ଧରାପଡ଼ିଲା ଗାଈ ଚୋର, ପୁଲିସକୁ ମାଡ଼ ମାରି ଫେରାର ଥିଲା

ଭୁବନେଶ୍ବର : ଶେଷରେ ଧରାପଡ଼ିଛି ଗାଈ ଚୋର। ଗତ ଜାନୁଆରି ୩୧ ତାରିଖ ଦିନ ଜଣେ କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରି ଗାଈ ନେଇ ପଳାଇଥିବା ଗାଙ୍ଗ୍‌ର ଜଣକୁ ଧରିଛି ବଡ଼ଗଡ଼ ଥାନା ପୁଲିସ। ସେ ହେଉଛି ପିପିଲି ଦାନଗୋହିରାର ମହମ୍ମଦ ରହିମ୍‌। ଜାନୁଆରି ୩୧ ତାରିଖ ରାତି ପ୍ରାୟ ୨ଟା ବେଳେ ବଡ଼ଗଡ଼ ଥାନା ଠାରୁ ମାତ୍ର କିଛି ଦୂରରେ କନେଷ୍ଟବଳ ଧୀରେନ୍ଦ୍ର ସାହୁ ଡ୍ୟୁଟି କରୁଥିଲେ। ତାଙ୍କ ଠାରୁ କିଛି ଦୂରରେ ଏକ ଟ୍ରା‌ଭେରା ଗାଡ଼ି ଆସି ରାସ୍ତାରୁ ଏକ ଗାଈକୁ ଧରି ନେବା ପାଇଁ ଉଦ୍ୟମ କରିଥିଲେ। ଧୀରେନ୍ଦ୍ର ଜଣକୁ ମାଡ଼ି ବସିଥିଲେ। ହେଲେ ହଠାତ୍ ଗାଡ଼ି ଭିତରୁ ଆଉ ୪ ଜଣ ବାହାରି ପଡ଼ିଥିଲେ ଓ ଲୁହା ରଡ୍‌ରେ ଆଣି ତାଙ୍କୁ ପିଟି ପକାଇଥିଲେ।

ଧୀରେନ୍ଦ୍ର ଚିତ୍କାର କରିଥିଲେ ବି ଥାନାରୁ କୌଣସି କର୍ମଚାରୀ ସେଠାରେ ପହଞ୍ଚି ପାରିନଥିଲେ। ଧୀରେନ୍ଦ୍ର ସଂଜ୍ଞାହୀନ ହୋଇପଡ଼ିବା ପରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ। ଚିତ୍କାର ଶୁଣି ବଡ଼ଗଡ଼ ଥାନା କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ ନେଇଥି‌ଲେ। ତାଙ୍କ ମୁଣ୍ଡ ଓ ଶରୀରରେ ୮ଟି ଷ୍ଟିଚ୍‌ ପଡ଼ିଥିଲା। ଚୋରକୁ ଚିହ୍ନଟ କରିବାର କୌଣସି ସୁଯୋଗ ନଥିଲା। ଯେଉଁ ଗାଡ଼ି ବ୍ୟବହାର କରିଥିଲେ ତାହାର ମଧ୍ୟ ନକଲି ନମ୍ବର ଥିଲା। କଳ୍ପନା ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ କେବଳ ଗାଡ଼ି ପୁଲିସ ଦେଖିଥିଲା। ଗାଡ଼ି ପୁରୀ ଆଡ଼େ ଯାଉଥିବାରୁ ପୁଲିସ ପୁରୀ ଯାଇ ଖୋଳତାଡ଼ କରିଥିଲା। ଶେଷରେ ପିପିଲିରୁ ଧରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର