ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟ ଭିଜନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୮ତମ ଧଉଳି କଳିଙ୍ଗ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍, କଥକ ଓ ସମରକଳା ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରଥମ କାର୍ଯ୍ୟକ୍ରମ ଥିଲା ଭାରତନାଟ୍ୟମ ନୃତ୍ୟ। ଚିଥକଳା ସ୍କୁଲ୍ ଅଫ୍ ଡ୍ୟାନ୍ସ ଅନୁଷ୍ଠାନର ପି ପ୍ରବୀଣ କୁମାର ଓ ସାଥୀମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ କଥକ ନୃତ୍ୟ ମନ ମୋହିଥିଲା। ଉର୍ବଶୀ ଡ୍ୟାନ୍ସ ଓ କଲ୍ଚରାଲ୍ ସୋସାଇଟିର ଶିଳ୍ପୀ ରେଖା ମେହେରା ଓ ସାଥୀମାନେ କଥକ ନୃତ୍ୟ ମାଧ୍ୟମରେ ବ୍ରହ୍ମାଣ୍ଡ ସୃଷ୍ଟି ବର୍ଣ୍ଣନା କରିଥିଲେ।
ଏହି ନୃତ୍ୟ ସଂରଚନା କରିଥିଲେ ରେଖା ମେହେର ଓ ବରୁଣ ବାନାର୍ଜୀ। ସଙ୍ଗୀତ ସଂଯୋଜନା କରିଥିଲେ ପ୍ରତୀକ ବାନାର୍ଜୀ ଓ ଶିବ ଶଙ୍କର ରାୟ। ଶେଷରେ ତ୍ରିଧାରା ଅନୁଷ୍ଠାନର ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀଙ୍କ ଦ୍ବାରା ନାଟକ ପ୍ରହଲ୍ଲାଦ ପରିବେଷିତ ହୋଇଥିଲା। ବିଷ୍ଣୁ ନରସିଂହ ଅବତାର ଧାରଣ କରି ହିରଣ୍ୟକଶ୍ୟପଙ୍କୁ ବଧ କରିବା ଦୃଶ୍ୟ ସମରକଳା ନୃତ୍ୟ ମାଧ୍ୟମରେ ପରିବେଷିତ ହୋଇଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା। ସ୍ବର ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ବର ସ୍ବାଇଁ।
ଏହି ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଭାପତି ସତ୍ୟାନନ୍ଦ ମିଶ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ କୁମ୍କୁମ୍ ମହାନ୍ତି, ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର, ଯୁଗ୍ମ ଶାସନ ସଚିବ ଏଲୋରା ଭାରତୀ ଜେନା, ଓଟିଡିସିର ସାଧାରଣ ପରିଚାଳକ ଶାନ୍ତନୁ କୁମାର ମହାନ୍ତି, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍ର ସଚିବ ଇଲିୟାନା ସିତାରିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ତାରିଣୀ ତନୁଜା ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/31-15.jpg)