ସ୍କୁଲ ଫି’ କୋହଳ ନେଇ ଘନେଇଲା ବିବାଦ: ଏଫ୍‌ପିଏସ୍‌ ଓ ଅଭିଭାବକ ମହାସଂଘ ମୁହାଁମୁହିଁ

ଫି’ ଛାଡ଼ କରିବୁ ନାହିଁ: ଏଫ୍‌ପିଏସ୍,‌ ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ: ଅଭିଭାବକ ମହାସଂଘ‌

ଭୁବନେଶ୍ୱର: କରୋନା କାଳରେ ଘରୋଇ ସ୍କୁଲ ଫି’ କୋହଳ ନେଇ ପୁଣିଥରେ ବିବାଦ ଘନେଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଓଡ଼ିଶା ଆଇସିଏସ୍‌ଇ ସ୍କୁଲ ସଂଘ ସମେତ କେତେକ ଘରୋଇ ବିଦ୍ୟାଳୟକୁ ନେଇ ଗଠିତ ଫେଡେରେସନ୍‌ ଅଫ୍‌ ପ୍ରାଇଭେଟ୍‌ ସ୍କୁଲ(ଏଫ୍‌ପିଏସ୍‌) ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦୁଇ ଦିନ ତଳେ ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କରେ ରାୟ ଦେବା ପରେ ଆଜି ଅଭିଭାବକ ମହାସଂଘ ଓ ଏଫ୍‌ପିଏସ୍‌ ମୁହାଁମୁହିଁ ହୋଇଛନ୍ତି। ଏମ୍‌ଓୟୁରେ ସାମିଲ ନ ଥିବା ସ୍କୁଲ ଉପରେ ଫି’ କୋହଳ ବିଜ୍ଞପ୍ତି ଲାଗୁ ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଥିବାରୁ ଆମେ ଫି’ କୋହଳ କରିବୁ ନାହିଁ ବୋଲି ଏଫ୍‌ସିଏସ୍‌ କହିଛନ୍ତି। ତେବେ ଅଭିଭାବକ ମହାସଂଘ କହିବା କଥା ହେଉଛି ଯେ ଫି’ ଛାଡ଼ ମାମଲାରେ ସରକର ତୁରନ୍ତ ହସ୍ତକ୍ଷେପ କରି ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ।

