ଭୁବନେଶ୍ବର: ବିଶ୍ବର ପ୍ରାଣୀ ଉଦ୍ୟାନ ଓ ଆକ୍ବାରିୟମ୍ ମଧ୍ୟରେ ସ୍ବର୍ଣ୍ଣ ମାନ୍ୟତା ହାସଲ ପାଇଁ ଦେଶର ୧୦ଟି ପ୍ରାଣୀ ଉଦ୍ୟାନକୁ ପ୍ରସ୍ତୁତ କରାଯିବ। ସେଗୁଡ଼ିକ କିଭଳି ବାହାର ଦେଶର ଚିଡ଼ିଆଖାନା ସହ ସମତୁଲ ହୋଇପାରିବ, ସେଥିପାଇଁ ଭିତ୍ତିଭୂମି ବିକାଶ ହେବ। ଏଥିସହ ପର୍ଯ୍ୟଟକ ଉପଯୋଗୀ କରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଦେଶର ଦ୍ବିତୀୟ ବୃହତ୍ତମ ତଥା ଓଡ଼ିଶାର ବିଶାଳ ପ୍ରାଣୀଉଦ୍ୟାନ ‘ନନ୍ଦନକାନନ’ ଏହି ୧୦ଟି ତାଲିକାରେ ସ୍ଥାନ ପାଇଛି। ଆସନ୍ତା ୬ ମାସ ମଧ୍ୟରେ କେନ୍ଦ୍ରୀୟ ପ୍ରତିନିଧିଦଳ ପ୍ରାଣୀ ଉଦ୍ୟାନଗୁଡ଼ିକୁ ଆସି ଭିତ୍ତିଭୂମି ଯାଞ୍ଚ କରିବେ ଓ ଭବିଷ୍ୟତ ପାଇଁ ପରାମର୍ଶ ଦେବେ। ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍ଏ)ଙ୍କ ପକ୍ଷରୁ ଭର୍ଚୁଆଲ ବୈଠକ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦନକାନନ ସମେତ ଗୌହାଟୀ ପ୍ରାଣୀଉଦ୍ୟାନ, ମହୀଶୂର ପ୍ରାଣୀ ଉଦ୍ୟାନ, ଚେନ୍ନାଇ ଅରିଗନାର ଆନ୍ନା ପ୍ରାଣୀ ଉଦ୍ୟାନ, ଚଣ୍ଡୀଗଡ଼ସ୍ଥିତ ଛତାବିର ପ୍ରାଣୀ ଉଦ୍ୟାନ, ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନ, ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀ ଉଦ୍ୟାନ ପ୍ରମୁଖକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି, ଯିଏ କି ଆସନ୍ତା ୬ ମାସ ମଧ୍ୟରେ ପ୍ରାଣୀ ଉଦ୍ୟାନଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରି ରିପୋର୍ଟ ଦେବେ। କିଭଳି ଓ କେମିତି ପ୍ରାଣୀ ଉଦ୍ୟାନର ବିକାଶ କରାଯାଇପାରିବ, ସେନେଇ ବି ନକ୍ସା ପ୍ରସ୍ତୁତ କରିବେ। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ମାସରେ ଏହି ଟିମ୍ ନନ୍ଦନକାନନକୁ ୮ ଦିନିଆ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
ପ୍ରତିନିଧିଦଳ ଆସିବା ପୂର୍ବରୁ ଓଡ଼ିଶା ପକ୍ଷରୁ ବୈଠକରେ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଆମେରିକାରେ ପ୍ରାଣୀ ଉଦ୍ୟାନକୁ ଯେଉଁଭଳି ଭାବେ ସ୍ବାବଲମ୍ବୀ କରାଯାଇଛି, ଏଠାରେ ମଧ୍ୟ ସେଭଳି ବ୍ୟବସ୍ଥାର ଆବଶ୍ୟକତା ରହିଛି। ପ୍ରାଣୀଉଦ୍ୟାନ ସହ ଜଙ୍ଗଲକୁ ବି ଲିଙ୍କ୍ କରାଯାଉ। ଫଳରେ ଯେଉଁ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିବେ, ସେମାନେ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କୁ ବି ଦେଖିବାର ସୁଯୋଗ ପାଇବେ। ଜଙ୍ଗଲରେ ବି ଏକାଧିକ ସଫାରି ଖୋଲା ଯାଇପାରିବ। ‘ନନ୍ଦନକାନନ’ ଯେହେତୁ ଅଭୟାରଣ୍ୟ ଭିତରେ ରହିଛି, ତେଣୁ ଏଠାରେ କାର୍ଯ୍ୟକାରୀ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଏଥିସହ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାମାନେ ମଧ୍ୟ ସିଏସ୍ଆର ଫଣ୍ଡ୍କୁ ପ୍ରାଣୀ ଉଦ୍ୟାନରେ ବିନିଯୋଗ କରିବାକୁ ଆଗେଇ ଆସିବା ଦରକାର। ପରିଣାମସ୍ବରୂପ ପ୍ରାଣୀ ଉଦ୍ୟାନର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ। ଯଦି ଦେଖାଯାଏ, ବାହାର ଦେଶରେ ଚିଡ଼ିଆଖାନାର ୪୦ପ୍ରତିଶତ ଅର୍ଥ ଜୀବଜନ୍ତୁ ପୋଷ୍ୟ ଗ୍ରହଣରୁ ଆସୁଥିବା ବେଳେ ଆଉ ୪୦ ପ୍ରତିଶତ ସିଏସ୍ଆର ପାଣ୍ଠିରୁ ଆସୁଛି। ବାକି ୨୦ ପ୍ରତିଶତ ପ୍ରବେଶ ଶୁଳ୍କରୁ ମିଳୁଛି। ତେଣୁ ଏଭଳି ବ୍ୟବସ୍ଥା ଭାରତରେ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।
ନନ୍ଦନକାନନ ଉପନିର୍ଦେଶକ ବିମଳ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି ଯେ ବିଶ୍ବସ୍ତରୀୟ ପ୍ରାଣୀଉଦ୍ୟାନ ହେବା ଲାଗି ସ୍ବର୍ଣ୍ଣ ମାନ୍ୟତା ଦୌଡ଼ରେ ‘ନନ୍ଦନକାନନ’ ସାମିଲ ହେବା ଖୁସିର ବିଷୟ। ସିଜେଡ୍ଏ ପକ୍ଷରୁ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ସାମିଲ ହୋଇ ଆମେ ଆମର ପ୍ରସ୍ତାବ ରଖିଥିଲୁ। ପ୍ରତିନିଧିଦଳ ଆସିବା ପରେ ପରବର୍ତୀ ରୂପରେଖ କ’ଣ ହୋଇପାରିବ, ସେନେଇ ଆଲୋଚନା କରାଯିବ। ‘ନନ୍ଦନକାନନ’ ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ତାହାକୁ ଶୀର୍ଷରେ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଉତ୍କର୍ଷ ହେବାକୁ ଆମ ପ୍ରୟାସରେ ଯୋଗ ଦିଅନ୍ତୁ।