ଭୁବନେଶ୍ବର: ସେପ୍ଟେମ୍ବର ୪ ତାରିଖର କଣ୍ଟ ପୂରିଥିଲେ ମଧ୍ୟ ଅଣଛାତ୍ରମାନେ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ଛାଡ଼ି ନାହାନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଶତାଧିକ ଅଣଛାତ୍ର ୩ଟି ଛାତ୍ରାବାସର ରୁମ୍ଗୁଡ଼ିକ ଅକ୍ତିଆର କରି ରଖିଛନ୍ତି। ଛାତ୍ରମାନଙ୍କୁ ଭୟଭୀତ କରି ଅଣଛାତ୍ରମାନେ ହଷ୍ଟେଲ ଭିତରେ ରହୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କରିପାରୁ ନାହାନ୍ତି। କୁଳପତି ନୂଆଦିଲ୍ଲୀ ଗସ୍ତରେ ଥିବା ବେଳେ କୁଳସଚିବ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଉଠାଇପାରୁ ନାହାନ୍ତି।
ହଷ୍ଟେଲ୍ ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସରମାନେ ନିଜକୁ ଅସୁରକ୍ଷିତ ମଣି ହଷ୍ଟେଲ ମାଟି ମାଡ଼ୁ ନାହାନ୍ତି। ତିନିଟି ଛାତ୍ରାବାସ ପାଇଁ ଏବେ କ୍ୟାମ୍ପସ୍ରେ ଥିବା ସମସ୍ତ ଛାତ୍ରାବାସ ଓ ଛାତ୍ରୀନିବାସର ଦାୟିତ୍ବରୁ ପ୍ରଫେସରମାନେ ନିଜକୁ ଦୂରେଇ ରଖିଛନ୍ତି। ସୁରକ୍ଷା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ କୌଣସି ବି ପ୍ରଶାସନିକ କାର୍ଯ୍ୟ କରିବେ ନାହିଁ ବୋଲି କର୍ତ୍ତୃପକ୍ଷଙ୍କୁ ରୋକଠୋକ୍ ଶୁଣାଇ ଦେଇଛନ୍ତି। ଏହାଦ୍ବାରା ହଷ୍ଟେଲଗୁଡ଼ିକରେ ରହୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ବଢ଼ିଛି। ବିବାଦ କେବଳ ଏତିକିରେ ସରି ନାହିଁ। ଅଭିଯୋଗ ଆସିଛି ଯେ ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କିଛି ଅଣଛାତ୍ରଙ୍କୁ କ୍ୟାମ୍ପସ୍ରେ ଥିବା ଅତିଥିଭବନରେ ରହିବାକୁ ସୁଯୋଗ ଦେଇଛନ୍ତି। ଏକ ରାଜନୈତିକ ଦଳର ଚାପରେ ଅଣଛାତ୍ରଙ୍କୁ ଦୁଇଦିନ ହେଲା ସେଠାରେ ଅତିଥି ଭାବେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ତେବେ ଏହାର ସତ୍ୟାସତ୍ୟ ସମ୍ପର୍କରେ ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀ ସୂଚନା ଦେବାକୁ ମନା କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଏବଂ ଅଣଛାତ୍ରଙ୍କୁ କାଢ଼ିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି।
ଅପରପକ୍ଷେ, ଅଣଛାତ୍ରଙ୍କ ଦୌରାତ୍ମ୍ୟ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସରମାନେ ତ୍ରାହିତ୍ରାହି ଡାକିଲେଣି। ଦୁଇଦିନ ତଳେ ଅଣଛାତ୍ରମାନେ ଯେଉଁଭଳି ଭାବେ ଡେପୁଟି ୱାର୍ଡେନ୍ ଓ ଅଧୀକ୍ଷକଙ୍କୁ ହଷ୍ଟେଲ ଭିତରେ ଅଟକ ରଖିଲେ, ତାକୁ ନେଇ ବଡ଼ ବିବାଦ ଦେଖାଦେଇଛି। ସେପ୍ଟେମ୍ବର ୨ ତାରିଖ ଘଟଣା ପରେ ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସରମାନେ ନିଜକୁ ଅସୁରକ୍ଷିତ ମଣିଛନ୍ତି ଏବଂ ଅଧୀକ୍ଷକ ଭାବେ ଦାୟିତ୍ବ ନିର୍ବାହ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେପର୍ଯ୍ୟନ୍ତ ହଷ୍ଟେଲ ଭିତରୁ ଅଣଛାତ୍ରଙ୍କୁ କଢ଼ା ନଯାଇଛି ଏବଂ ପ୍ରଫେସରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରା ନଯାଇଛି, ସେପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିବେ ନାହିଁ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ସହ କୁଳପତି, କୁଳସଚିବଙ୍କୁ ଏନେଇ ଅବଗତ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨ ତାରିଖ ବିଳମ୍ବିତ ରାତିରେ ୨୦୦ରୁ ଅଧିକ ଅଣଛାତ୍ର ପ୍ରଫେସରମାନଙ୍କ ଆବାସିକ ଅଞ୍ଚଳରେ ପଶି ହୋହଲ୍ଲା କରିଥିଲେ। ପରିବାର ସହ ରହୁଥିବା ପ୍ରଫେସରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ଦେଖାଇଥିଲେ। ଏହାଦ୍ବାରା କେବଳ ଯେ ପ୍ରଫେସରମାନଙ୍କ ମାନହାନି ହୋଇଛି ତାହା ନୁହେଁ, ବରଂ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏନେଇ ସଂଘ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ଏଥିସହ ନିଷ୍ପତ୍ତି ହୋଇଛି ଯେ ସଂଘ ପକ୍ଷରୁ ବିଶ୍ବବିଦ୍ୟାଳୟର ଆଲୁମ୍ନି ଆସୋସିଏସନ୍ ସହ ଯୋଗାଯୋଗ କରାଯିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ପୁରାତନ ଛାତ୍ରମାନେ ହଷ୍ଟେଲ ରୁମ୍ ଅକ୍ତିଆର କରିଥିବା ସମ୍ପର୍କରେ ଆଲୁମ୍ନି ଆସୋସିଏସନ୍ର ମତ ଲୋଡ଼ାଯିବ। ଅଣଛାତ୍ରମୁକ୍ତ କ୍ୟାମ୍ପସ୍ ଓ ଅନଧିକାର ପ୍ରବେଶ ଉପରେ ରୋକ ଲଗାଇବାକୁ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ସଂଘର ସହଯୋଗ ଲୋଡ଼ାଯିବ। ଆବାସିକ ଅଞ୍ଚଳରେ ପରିବାର ସହ ଯେପରି
ପ୍ରଫେସରମାନେ ସୁରକ୍ଷିତ ଭାବେ ରହିପାରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାହା ସୁନିଶ୍ଚିତ କରିବା ପରେ ସେମାନେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବେ ବୋଲି ସଂଘ କହିଛି। ଏଥିସହ ସଂଘର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ତେବେ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଦିଲ୍ଲୀ ଗସ୍ତରେ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଫେରିବା ପରେ ସଂଘ ଏନେଇ ଅବଗତ କରିବା ସହ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।