ପ୍ରକଳ୍ପ ସଂଯୋଜକଙ୍କ ପ୍ରକୋଷ୍ଠ ଖାଲି କଲା ସଂସ୍କୃତି ବିଭାଗ: ଭିନ୍ନ ମୋଡ଼ ନେଲା ଲୋକକଳା ପ୍ରକୋଷ୍ଠ ବିବାଦ

ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ଅର୍ଥ ବିଭାଗ

ଭୁବନେଶ୍ବର: ‘ରାଜ୍ୟ କଳାସଂସ୍କୃତି ସଂଘ’ ଓ ‘କଳାକାର ମହାସଂଘ ପ୍ରକୋଷ୍ଠ’ର ପ୍ରଶାସନିକ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। ପ୍ରକଳ୍ପ ସଂଯୋଜକଙ୍କ ନାମରେ କୋଟିଏରୁ ଅଧିକ ଟଙ୍କାର ଅନିୟମିତତା ଅଭିଯୋଗ ଆସିବା ପରେ ଧୀରେଧୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଲୋକକଳା କାର୍ଯ୍ୟକ୍ରମ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡ଼ିଥିଲା। ବିଭାଗର ନୋଟିସ୍‌ ପରେ ମଧ୍ୟ ପ୍ରକଳ୍ପ ସଂଯୋଜକ ନିଜ ସରକାରୀ ପ୍ରକୋଷ୍ଠ ତଥା ସରକାରୀ ଦସ୍ତାବିଜ ସଂସ୍କୃତି ବିଭାଗକୁ ହସ୍ତାନ୍ତର ନ କରିବାରୁ ଗତକାଲି ସଂସ୍କୃତି ବିଭାଗ ତାଙ୍କ ସରକାରୀ ପ୍ରକୋଷ୍ଠକୁ ଖାଲି କରିବା ସହ ସବୁ ଦସ୍ତାବିଜ ଜବତ କରିଛି। ଖୋର୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବଡ଼ଗଡ଼ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂଯୋଜକଙ୍କ ପ୍ରକୋଷ୍ଠ ଖୋଲାଯାଇଥିଲା। ଏଥିସହ ତାଙ୍କ ନାମରେ ଥିବା ଆର୍ଥିକ ଅନିୟମିତତା ପ୍ରସଙ୍ଗରେ ଅର୍ଥ ବିଭାଗ ପକ୍ଷରୁ ଅଡିଟ୍‌ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ କଳାସଂସ୍କୃତି ସଂଘ(ଆର୍‌କେଏସ୍ଏସ୍) ଓ କଳାକାର ମହାସଂଘ ପ୍ରକୋଷ୍ଠ(ଏଏଫ୍‌ସି)ର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରୁ ଜଣାପଡ଼ିଥିଲା ଯେ ଲୋକକଳା କାର୍ଯ୍ୟକ୍ରମର କୌଣସି କ୍ୟାସ୍‌ବୁକ୍ ଲିଖିତ ଆକାରରେ ରଖାଯାଉନାହିଁ। ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଅଗ୍ରୀମ ଆକାରରେ ନେଇଛନ୍ତି। ଏହା କେବଳ ନିର୍ଦ୍ଦେଶକଙ୍କ ନୋଟ୍‌ସିଟ୍ ଭିତ୍ତିରେ ନିଆଯାଇଛି। ଏହାର କୌଣସି ହିସାବ ଓ କାଗଜପତ୍ର ପ୍ରକଳ୍ପ ସଂଯୋଜକ ରଖିନାହାନ୍ତି। ଏଭଳି ଏକ ଗୁରୁତର ଆର୍ଥିକ ଅନିୟମିତତା ସାମ୍‌ନାକୁ ଆସିବା ଫଳରେ ପ୍ରକଳ୍ପ ସଂଯୋଜକଙ୍କୁ ପ୍ରତ୍ୟାହାର କରି ନେବା ପାଇଁ ୟୁନିସେଫ୍‌କୁ ସଂସ୍କୃତି ବିଭାଗ ଚିଠି ଲେଖିଲା।

ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକଳ୍ପ ସଂଯୋଜକଙ୍କୁ ଦିଆଯାଇଥିବା ସରକାରୀ ପ୍ରକୋଷ୍ଠକୁ ଖାଲି କରି ସମସ୍ତ ଆବଶ୍ୟକ ସରକାରୀ ଦସ୍ତାବିଜ ବିଭାଗକୁ ହସ୍ତାନ୍ତର କରିବାକୁ ତାଙ୍କୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପ ସଂଯୋଜକ ପ୍ରକୋଷ୍ଠରେ ତାଲା ପକାଇ ପଳାଇଥିଲେ। ଏଥିସହ ଏହି ବିବାଦ ପ୍ରସଙ୍ଗରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ସମସ୍ୟା ଜଣାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରୀ ମାଲବିଶୋୟୀ ଏ ସମ୍ପର୍କରେ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କୁ ଆଉ ଦେଖା କରି ନଥିଲେ। କିଛି ଦିନ ତଳେ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଧା ଉପ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖାଯାଇ ପ୍ରକଳ୍ପ ସଂଯୋଜକଙ୍କ ପ୍ର‌କୋଷ୍ଠର ତାଲା ଖୋଲିବାକୁ ଅନୁମତି ମାଗାଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ତାଲା ଖୋଲାଯିବା ସହ ସମସ୍ତ ଦସ୍ତାବିଜ ଜବତ ହୋଇଛି। ଅନ୍ୟପଟେ ଲୋକକଳା ପ୍ରକୋଷ୍ଠକୁ ପୁଣି କାର୍ଯ୍ୟକ୍ଷମ କରି ପୂର୍ବ ଭଳି ସମସ୍ତ କାର୍ଯ୍ୟକ୍ରମ କରିବାକୁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋର୍‌ ଧରିଛି। ଏଥିସହ ଜିଲ୍ଲା ଲୋକକଳା ସଂଘ ଅଧିକାରୀମାନଙ୍କୁ ଡକାଇ ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ଓ ଅବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ସୂଚନା‌ଯୋଗ୍ୟ, ଲୋକକଳାର ପ୍ରଚାର ପ୍ରସାର ତଥା ଲୋକକଳା କଳାକାରମାନଙ୍କ ଜୀବିକା ବଞ୍ଚାଇ ରଖିବା ପାଇଁ ୨୦୧୧ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳା ପ୍ରକୋଷ୍ଠ ଉଦ୍‌ଘାଟନ କରିଥିଲେ। ଲୋକକଳାର ବିକାଶ ପାଇଁ ସଂସ୍କୃତି ବିଭାଗକୁ ୟୁନିସେଫ୍ ବୈଷୟିକ, ଆର୍ଥିକ ଓ ମାନବ ସମ୍ବଳ ସହାୟତା ଯୋଗାଇ ଦେଇଥିଲା। କାର୍ଯ୍ୟକ୍ରମର ତଦାରଖ ପାଇଁ ୟୁନିସେଫ ଦ୍ୱାରା ପ୍ରକଳ୍ପ ସଂଯୋଜକ ନିଯୁକ୍ତ କରାଯାଇଥିଲା। ପ୍ରତିବର୍ଷ ତାଙ୍କ ନିଯୁକ୍ତି କାର୍ଯ୍ୟ ଓ ଲକ୍ଷ୍ୟ ହାସଲର ତର୍ଜମା ପରେ ଚୁକ୍ତିନାମା ନବୀକରଣ କରାଯିବାର ବ୍ୟବସ୍ଥା ହୋଇଥିଲା। ବେଶ୍‌ କିଛି ବର୍ଷ କାମ ସୁରୁଖୁରୁରେ ଚାଲିଲା। କିନ୍ତୁ ଧୀରେଧୀରେ ବହୁ ବେନିୟମ କାମ ଓ ଆର୍ଥିକ ଅନିୟମିତତାର ମାମଲା ସାମ୍‌ନାକୁ ଆସିଲା।

ସମ୍ବନ୍ଧିତ ଖବର