ଅଭିଭାବକ ମହାସଂଘ ପକ୍ଷରୁ ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଆବେଦନକାରୀ ସ୍କୁଲଗୁଡ଼ିକ ୭ ଦିନ ଭିତରେ ରାଜ୍ୟ ସରକାରଙ୍କ ପାଖରେ ଲିଖିତ ଆକାରରେ ନିଜର ଅଭିଯୋଗ ଦାଖଲ କରିପାରିବେ। ଆଇନ ଅନୁଯାୟୀ ରାଜ୍ୟ ସରକାର ତାହାର ବୈଧତାକୁ ପରୀକ୍ଷା କରିପାରନ୍ତି। ଏମଓୟୁରେ ଉପସ୍ଥିତ ନ ଥିବା ପକ୍ଷଗୁଡ଼ିକ ବିରୋଧରେ ରାଜ୍ୟ ସରକାର ଆଉ ଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ତା’ଛଡ଼ା ଫି’ ଆଦାୟ ସଂକ୍ରାନ୍ତରେ ସ୍ୱତନ୍ତ୍ର ନିର୍ଦେଶ ଜାରି କରିବେ। ଏଥିସହ ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତ୍ତୃତ୍ୱ ଥିବା ଓ ଫି’ ଆଦାୟ ଜନିତ ନିଷ୍ପତ୍ତି ନେବାର ଅଧିକାରକୁ ଉଚ୍ଚତମ ନ୍ୟାୟାଳୟ ବୈଧ ରଖିଛନ୍ତି। ତେଣୁ ୧୯୯୬ ସେପ୍ଟେମ୍ବର ୨୩ ରିଜଲୁସନ ଆଧାରରେ ସ୍କୁଲଗୁଡ଼ିକ ପାଠପଢ଼ାର ଆବଶ୍ୟକତା ଅନୁଯାଇ ଯୋଗାଉଥିବା ସୁବିଧା ଅନୁରୂପ ଫି’ ଅଭିଭାବକଙ୍କ ସମ୍ମତି ନେଇ ଆଦାୟ କରିବେ। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା ଅନୁଯାଇ କାର୍ଯ୍ୟ ନ କରିବେ ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସ୍ୱୀକୃତି ପ୍ରତ୍ୟାହାର ପାଇଁ ପଦକ୍ଷେପ ନେଇପାରିବେ। ଆଇସିଏସ୍‌ଇ ସ୍କୁଲର ମ୍ୟାନେଜମେଣ୍ଟ ଫି’ ଆଦାୟ କ୍ଷମତା ଥିବା ବେଳେ ଜଣେ ପ୍ରିନ୍ସିପାଲ ବେତନ ଭୋଗୀ କର୍ମଚାରୀ ହୋଇଥିବାରୁ ସେ କିପରି ଅଦାଲତରେ ଅଭିଯୋଗ କଲେ ବୋଲି ମହାସଂଘ ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ ଅପରାହ୍‌ଣରେ ଫେଡେରେସନ୍‌ ଅଫ୍‌ ପ୍ରାଇଭେଟ୍‌ ସ୍କୁଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ୨୦୧୯-୨୦ ଶିକ୍ଷାବର୍ଷରେ ଯାହା ଫି’ ରହିଛି ତାହାକୁ ଚଳିତ ବର୍ଷ ଅପରିବର୍ତ୍ତିତ ରଖାଯିବ। ଯେଉଁ ଛାତ୍ରଛାତ୍ରୀ ଫି’ ଦାଖଲ କରିନାହାନ୍ତି ସେମାନେ ୬ଟି କିସ୍ତିରେ ଫି’ ଦାଖଲ ପାଇଁ ସୁଯୋଗ ପ୍ରଦାନ କରାଯିବ। କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଜୁଲମ କରାଯିବ ନାହିଁ। ପାଠପଢା ଓ ପରୀକ୍ଷାରୁ କୌଣସି ପିଲାଙ୍କୁ ବଞ୍ଚିତ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଘରୋଇ ସ୍କୁଲଗୁଡ଼ିକ ଫି’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କରୋନା ସମୟ ଓ ପରେ ମଧ୍ୟ ଅନ୍‌ଲାଇନ୍‌ରେ ପାଠପଢା ଜାରି ରହିଛି। ଯେଉଁ ବିଦ୍ୟାଳୟ ଯେତିକି ଫି’ ଛାଡ଼ କରିଛନ୍ତି ସେହି ଅନୁସାରେ ଆଦାୟ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ରାଜ୍ୟର ସମସ୍ତ ୧୦୫ ଆଇସିଏସ୍‌ଇ ବିଦ୍ୟାଳୟ, ୫୫ଟି ଡିଏଭି ବିଦ୍ୟାଳୟ ସମେତ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ସିବିଏସ୍‌ଇ ଅଧୀନ ଘରୋଇ ବିଦ୍ୟାଳୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ପାଳନ କରିବେ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଚୁକ୍ତିରେ ସ୍ବାକ୍ଷର କରି ନଥିବା ସ୍କୁଲଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଫି’ କୋହଳ ସମ୍ବନ୍ଧୀୟ ବିଜ୍ଞପ୍ତିକୁ ପାଳନ କରିବୁ ନାହିଁ ବୋଲି ସଂଘର ଅଧ୍ୟକ୍ଷ ପ୍ରତାପ ଜେନା, ଉପାଧ୍ୟକ୍ଷ ସିଏସ୍‌ ପତି, ସାଧାରଣ ସମ୍ପାଦକ ଏସ୍‌ ମୀନକେତନ, ସଜୁ ଆଣ୍ଟୋନୀ, ଆଇନଜୀବୀ ପତିତପାବନ ପଣ୍ଡା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର