ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବରିଷ୍ଠ ପୁଲିସ ଅଫିସରଙ୍କ ବୋହୂ

ଭୁବନେଶ୍ବର: ଅଧିକ ଯୌତୁକ ଦାବି କରି ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ବୋହୂଙ୍କୁ ନିର୍ଯାତନା ଦିଆଯାଉଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଶ୍ବଶୁର ବରିଷ୍ଠ ପୁଲିସ ଅଧିକାରୀ ହୋଇଥିବାରୁ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଶ୍ବଶୁର ହେଉଛନ୍ତି ନାରାୟଣ ମହାନ୍ତି ଓ ସ୍ବାମୀ ହେଉଛନ୍ତି ଚିତ୍ତରଞ୍ଜନ ମହାନ୍ତି। ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମହିଳାଙ୍କ ଅଭିଯୋଗ ହେଲା, ୨୦୧୪ ଜୁଲାଇ ୬ ତାରିଖରେ ତାଙ୍କର ଚିତ୍ତରଞ୍ଜନଙ୍କ ସହ ବୈଦିକ ଋତିରେ ବାହାଘର ହୋଇଥିଲା। ବାହାଘରର କିଛି ବର୍ଷ ଭଲରେ ଚାଲିବା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ବାହାଘର ବେଳେ ବାପଘର ଲୋକ ୨୦ ଲକ୍ଷ ଟଙ୍କା ଯୌତୁକ ସମେତ ଯାବତୀୟ ସାମଗ୍ରୀ ଦେଇଥିଲେ। ମାତ୍ର ଆହୁରି ଅଧିକ ଯୌତୁକ ମାଗି ଶାଶୂ, ଶ୍ବଶୁର, ଯା, ଦେଢ଼ଶୁର ଓ ସ୍ବାମୀ ସମସ୍ତେ ମିଶି ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ଏ ନେଇ ସେ ବାପଘର ଲୋକଙ୍କୁ ଜଣାଇଥିଲେ। ମାତ୍ର ଶ୍ବଶୁର ଜଣେ ଉଚ୍ଚପଦସ୍ଥ ଅଫିସର ଓ ଦେଢ଼ଶୁର ଏକ ଗଣମାଧ୍ୟମରେ କାମ କରୁଥିବାରୁ ସେ ଭୟରେ ପୁଲିସରେ ଅଭିଯୋଗ କରିବାକୁ ଆସି ପାରୁନଥିଲେ। ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ମଧ୍ୟ ଦିଆଯାଉଥିଲା।

ସମ୍ବନ୍ଧିତ ଖବର