ଚନ୍ଦ୍ରଶେଖରପୁର: ଏକତରଫା ପ୍ରେମ ଆରମ୍ଭ ହୋଇଥିଲା ଦାର୍ଜିଲିଂରୁ। ୬ବର୍ଷ ତଳର ଘଟଣା। ଅନିଚ୍ଛା ସତ୍ତ୍ବେ ମହିଳାଙ୍କ ପିଛା ଛାଡ଼ିନଥିଲା ପାଗଳ ପ୍ରେମିକ। କିଛି ଦିନ ପରେ ବିବାହ କରି ମହିଳାଜଣକ ବିହାର ଚାଲିଗଲେ। ସେଠି ବି ପହଞ୍ଚିଗଲା ପ୍ରେମପାଗଳ। ମହିଳାଜଣକ ତା’ର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କଲେ ଏବଂ ସେଠାରୁ ତଡ଼ିଦେଲେ। କିଛି ଦିନ ପରେ ମହିଳାଜଣକ ରୋଜଗାର କରିବା ଲକ୍ଷ୍ୟ ନେଇ ଭୁବନେଶ୍ବର ଆସି ରାଜପଥ କଡ଼ରେ ମୋମୋ ବିକିଲେ। ନିୟମିତ ଖବର ରଖୁଥିବା ପାଗଳ ପ୍ରେମିକ ଏଠି ବି ପହଞ୍ଚିଗଲା। ଏଥର ସେ ଜୋର୍‌ଜବରଦସ୍ତ ପ୍ରେମ ନିବେଦନ କଲା ଏବଂ ବିଫଳ ହେବାରୁ ମହିଳାଙ୍କ ବେକରେ ଛୁରି ଭୁସିଦେଲା। ସୌଭାଗ୍ୟକୁ ମହିଳାଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ପାଗଳ ପ୍ରେମିକକୁ ଜେଲ୍‌ ଯିବାକୁ ପଡ଼ିଛି। ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଥିବା ଏଭଳି ମାମଲାରେ ପୁଲିସ ଅଭିଯୁକ୍ତକୁ ବାନ୍ଧି ଜେଲ୍‌ ହାଜତକୁ ପଠାଇଛି। ଅଭିଯୁକ୍ତ ହେଲା ଦାର୍ଜିଲିଂର ଟିକୁ ଗୁରୁମ୍‌।  
ଘଟଣାଟି ଏମିତି। ଦାର୍ଜିଲିଂରେ ଏକ ଚା ବଗିଚାରେ ଟିକୁ ଓ ମହିଳାଜଣକ ଶ୍ରମିକଭାବେ କାମ କରୁଥିଲେ। ଟିକୁ ମନେମନେ ମହିଳାଙ୍କୁ ଭଲ ପାଇବସିଲା ଏବଂ ଖୋଲାଖୋଲି ପ୍ରେମ ନିବେଦନ କଲା। ମାତ୍ର ମହିଳାଜଣକ ରୋକ୍‌ଠୋକ ମନା କରିଦେଲେ। ତଥାପି ଟିକୁ ମନ ଉଣା କଲାନାହିଁ ଏବଂ ବାରମ୍ବାର ମହିଳାଙ୍କୁ ପ୍ରେମ ନିବେଦନ କଲା। ଏହା ଭିତରେ ମହିଳାଜଣକ ବିବାହ କରି ବିହାର ଚାଲିଗଲେ। ଟିକୁ ସେଠି ବି ପହଞ୍ଚି ମହିଳାଙ୍କୁ ହଇରାଣ କଲେ। କିଛି ଦିନ ପରେ ମହିଳାଜଣକ ଭୁବନେଶ୍ବର ଚାଲିଆସି ବୁଦ୍ଧବିହାର ଅଞ୍ଚଳରେ ରହି ମୋମୋ ବିକ୍ରି କରି ପେଟ ପୋଷୁଥିଲେ। ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର ନିକଟରେ ରାଜପଥ କଡ଼ରେ ସେ ମୋମୋ ଠେଲାଗାଡ଼ି ଧରି ବେପାର କରୁଥିଲେ। ଗତକାଲି ରାତି ପ୍ରାୟ ୮ଟା ବେଳେ ଟିକୁ ସେଠି ପହଞ୍ଚିଯାଇଥିଲା। ହଠାତ୍ ତାକୁ ଦେଖି ମହିଳାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ବିରକ୍ତ ହୋଇ ତାକୁ ସେଠାରୁ ଚାଲିଯିବା ପାଇଁ କହିଥିଲେ। ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ରୁଣ୍ଡ ହୋଇଥିଲେ ଏବଂ ଟିକୁକୁ ଧମକ ଦେଇ ବିଦା କରିଦେଇଥିଲେ। କିଛି ସମୟ ପରେ ଅର୍ଥାତ୍ ରାତି ପ୍ରାୟ ୯ଟା ବେଳେ ଟିକୁ ପୁଣି ମହିଳାଙ୍କ ପାଖକୁ ଆସି ପ୍ରେମ ନିବେଦନ କରିଥିଲା। ମହିଳାଜଣକ ଦୋକାନ ବନ୍ଦ କରି ଘରକୁ ଚାଲିଯିବା ପାଇଁ ଉଦ୍ୟମ କରିବାରୁ ଟିକୁ ବଳପୂର୍ବକ ତାଙ୍କୁ ଆଲିଙ୍ଗନ କରିଥିଲା। ରାଗିଯାଇ ମହିଳାଜଣକ ତାକୁ ଠେଲିଦେଇଥିଲେ। ଟିକୁ ତଳେ ପଡ଼ିଯାଇଥିଲା। ମହିଳାଙ୍କଠାରୁ ଧକ୍କା ଖାଇବା ପରେ ତା ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ପକେଟ୍‌ରୁ ଛୁରି ବାହାର କରି ମହିଳାଙ୍କ ବେକକୁ ଭୁସିଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପାଖ ଦୋକାନୀମାନେ ଘଟଣାସ୍ଥଳକୁ ଧାଇଁ ଆସି ଟିକୁ କାବୁ କରି ପୁଲିସ ଜିମା ଦେଇଥିଲେ।

Advertisment