ଭୁବନେଶ୍ବର : ଅନ୍ଲାଇନ୍ରେ ସେକେଣ୍ଡହ୍ୟାଣ୍ଡ ମୋବାଇଲ୍ ବିକିବାକୁ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକୁଥିବା ଜଣେ ଧୂର୍ତ୍ତକୁ ସାଇବର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଯାଜପୁର ରୋଡ୍ କହ୍ନେଇପୁର ଅଞ୍ଚଳର ଆଶିଷ କୁମାର ଜେନା ଓରଫ୍ ସିଦୁ(୨୧)। ଜଣେ ଯୁବକଙ୍କଠାରୁ ୭୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ସିଦୁ ଗିରଫ ହୋଇଛି।
ପୁଲିସ ସୂଚନା ମୁତାବକ ସିଦୁ ନିଜକୁ ଜଣେ କ୍ରିକେଟ୍ ପ୍ଲେୟାର(ବ୍ୟାଟ୍ସମ୍ୟାନ) ବୋଲି ପରିଚୟ ଦେଉଥିଲା। ସେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିଲା। ଗତ କିଛି ଦିନ ହେଲା ସେ ଏକ ବିଜ୍ଞାପନ ଆକାଉଣ୍ଟ ଖୋଲି ସେକେଣ୍ଡହ୍ୟାଣ୍ଡ ମୋବାଇଲ୍ ବିକାକିଣା କରାଉଥିଲା। ଓଏଲ୍ଏକ୍ସ ଆକାଉଣ୍ଟ ଭଳି ଅନ୍ୟ ଆକାଉଣ୍ଟରୁ ବିଭିନ୍ନ ବିଜ୍ଞାପନ ଡାଉନ୍ଲୋଡ୍ କରି ନିଜ ଆକାଉଣ୍ଟରେ ଲୋଡ୍ କରି ଗ୍ରାହକଙ୍କୁ ଆକର୍ଷଣ କରୁଥିଲା। ତେବେ ଗ୍ରାହକଙ୍କଠାରୁ ଟଙ୍କା ପାଇବା ପରେ ଧୂର୍ତ୍ତ ସିଦୁ ତା’ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିଦେବା ସହ ତା’ର ଶିକାର ହୋଇଥିବା ଗ୍ରାହକଙ୍କୁ ବ୍ଲକ୍ କରି ଦେଉଥିଲା। ଗତ କିଛି ଦିନ ତଳେ ସିଦୁ ଏକ ସେକେଣ୍ଡହ୍ୟାଣ୍ଡ ଦାମୀ ଆଇଫୋନ୍ର ବିଜ୍ଞାପନ ଦେଇଥିଲା ଏବଂ ସିଦ୍ଧାର୍ଥ ପଟ୍ଟନାୟକ ତାହାକୁ କିଣିବା ପାଇଁ ଯୋଗାଯୋଗ କରିଥିଲେ। ୭୫ ହଜାର ଟଙ୍କାରେ କିଣାବିକା ହେବ ବୋଲି କଥା ଛିଡ଼ିବା ପରେ ସିଦ୍ଧାର୍ଥ ଫୋନ୍ ପେ’ରେ(୯୯୩୮୬୯୭୧୩୪) ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ସିଦୁ ଗାଏବ୍ ହୋଇଯାଇଥିଲା। ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ ସିଦ୍ଧାର୍ଥ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।