ଭୁବନେଶ୍ବର: ନିକଟରେ ସାଇବର ଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍ଙ୍କ ସମେତ ୨ଜଣ ପ୍ରଶାସକଙ୍କୁ ଢାଲ କରି ଅନେକ ବରିଷ୍ଠ ଅଧିକାରୀଙ୍କୁ ଠକେଇ ଉଦ୍ୟମ କରିବା ଘଟଣା ଲୋକଲୋଚନକୁ ଆସିଥିଲା। ତେବେ ଏହି ଚର୍ଚ୍ଚିତ ଘଟଣାକୁ ସପ୍ତାହେ ନ ପୂରୁଣୁ ପୁଣି ଏକ ସାଇବର ଅପରାଧ ସାମ୍ନାକୁ ଆସିଛି। ଏଥର ସାଇବର ଅପରାଧୀ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ ଲଲିତଙ୍କୁ ମାଧ୍ୟମ କରିଛି। ନିଜକୁ ଜଷ୍ଟିସ୍ ୟୁୟୁ ଲଲିତ ବୋଲି ପରିଚୟ ଦେଇ କଟକ ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର୍ଙ୍କୁ ଫୋନ୍ କରିଛି।
ତାଙ୍କୁ ହାଇକୋର୍ଟର ବିଚାରପତି ଚିତ୍ତରଂଜନ ଦାଶଙ୍କ ବଦଳିକୁ ନେଇ ପଚରାଉଚରା କରିଛି। କେବଳ ସେତିକି ନୁହେଁ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଫୋନ୍ କରି ଜଷ୍ଟିସ ଶ୍ରୀ ଦାଶଙ୍କୁ ନେଇ ଏକାଧିକ କଥା ପଚାରିଛି। ତେବେ ଏହିଭଳି ଏକାଧିକ ବ୍ୟକ୍ତିଙ୍କୁ ଫୋନ୍ କରି କଟକ ହାଇକୋର୍ଟର ବିଚାରପତିଙ୍କ ବାବଦରେ ତନାଘନା କରିବା କଥା ସାମ୍ନାକୁ ଆସିବା ପରେ କୌଣସି ବଡ଼ଧରଣର ଠକେଇ ଆଶଙ୍କା କରି ଡେପୁଟି ରେଜିଷ୍ଟ୍ରାର୍ ଦେବାଶିଷ ମହାନ୍ତି ଏନେଇ କ୍ରାଇମ୍ବ୍ରାଞ୍ଚ୍ର ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ଜଷ୍ଟିସ୍ ସିଆର୍ ଦାଶଙ୍କ ଫୋନ୍ ନମ୍ବର ନେଲା
ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ବି ଫୋନ୍ ଯାଇଛି
ଏତଲା ଅନୁଯାୟୀ, ଅଭିଯୋଗକାରୀ ଦେବାଶିଷ ମହାନ୍ତି କଟକ ହାଇକୋର୍ଟର ଆଡମିନଷ୍ଟ୍ରେସନ୍ ଓ ପ୍ରୋଟୋକଲ୍ ବିଭାଗର ଡେପୁଟି ରେଜିଷ୍ଟ୍ରାର୍ ହିସାବରେ କାମ କରନ୍ତି। ଗତ ୧୬ତାରିଖ ଅପରାହ୍ନ ୩ଟା ୧୧ରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସୁପ୍ରିମକୋର୍ଟର ବିଚାରପତି ୟୁୟୁ ଲଲିତ ବୋଲି ପରିଚୟ ଦେଇଥିଲେ। ସେ ତାଙ୍କୁ କଟକ ହାଇକୋର୍ଟରେ କିଛି ସମସ୍ୟା ହେଉଛି କି ନାହିଁ ବୋଲି ପଚାରିଥିଲେ। ଶ୍ରୀ ମହାନ୍ତି ସବୁ ଠିକ୍ଠାକ୍ ଅଛି ବୋଲି ତାଙ୍କୁ କହିଥିଲେ। ଏହା ପରେ ସେ ସିଧାସଳଖ ହାଇକୋର୍ଟର ବିଚାରପତି ଚିତ୍ତରଂଜନ ଦାଶଙ୍କ ବାବଦରେ ପଚାରିଥିଲେ। ନିକଟରେ ଜଷ୍ଟିସ୍ ଶ୍ରୀ ଦାଶଙ୍କର ବଦଳି କୋଲ୍କତାକୁ ହୋଇଥିବା ବେଳେ ସେ କାର୍ଯ୍ୟରେ ଯୋଗ ଦେଲେଣି ନା ନାହିଁ ବୋଲି ପଚାରିଥିଲେ।
