ଡମଣା-ଶୈଳଶ୍ରୀବିହାର ରାସ୍ତାର ହେବ ଉନ୍ନତୀକରଣ: ଫୁଟ୍‌ପାଥ୍‌, ସାଇକେଲ୍‌ ଟ୍ରାକ୍‌, ଡିଭାଇଡର୍‌ ରହିବ

ଖର୍ଚ୍ଚ ହେବ ୩ କୋଟି ୯୭ ଲକ୍ଷ, ୨୦୨୧ ସୁଦ୍ଧା ସରିବ

ଚନ୍ଦ୍ରଶେଖରପୁର: ଡମଣା-ଶୈଳଶ୍ରୀବିହାର ରାସ୍ତାର ରୂପ ବଦଳିବ। ଦେଢ଼ କିମିର ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଫୁଟ୍‌ପାଥ୍‌, ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯିବ। ଲୋକଙ୍କ ଯିବା ଆସିବାକୁ ସୁବ୍ୟବସ୍ଥିତ କରିବା ପାଇଁ ରାସ୍ତା ମଝିରେ ଡିଭାଇଡର୍‌ କାଯିବ। ଚନ୍ଦ୍ରଶେଖରପୁର, ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦିନକୁ ଦିନ ଲୋକଙ୍କ ଚଳଚପ୍ରଳ ବଢ଼ୁଛି। ଉଠାଦୋକାନୀ ରାସ୍ତା ଉପରକୁ ମାଡ଼ି ଆସୁଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତାହାକୁ ଦୂର କରିବା ସହ ରାସ୍ତାର ସୌନ୍ଦର୍ଯ୍ୟୀକରଣ ବୃଦ୍ଧି କରିବାକୁ ଯୋଜନା ହୋଇଛି। ୩ କୋଟି ୯୭ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟୀକରଣ ହେଉଥିବା ଏହି ରାସ୍ତା ୨୦୨୧ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାସ୍ତାର ଉନ୍ନତୀକରଣ ଲାଗି ଆଜି ଭିତ୍ତିପ୍ରସ୍ତର ପଡ଼ିଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଚନ୍ଦ୍ର ପାତ୍ର, ବିଏମ୍‌ସିର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମନୋଜ କୁମାର ସାହୁ, ସ୍ବର୍ଣ୍ଣପ୍ରଭା ରାୟ, ଜୟନ୍ତୀ ଜେନା, ଅଞ୍ଚଳର ବରିଷ୍ଠ ନାଗରିକ ମଧୁମାଧବ ଜେନା, ସମରେନ୍ଦ୍ର ସାହୁ, ନରେଶ କୁମାର ପାତ୍ର, ଦୀପୁ ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅଞ୍ଚଳର ବରିଷ୍ଠ ନାଗରିକଙ୍କ ହାତରେ ନଡ଼ିଆ ବାଡ଼ା ଯାଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ଉଦ୍ୟମ ଜାରି ରହିଛି। ଭୁବନେଶ୍ବର ସହରର ସୀମା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ଆମ ପାଇଁ ବଡ଼ ଆହ୍ବାନ। ତାହାକୁ ଦୃଷ୍ଟିରେ ରଖି ରାସ୍ତାଘାଟର ଉନ୍ନତୀକରଣକୁ ପ୍ରାଥମିକତା‌ ଦିଆଯାଉଛି। ଡମଣା-ଶୈଳଶ୍ରୀ ବିହାର ରାସ୍ତାର ଉନ୍ନତୀକରଣ ଦ୍ବାରା ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ନିର୍ବା‌ଚନମଣ୍ଡଳୀର ବିକାଶଧାରାକୁ ଆଗକୁ ନିଆଯାଉଛି।

ସମ୍ବନ୍ଧିତ ଖବର