ରାଜଧାନୀରେ ରେମଡେସିଭିର ସଂକଟ, ଅଧିକାଂଶ ଘରୋଇ ହସ୍ପିଟାଲରେ ଏବେଠୁ ଅଭାବ

ଭୁବନେଶ୍ବର: ରାଜ୍ୟର ଘରୋଇ ହସ୍ପିଟାଲରେ ରେମଡେସିଭିର ଇଞ୍ଜେକସନ୍ ସଂକଟ ଦେଖା ଦେଇଛି। ଦେଶବ୍ୟାପୀ ହଠାତ୍ ରେମଡେସିଭିର ଇଞ୍ଜେକସନ୍‌ର ଚାହିଦା ବଢ଼ି ଯାଇଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ରାଜଧାନୀର ଅଧିକାଂଶ ଘରୋଇ ହସ୍ପିଟାଲରେ ଏବେ ହାତଗଣତି ଏହି ଇଞ୍ଜେକସନ୍ ରହିଥିବା ଜଣାପଡ଼ିଛି। ରାଜ୍ୟରେ କମ୍ପାନିର ଯେଉଁ ସି ଏଣ୍ଡ ଏଫ୍‌ ରହିଛନ୍ତି ସେମାନଙ୍କ ନିକଟକୁ କମ୍ ସଂଖ୍ୟାରେ ରେମଡେସିଭିର ଆସୁଥିବାରୁ ଏଭଳି ସଂକଟ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ୟା କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ଅଧିକାଂଶ ଘରୋଇ ହସ୍ପିଟାଲ କୋଭିଡ୍‌ ବାହାନାରେ ରୋଗୀଙ୍କୁ ଫେରାଇଦେବା ଭଳି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ରାଜଧାନୀରେ କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲଙ୍କ ନିକଟରେ ରେମଡେସିଭିର ନ ଥିବା ସୂଚନା ମିଳିଛି।

ରାଜଧାନୀର ଏକ ଘରୋଇ ହସ୍ପିଟାଲର ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି, ଆଉ ଜଣେ କିମ୍ବା ୨ଜଣ ରୋଗୀଙ୍କ ପାଇଁ ରେମଡେସିଭିର ହସ୍ପିଟାଲରେ ଅଛି। ଜଣେ ରୋଗୀଙ୍କୁ ରେମଡେସିଭିର ଦିଆଯିବା ଫଳରେ ସେ ଗୁରୁତର ଅବସ୍ଥାକୁ ଯାଉନାହାନ୍ତି। ଜଣେ ରୋଗୀଙ୍କୁ ୬ଟି ରେ‌ମଡେସିଭର ଦିଆଯାଉଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରେମଡେସିଭିର ଚାହିଦା ରହିଥିବା ସେ କହିଛନ୍ତି। ‌ତେବେ ଚଳିତମାସ ୨୫ରୁ ୩୦ତାରିଖ ମଧ୍ୟରେ ରାଜ୍ୟକୁ ୧୧ହଜାର ଭାଏଲର ‌ରେମଡେସିଭିର ଆସିବ। ୬/୭ଟି ଔଷଧ କମ୍ପାନି ଏହି ଇଞ୍ଜେକସନ୍ ‌ଯୋଗାଇବେ। ହେଲେ ଏବେ ଦିନକୁ ୫/୬ ଭାଏଲ ଆସୁଛି। ଯାହାକୁ ନେଇ ରେମଡେସିଭିର ସଂକଟ ଦେଖାଦେବା ସ୍ବାଭାବିକ ବୋଲି ରାଜ୍ୟ ଔଷଧ ସଂଘର ଜଣେ କର୍ମକର୍ତା କହିଛନ୍ତି। ଅପରପକ୍ଷରେ ରାଜ୍ୟ ଡ୍ରଗ୍‌ସ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟକୁ ଏବେ ଯଥେଷ୍ଟ କମ୍ ସଂଖ୍ୟକ ରେମଡେସିଭିର ଆସୁଛି। ଗତ ସପ୍ତାହରେ ଗୋଟିଏ ଔଷଧ କମ୍ପାନିର ମାତ୍ର ୯ ଭାଏଲ ଇଞ୍ଜେଜକସନ୍ ଆସିଛି। ତେଣୁ ସବୁ ହସ୍ପିଟାଲକୁ ଯଥେଷ୍ଟ ପରିମାଣର ଏହାକୁ ପାଇବା ସମ୍ଭବ ନୁହେଁ ବୋଲି ଅଧିକାରୀ ଜଣକ କହିଛନ୍ତି। ରାଜ୍ୟରେ ଏହାର ଯେପରି କଳାବଜାର ନ ହେବ ସେଥିପାଇଁ ଚଢ଼ଉ ଜାରି ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଯେଉଁ ଘରୋଇ ହସ୍ପିଟାଲମାନେ କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ସେମାନଙ୍କ ଚାହିଦା ସଂପର୍କରେ ସୂଚନା ଦିଅନ୍ତୁ। ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇପାରନ୍ତି। ମାତ୍ର ରାଜ୍ୟ ସରକାରଙ୍କ କୋଭିଡ୍‌ ବ୍ୟବସ୍ଥାରେ ଯଥେଷ୍ଟ ପରିମାଣର ରେମଡେସିଭିର ରହିଥିବା ସେ କହିଛନ୍ତି। ଏ ସଂପର୍କରେ ରାଜ୍ୟ ଔଷଧର ନିଗମର ପରିଚାଳନା ନିର୍ଦେଶିକାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର