍ପିଟାଲ, ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ, ସୋ’ରୁମ୍‌, ସର୍ଭିସ୍ ସେଣ୍ଟର୍‌ ଓ ଗ୍ୟାରେଜ୍‌, ବିବାହ ମଣ୍ଡପ, ପ୍ରଦର୍ଶନୀ ଓ ସଭାଗୃହ, ଶିଳ୍ପାନୁଷ୍ଠାନ, ପ୍ରିଣ୍ଟିଂପ୍ରେସ୍‌, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଇତ୍ୟାଦିଙ୍କ ପାଇଁ ଭିନ୍ନଭିନ୍ନ ୟୁଜର୍ସ ଫି’ ଧାର୍ଯ୍ୟ ହୋଇଥିଲା। ଏହି ସବୁ ସଂସ୍ଥା, ଦୋକାନରୁ ଦୈନିକ ବାହାରୁଥିବା ବର୍ଜ୍ୟବସ୍ତୁ ବିଏମ୍‌ସି ସଂଗ୍ରହ କରିବା ସହ ପରିଚାଳନା କରୁଥିଲା। ତେବେ ଏହି ଆଳରେ ସଫେଇ କରୁଥିବା ଠିକାସଂସ୍ଥାଗୁଡ଼ିକ ସାଧାରଣ ଲୋକ ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କଠାରୁ ମଧ୍ୟ ୟୁଜର୍ସ ଫି’ ଆଦାୟ କରୁଥିଲେ।

ସମ୍ବନ୍ଧିତ ଖବର