ମନ୍ଦିର ବାହୁଡ଼ିଲେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ସ୍ବମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହେବା ପରେ ଆଜି ଦେବଦମ୍ପତିଙ୍କୁ ଏକାମ୍ର କ୍ଷେତ୍ରରେ ବର୍ଣ୍ଣାଢ୍ୟ ରୋଶଣି ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ମନ୍ଦିରକୁ ନିଆଯାଇଥିଲା। ସମଗ୍ର ରାସ୍ତା ଆଲୋକରେ ସଜା ଯାଇଥିବା ବେଳେ ବାଣ, ରୋଷଣି ବାଜାର ପଟୁଆରରେ ନବଦମ୍ପତି ସ୍ୱର୍ଣ୍ଣାଦ୍ରୀ ବିଜେ କରିଥିଲେ।

ନବଦମ୍ପତିଙ୍କ ଦର୍ଶନ ପାଇଁ ଭିଡ଼
ବିଳମ୍ବରେ ସକାଳେ ବିବାହ ସମ୍ପନ୍ନ ପରେ ଆଜି ନବ ଦମ୍ପତିଙ୍କ ଦର୍ଶନ ପାଇଁ କେଦାରଗୌରୀ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଦେବଦେବୀଙ୍କ ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ବନ୍ଦାପନା କରିଥିଲେ।

ବାଦ୍ୟରେ କମ୍ପିଲା ରଥଦାଣ୍ଡ
ନବଦମ୍ପତି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଗୋଟିଏ ବିମାନରେ ଆସିଥିବା ବେଳେ ଅନ୍ୟ ଏକ ପାଲିଙ୍କରେ ଶ୍ରୀଅନନ୍ତ ବାସୁଦେବ ଆସିଥିଲେ। ଓଡ଼ିଶାର ଦ୍ୱିତୀୟ ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ବାଦ୍ୟ ପରିବେଷଣରେ ରଥଦାଣ୍ଡ କମ୍ପି ଉଠିଥିଲା। ଘଣ୍ଟ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋ‌ଲ ମହୁରୀ, ବନ୍ୟଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଂଗୀତ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

ଜମିଲା ଲଉଡ଼ି ଖେଳ
ଶୀତଳଷଷ୍ଠୀରେ ଲଉଡ଼ି ଖେଳ ଦର୍ଶକଙ୍କୁ ବିମୋହିତ କରିଥିଲା। ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଊର୍ଦ୍ଧ୍ବ ଯୁବକ ଲଉଡ଼ି ଖେଳି ରଥଦାଣ୍ଡରେ ଠାକୁରଙ୍କୁ ପାଛୋଟି ନେଇଥିଲେ। ଆପଟିଆ ସେବାୟତଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ସନତ ମିଶ୍ର, ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର ପ୍ରଶଂସା କରିଥିଲେ।

ଭୋର୍‌ରେ ହେଲା କଉଡ଼ି ଖେଳ
ଦେବଦେବୀ ମନ୍ଦିରରେ ପ୍ରବେଶ ପରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ସେବାୟତମାନେ ନବଦମ୍ପତିଙ୍କୁ ମନ୍ଦିରକୁ ପାଛୋଟି ନେବା ପରେ ନୀତି ପୂଜା କରାଯାଇଥିଲା। ଏହାପରେ ସେବାୟତମାନେ ଉଭୟ ପକ୍ଷରୁ କଉଡ଼ି ଖେଳିଥିଲେ। ଏହାକୁ ଦେଖିବାକୁ ବହୁ ମହିଳାଙ୍କ ଭିଡ଼ ଜମିଥିଲା।

କେଦାରଗୌରୀରେ ଭଜନ ସମାରୋହ
ମହାପ୍ରଭୁଙ୍କ ଶୀତଳଷଷ୍ଠୀ ପାଇଁ କେଦାରଗୌରୀ ଡେଭଲପ୍‌ମେଣ୍ଟ କମିଟି ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀମାନେ ଭକ୍ତ ସଙ୍ଗୀତ ପରିବେଷଣ କରିଥିଲେ। ସେହିପରି ଅଷ୍ଟପ୍ରହରୀ ନାମ ଯଜ୍ଞ କରାଯାଇଥିବା ବେଳେ ଆଜି କେଦାରଗୌରୀ ମନ୍ଦିର ପରିସରରେ ୧୦ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ମହାପ୍ରଭୁଙ୍କୁ ପାଛୋଟି ଆଣିଲେ ଭକ୍ତ
କେଦାରଗୌରୀ ମନ୍ଦିରରୁ ରାତି ୧୧ଟା ୨୦ରେ ନବଦମ୍ପତି ବହାରିଥିଲେ। ଶାନ୍ତି ଶୃଙ୍ଖଳା ରଖିବା ପାଇଁ ୬ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା। ପୁଲିସ ଓ ସେବାୟତଙ୍କ ଗହଣରେ ଠାକୁର ମନ୍ଦିରକୁ ଆସିଥିଲେ।

ସମ୍ବନ୍ଧିତ ଖବର