ଝାରପଡ଼ା ଜେଲ୍‌ରେ ଆରମ୍ଭ ହେଲା କୋଭିଡ୍ ପରୀକ୍ଷା, ପ୍ରଥମ ଦିନରେ ୧୯୫ କଏଦୀଙ୍କ ଟେଷ୍ଟ

ରାଜ୍ୟରେ ୧୦୯୯ କଏଦୀ ନେଇ ସାରିଲେଣି ଦ୍ବିତୀୟ ଡୋଜ୍

ଭୁବନେଶ୍ବର: କୋଭିଡ୍ ମୁକାବିଲା ନେଇ ଗତକାଲି ସମୀକ୍ଷା ପରେ ଆଜି ଝାରପଡ଼ା ଜେଲରେ ଆରମ୍ଭ ହୋଇଛି ପରୀକ୍ଷା। ବିଏମସି ସହାୟତାରେ ପ୍ରଥମ ଦିନରେ ୧୯୫ଜଣ କଏଦୀଙ୍କ ପରୀକ୍ଷା କରାଯିବା ସହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କୁହାଯାଇଛି। ଅନ୍ୟ କଏଦୀମାନଙ୍କର ପରୀକ୍ଷା ପର୍ଯ୍ୟାୟକ୍ରମେ ହେବ ବୋଲି ଜଣାପଡ଼ିଛି।

ଜେଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ବହୁବିଧ ରୋଗରେ ଆକ୍ରାନ୍ତ ୪୫ବର୍ଷରୁ ଅଧିକ କଏଦୀଙ୍କୁ ଟିକା ଦିଆଯାଇଛି। ୧୦୯୯ଜଣ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଥିବା ବେଳେ ୭୨୮ଜଣ ପ୍ରଥମ ଡୋଜ୍ ନେଇସାରିଛନ୍ତି। ଦ୍ବିତୀୟ ଡୋଜ୍ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ବାରା ବ୍ୟବସ୍ଥା କରାଯାଉଛି। ସେହିପରି ଅନ୍ୟ କଏଦୀଙ୍କ ଟିକାକରଣ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି। ସମ୍ମୁଖ କୋଭିଡ୍ ଯୋଦ୍ଧା ହିସାବରେ ସମସ୍ତ ଜେଲ୍ କର୍ମଚାରୀ ମଧ୍ୟ ଟିକା ନେଇସାରିଛନ୍ତି।

ଗତକାଲି ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଜେଲ୍ ଅଧୀକ୍ଷକମାନେ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ସହାୟତାରେ କଏଦୀଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ନିୟମ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଯୋଗ୍ୟ କଏଦୀମାନଙ୍କର ମୁକୁଳିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଝାରପଡ଼ା ଜେଲ ଅଧୀକ୍ଷକ, ଜେଲରଙ୍କ ସମେତ ୧୧ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲ କୋଭିଡ୍ ଵାର୍ଡରେ ମୃତ୍ୟୁ ହୋଇଥିଲା। ଜେଲରୁ ଜାମିନରେ ମୁକୁଳିଥିବା କେତେକ କଏଦୀଙ୍କର ମଧ୍ୟ ପଜିଟିଭ୍‌ ବାହାରିଥିଲା। ଝାରପଡ଼ା ଜେଲ କୋଭିଡ୍‌ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଥିଲା।

ସମ୍ବନ୍ଧିତ ଖବର