ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନ ବାନର ଦୁନିଆ ପରିସରରେ ଅଛନ୍ତି ଦୁଇଟି ତୁଳାମୁଣ୍ଡିଆ ବାନର(କଟନ୍ଟଫ୍ଟେଡ୍ ତାମାରିନ୍)। ନନ୍ଦନକାନନର କୁନି ପର୍ଯ୍ୟଟକଙ୍କ ପାଇଁ ଏହି କ୍ଷୁଦ୍ରକାୟ ବାନରଯୋଡ଼ି ଅନ୍ୟତମ ଆକର୍ଷଣ ପାଲଟିଛନ୍ତି। କାଚଘର ଭିତରେ ଖେଳୁଥିବା ଏହି ବାନରଯୋଡ଼ିଙ୍କ ଉପରେ ଆଖି ପଡ଼ିଲେ, ପର୍ଯ୍ୟଟକମାନେ ବାଧ୍ୟହୋଇ ଅଟକି ଯାଉଛନ୍ତି। ଛୋଟ ପିଲାମାନେ ତ କାଚଘର ଛାଡ଼ିକି ଯିବାକୁ ମନ କରୁନାହାନ୍ତି। ମଜାର କଥା ହେଉଛି, ପିଲାଙ୍କୁ ଦେଖିବା ମାତ୍ରେ ଏହି ବାନର ଯୋଡ଼ି କାଚ କାନ୍ଥ ପାଖକୁ ଚାଲିଆସୁଛନ୍ତି ଏବଂ ବିଭିନ୍ନ ଭଙ୍ଗୀରେ ଖେଳିବା ଆରମ୍ଭ କରୁଛନ୍ତି। ବହୁ ସମୟରେ ସେମାନେ ଜିଭ ବାହାର କରି ପିଲାଙ୍କୁ ଖତେଇ ହେଉଛନ୍ତି। କାଚରେ ଘଷିହୋଇ ପିଲାଙ୍କ ସହ ମିଶିବାକୁ ଉଦ୍ୟମ କରୁଛନ୍ତି। ତେଣୁ ପିଲାମାନେ ବେଶ୍ ମଜା ନେଉଛନ୍ତି ଏବଂ ସେମାନେ ମଧ୍ୟ ନିଜ ଜିଭ କାଢ଼ି ମାଙ୍କଡ଼ଙ୍କୁ ଖତେଇ ହେଉଛନ୍ତି। ପିଲାଙ୍କ ଭଳି ମହିଳା ପର୍ଯ୍ୟଟକମାନେ ମଧ୍ୟ ଏହି ବିରଳ ତୁଳାମୁଣ୍ଡିଆ ମାଙ୍କଡ଼ଙ୍କ ସହ ଖେଳୁଥିବା ଦେଖିବାକୁ ମିଳୁଛି।
୨୦୨୩ ମସିହାରେ ନନ୍ଦନକାନନ କର୍ତ୍ତୃପକ୍ଷ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ମାଙ୍କଡ଼ଯୋଡ଼ିକୁ ଆଣିଛନ୍ତି। ଏମାନଙ୍କର ଓଜନ ପାଖାପାଖି ଅଧ କେଜି ଲେଖାଏଁ ହେବ। ଶରୀର ସାରା ଖଇରିଆ ରଙ୍ଗର ଲୋମ ଥିବା ବେଳେ ଚାରିଟିଯାକ ଗୋଡ଼ରେ ଲମ୍ବା ଧଳା ରଙ୍ଗର ଲୋମ ରହିଛି। ମସ୍ତକ ଉପରିଭାଗରୁ କାନ୍ଧ ପର୍ଯ୍ୟନ୍ତ ଲମ୍ବି ରହିଛି ତୁଳା ସଦୃଶ ଧଳା ରଙ୍ଗର ଲମ୍ବା ଲୋମ। ତେଣୁ ଏମାନଙ୍କୁ ତୁଳାମୁଣ୍ଡିଆ ବାନର କୁହାଯାଉଛି। ୩ବର୍ଷ ବୟସର ହୋଇଗଲେ ମାଈ ପ୍ରଜନନକ୍ଷମ ହୋଇଥାଏ। ଏବେ ନନ୍ଦନକାନନରେ ଥିବା ମାଈଟିର ବୟସ ୩ବର୍ଷ ହେବାକୁ ଯାଉଛି। ତେଣୁ ଆଗାମୀ ଦିନରେ ଏହି ପ୍ରଜାତିର ମାଙ୍କଡ଼ଙ୍କ ବଂଶବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସାଧାରଣତଃ ଏମାନଙ୍କ ହାରାହାରି ଆୟୁଷ ୧୩ ବର୍ଷ। ମାତ୍ର ଲାଳନପାଳନ କ୍ଷେତ୍ରରେ ଏମାନେ ୨୪ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି। କୀଟ, ପତଙ୍ଗ, ପତ୍ର ଓ କୋଳି ଜାତୀୟ ଫଳ ଏମାନଙ୍କର ଆହାର। ଏମାନେ କୋଳି ମଞ୍ଜି ହଜମ କରିପାରନ୍ତି ନାହିଁ। ତେଣୁ ଏମାନଙ୍କ ମଳ ଜଙ୍ଗଲ ବୃଦ୍ଧିରେ ସହାୟକ ହୋଇଥାଏ।