ଏ ନେଇ ଶ୍ରୀ ମହାନ୍ତି ମନା କରିବା ସହିତ କହିଥିଲେ ଆସନ୍ତା ୧୮ ଜୁନ୍ରେ ସେ ଓଡ଼ିଶା ଛାଡ଼ିବା ପରେ ୨୦ଜୁନ୍ରେ କୋଲ୍କତାସ୍ଥିତ କୋର୍ଟରେ ଯୋଗ ଦେଇ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଅଧିକ ସୂଚନା ପାଇଁ ସାଇବର ଠକ ତାଙ୍କୁ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ ଫୋନ୍ ନମ୍ବର ପଠାଇବାକୁ କହିଥିଲେ। ପରେ ଡେପୁଟି ରେଜିଷ୍ଟ୍ରାର୍ ଶ୍ରୀ ମହାନ୍ତି ଫୋନ୍ ନମ୍ବର୍ ମେସେଜ୍ କରିଥିଲେ। ଏହା ପରେ ପୁଣି ଅଭିଯୋଗକାରୀ ଶ୍ରୀ ମହାନ୍ତି ଉକ୍ତ ନମ୍ବରକୁ ଫୋନ୍ କରି ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କ ଫୋନ୍ ନମ୍ବର ପଠାଇଥିବା କହିଥିଲେ। ପରେ ପୁଣି ସାଇବର ଠକ ତାଙ୍କୁ ହାଇକୋର୍ଟରେ କିଛି ସମସ୍ୟା ହୋଇଥିବା ନେଇ ପଚାରିଥିଲେ। ଏନେଇ ଶ୍ରୀ ମହାନ୍ତି ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ଏ ବାବଦରେ କହିବା ପରେ ଏକ ଫେକ୍ ନମ୍ବରରୁ କଲ୍ ଆସିଥିବା ଜାଣିବାକୁ ପାଇଥିଲେ। ଏପରିକି ଏହା ପରଦିନ ଅର୍ଥାତ ୧୭ଜୁନ୍ ମଧ୍ୟରେ ସାଇବର ଠକ ପୁଣି ଶ୍ରୀ ମହାନ୍ତିଙ୍କୁ ଫୋନ୍ କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ଅପରପଟେ ଡେପୁଟି ରେଜିଷ୍ଟ୍ରାର୍ ଶ୍ରୀ ମହାନ୍ତିଙ୍କୁ ଯେଉଁ ନମ୍ବରରୁ କଲ୍ ଆସିଥିଲା ସାଇବର ଠକ ସେହି ନମ୍ବରରୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରତାପ କୁମାର ପାତ୍ରଙ୍କୁ ମଧ୍ୟ ଫୋନ୍ କରି ସମାନ ଢଙ୍ଗରେ ହାଇକୋର୍ଟ ବାବଦରେ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଏକ ବଡ଼ଧରଣର ସାଇବର ଠକେଇ କରିବା ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁ ନେଇ କିଛି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା କ୍ରାଇମ୍ବ୍ରାଞ୍ଚ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏନେଇ ଅଭିଯୋଗ ଆସିବା ପରେ ଫୋନ୍ କଲ୍ କେଉଁଠୁ ଆସିଛି ଏବଂ କାହିଁକି କଟକ ହାଇକୋର୍ଟକୁ ସାଇବର ଠକ ଟାର୍ଗେଟ୍ କରିଛି ସେ ନେଇ ତଦନ୍ତ ଚଳାଇଛି।