ଥାନା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ: ନ୍ୟାୟ ମାଗିବାକୁ ଆସିଥିଲେ, ପୁଲିସ ଜେଲ୍‌ ପଠାଇଦେଲା

କିଏ ସତ କହୁଛି: ପୁଲିସ ନା ପୀଡ଼ିତ ପରିବାର?

ଭୁବନେଶ୍ବର: ତିନି ଦିନ ତଳେ ରାଜୁ ଦାସଙ୍କ ଘରେ ପଶି ସଂଘବଦ୍ଧ ଭାବେ ଆକ୍ରମଣ କଲେ ପଡ଼ୋଶୀ। ଯାହାକୁ ପାରିଲେ ତାକୁ ମନଇଚ୍ଛା ପିଟିଲେ। ଏମିତିକି ଛୋଟ ପୁଅ ଓ ଝିଅଙ୍କୁ ବି ଛାଡ଼ିଲେ ନାହିଁ। ଆକ୍ରମଣ ଯୋଗୁଁ ରାଜୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ କିରଣ(୩୫) ଏବଂ ସେମାନଙ୍କ ଛୋଟ ପୁଅଝିଅ ଆହତ ହେଲେ। ପୁଲିସ ନିକଟରେ ଏ ନେଇ ଗୁହାରି କରିବାକୁ ଆସି ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେଲେ ରାଜୁ ଓ କିରଣ। ପୁଲିସ ସେମାନଙ୍କୁ ନ୍ୟାୟ ଦେବା ଦୂରେ ଥାଉ, ଏତଲା ମଧ୍ୟ ଗ୍ରହଣ କଲା ନାହିଁ। ଶେଷରେ ଆଜି ନ୍ୟାୟ ମାଗିବାକୁ ଆସିଥିବା ପୀଡ଼ିତ ଦମ୍ପତି ସହିଦନଗର ଥାନରେ ‌ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲାବେଳେ ସହିଦନଗର ଥାନା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଜୁଙ୍କ ଅଭିଯୋଗ ମୁତାବକ, ଗତ ୮ତାରିଖ ଦିନ ସନ୍ଧ୍ୟାରେ ରାଜୁ ଦୋକାନରେ ଥିବା ବେଳେ ତାଙ୍କ ପଡ଼ୋଶୀ ଭଗବାନ ବେହେରା ଓ ପରିବାରର ଅନ୍ୟ ସଦସ୍ୟମାନେ ରାଜୁଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପିଲାଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ରାଜୁ ଦୋକାନରୁ ଘରକୁ ଚାଲି ଆସିଥିଲେ। ସେ ତାଙ୍କ ପତ୍ନୀଙ୍କୁ ଓ ପିଲାଙ୍କୁ ଆକ୍ରମଣର ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ପଡ଼ୋଶୀ ରାଜୁଙ୍କୁ ହାତୁଡ଼ିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟିଯିବା ସହ ଗୋଡ଼ ଓ ହାତରେ ଆଘାତ ଲାଗିଥିଲା। ଏ ନେଇ ରାଜୁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ଉକ୍ତ ଅଞ୍ଚଳ ତାଙ୍କ ଥାନା ଅଧୀନରେ ଆସୁନଥିବା କହି ପୁଲିସ ତାଙ୍କୁ ମଞ୍ଚେଶ୍ବର ଥାନାକୁ ପଠାଇଥିଲା। ରାଜୁ ମଞ୍ଚେଶ୍ବର ଥାନାକୁ ଯାଇ ଅଭିଯୋଗ କରିବାରୁ ମଞ୍ଚେଶ୍ବର ଥାନା ମଧ୍ୟ ସମାନ କଥା କହି ଅଭିଯୋଗ ଗ୍ରହଣ କରିନଥିଲା। ଏହାପରେ ରାଜୁ ଭିଏସ୍‌ଏସ୍‌ ନଗର ଫାଣ୍ଡିକୁ ଯାଇ ଅଭିଯୋଗ କରିଥିଲେ। ମାତ୍ର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ରାଜୁ ଓ ତାଙ୍କ ପତ୍ନୀ ଆଜି ସକାଳ ସାଢ଼େ ୧୦ଟା ସମୟରେ ସହିଦନଗର ଥାନା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ପୁଲିସ ସେମାନଙ୍କୁ ସେଥିରୁ ନିବୃତ୍ତ କରି ଥାନାକୁ ନେଇଥିଲା। ଆଉ କେସ୍‌ ନଂ ୩୧୨ରେ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରି ଦେଇଥିଲା।

ଅନ୍ୟପଟେ ସହିଦନଗର ଥାନା ପୁଲିସ କହିଛି ଯେ, ୬ମାସ ତଳେ ରାଜୁ ଭଗବାନ ବେହେରାଙ୍କ ପୁଅକୁ ମାଡ଼ମାରି ହାତ ଭାଙ୍ଗି ଦେଇଥିଲା। ଏହି ମାମଲାରେ ଗତ ଜାନୁଆରି ୧୪ରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେବେଠାରୁ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗତ ୮ ତାରିଖ ଦିନ ରାଜୁ ଓ ତାଙ୍କ ପରିବାର ମଧ୍ୟ ଭଗବାନଙ୍କ ପରିବାରକୁ ଆକ୍ରମଣ କରିଥିଲେ। ତେଣୁ ଏ ନେଇ ଦୁଇଟି ମାମଲା ରୁଜୁ ହୋଇ। ରାଜୁଙ୍କ ଅଭିଯୋଗ କ୍ରମେ କେସ୍ ନଂ-୩୧୦ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଭଗବାନ ଅଭିଯୋଗକ୍ରମେ କେସ୍‌ ନଂ ୩୧୧ରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।

ଏଠି ପ୍ରଶ୍ନ ଉଠୁଛି କିଏ ସତ କହୁଛି, ପୁଲିସ ନା ରାଜୁ? ସହିଦନଗର ଥାନା ଅଞ୍ଚଳରେ ଘଟଣା ଘଟିଥିବା ବେଳେ ପୁଲିସ ପ୍ରଥମେ ମାମଲା ରୁଜୁ ନକରି କାହିଁକି ରାଜୁଙ୍କ ପରିବାରକୁ ବୁଲାଉଥିଲା? ନ୍ୟାୟ ପାଇବାକୁ ଆସି ପୀଡ଼ିତ ପରିବାର ଫସିଯାଇ ନାହାନ୍ତି ତ? ଯଦି ରାଜୁ ଓ ଭଗବାନ ଗତ ୮ ତାରିଖରେ ଏ ନେଇ ଅଭିଯୋଗ କରିଥିଲେ, ତେବେ ପୁଲିସ ସେହିଦିନ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ କାହିଁକି?

ସମ୍ବନ୍ଧିତ ଖବର