ବିପଦ ସାଜିଛି ପାପନାଶିନୀ ପୁଷ୍କରିଣୀ: ଭାଙ୍ଗିଲାଣି ପଥର ପାଚେରି

ଚୋରି ହୋଇଯାଇଛି ଲୁହା ବ୍ୟାରିକେଡ୍‌

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅନ୍ୟତମ ପବିତ୍ର ପୁଷ୍କରିଣୀ ‘ପାପନାଶିନୀ’ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସାଜିଛି। ଏହି ପୋଖରୀ ଚାରିପଟେ ଥିବା ପଥର ପାଚେରି ଓ ଲୁହା ବ୍ୟାରିକେଡ୍‌ ଭାଙ୍ଗି ଯାଇଛି। ବଢ଼େଇବାଙ୍କ ଛକରୁ ବିଏମ୍‌ସି ହସ୍ପିଟାଲ୍‌ ଓ ଲିଙ୍ଗରାଜ ନଗରକୁ ସଂଯୋଗ କରୁଥିବା ରାସ୍ତାକୁ ଲାଗି ରହିଥିବା ଏହି ପୋଖରୀ କଡ଼ ଦେଇ ଦୈନିକ ଶହଶହ ଲୋକ ଯାତୟାତ କରିଥା’ନ୍ତି। ତେବେ ପୋଖରୀ ଥିବା ସ୍ଥାନରେ ରାସ୍ତା ଅଣଓସାରିଆ ହୋଇଥିବାରୁ ଅଘଟଣକୁ ଏଡ଼ାଇବା ପାଇଁ ଏଏସ୍‌ଆଇ ପକ୍ଷରୁ ପୋଖରୀ ଚାରିପଟରେ ପାଚେରି କରାଯିବା ସହ ଲୁହା ବ୍ୟାରିକେଡ୍‌ ଲଗାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଓ ମରାମତି ଅବହେଳାରୁ ବର୍ତ୍ତମାନ ଏହି ପାଚେରି ଭାଙ୍ଗି ମାଙ୍କଡ଼ା ପଥର ସବୁ ରାସ୍ତା ଉପରେ ପଡ଼ିଛି। ସେହିପରି ଅଳ୍ପ କିଛିକୁ ଛାଡ଼ି ବହୁ ଲୁହା ବ୍ୟାରିକେଡ୍‌କୁ ଦୁର୍ବୃତ୍ତମାନେ ଚୋରି କରିନେଇଛନ୍ତି। ଫଳରେ ଏବେ ଏହି ପୋଖରୀଟି ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।

ସ୍ଥାନୀୟ ବାସିନ୍ଦା ଶିବଶଙ୍କର ପରିଡ଼ା କହିଛନ୍ତି, ରାସ୍ତାଟି ଖୁବ ଅଣଓସାରିଆ। ତେଣୁ ପ୍ରାୟ ସମୟ ଏହି ରାସ୍ତାରେ ଗାଡ଼ି ମଟର ଜାମ୍ ରହୁଛି। ରାସ୍ତାକୁ ଲାଗି ରହିଥିବା ଏହି ପୋଖରୀଟି ପ୍ରାୟ ୧୫-୧୮ ଫୁଟ୍‌ ଗଭୀର। ଯଦି ଭୁଲବଶତଃ ବି କେହି ପୋଖରୀ ଭିତରେ ପଡ଼େ, ତେବେ ଗୁରୁତର ଆହତ ହେବା ସହ ପାଣିରେ ବୁଡ଼ି ତା’ର ମୃତ୍ୟୁ ମଧ୍ୟ ହୋଇପାରେ। ଏହି ରାସ୍ତା ଦେଇ ସ୍ଥାନୀୟ ସ୍କୁଲର ବହୁ ଛାତ୍ରଛାତ୍ରୀ ଦୈନିକ ଯିବା ଆସିବା କରୁଛନ୍ତି। ତେଣୁ ଛୋଟ ପିଲାଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ତେବ‌େ ବାରମ୍ବାର ଏନେଇ ଅଭିଯୋଗ କରାଗଲେ ମଧ୍ୟ ଏଏସ୍‌ଆଇ ଯେପରି କୌଣସି ଅଘଟଣକୁ ଅନେଇ ବସିଛନ୍ତି ବୋଲି ଶ୍ରୀ ପରିଡ଼ା ତାଚ୍ଛଲ୍ୟ କରି କହିଛନ୍ତି। ଏ ବାବଦରେ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାରୁ ଉତ୍ତର ମିଳିଥିଲା ଯେ ଖୁବ୍‌ଶୀଘ୍ର ପୁଷ୍କରିଣୀର ପୁନରୁଦ୍ଧାର କରାଯବା ସହିତ ନୂତନ ବାଡ଼ ନିର୍ମାଣ କରାଯିବ।

ସମ୍ବନ୍ଧିତ ଖବର