ଭୁବନେଶ୍ବର: ଆଉ ମାତ୍ର ଦିନକ ପରେ ଦୀପାବଳି। ଏବେଠୁ ଲୋକେ ଘରଠୁ ନେଇ ମଲ୍‌, ଅନୁଷ୍ଠାନ, ଦୋକାନ ପର୍ଯ୍ୟନ୍ତ ରଙ୍ଗିନ ଆଲୋକରେ ସଜାଇବା ଆରମ୍ଭ କଲେଣି। ସାରା ସହର ଝଲସିଲାଣି। କିନ୍ତୁ ଦୀପାବଳିରେ ଲୋକଙ୍କୁ ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏସ୍‌ଆର୍‌ସିଙ୍କ ଯେଉଁ ଗାଇଡ୍‌ଲାଇନ୍ ଆସିଛି, ସେଥିରେ କେବଳ ସବୁଜ ବାଣ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ମାତ୍ର ଏ ସବୁଜ ବାଣ କ’ଣ ଏବଂ ଏହା କେଉଁଠି ମିଳିବ ଏ ନେଇ ସାଧାରଣ ଲୋକ କିଛି ଜାଣି ନ ଥିଲାବେଳେ କମିସନରେଟ୍ ପୁଲିସ ମଧ୍ୟ ଏହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି। କେବଳ ‌ସେତିକି ନୁହେଁ; ସବୁଜ ବାଣ ଆଳରେ ଯଦି ଲୋକେ ସାଧାରଣ ବାଣ ବଜାରରୁ କିଣି ଫୁଟାଇଲେ, ତେବେ ପୁଲିସ ସେମାନଙ୍କୁ କିପରି ଧରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀବାସୀ ପ୍ରତିବର୍ଷ ଦୀପାବଳିରେ କୋଟିକୋଟି ଟଙ୍କାର ବାଣ ଫୁଟାନ୍ତି। ସବୁଠି ବଡ଼ବଡ଼ ବାଣ ବଜାର ବସେ। ତେବେ କରୋନା ଯୋଗୁଁ ଗତବର୍ଷ ବାଣ ଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଥିବାରୁ ଲୋକେ ଏଥିରେ ବିରତ ରହିଥିଲେ। ଚଳିତ ବର୍ଷ ମଧ୍ୟ ବାଣ ଫୁଟା ଉପରେ ସରକାରୀ କଟକଣା ବଳବତ୍ତର ଥିଲା। ମା‌ତ୍ର ବାଣ ବ୍ୟବସାୟୀମାନେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଆଶ୍ରୟ ନେବାରୁ ଏହି ନିଷ୍ପତ୍ତି ଝୁଲି ରହିଥିଲା। ଶେଷରେ ଦୀପବଳିକୁ ମାତ୍ର ଦୁଇଦିନ ବାକିଥିବାବେଳେ କେବଳ ପ୍ରଦୂଷଣ କରୁ ନ ଥିବା ସବୁଜ ବାଣ ଫୁଟା ଯାଇପାରିବ ବୋଲି ଆଜି ହାଇକୋର୍ଟଙ୍କ ଯେଉଁ ନିଷ୍ପତ୍ତି ଆସିଛି, ତାହା ସମସ୍ତଙ୍କୁ ଅଧିକ ଦ୍ବନ୍ଦ୍ବରେ ପକାଇ ଦେଇଛି। ସବୁଜ ବାଣକୁ ନେଇ ଖୋଦ୍‌ କମିସନରେଟ୍‌ ପୁଲିସ ଅନ୍ଧାରରେ ଥିବା ବେଳେ ରାଜଧାନୀ ବଜାରରେ ଏହା କେଉଁଟି ମିଳିବ ତାହା ସାଧାରଣ ଲୋକ ଜାଣିପାରୁ ନାହାନ୍ତି।

Advertisment

ଅନ୍ୟପଟେ ଏହା ଚୋର ବାଣ ବ୍ୟବସାୟୀ ଏଭଳି ଦ୍ବନ୍ଦ୍ବରୁ ଫାଇଦା ଉଠାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯେହେତୁ ସବୁଜା ବାଣ କ’ଣ ଗ୍ରାହକ ଜାଣି ନାହାନ୍ତି, ବାଣ ବେପାରୀମାନେ ସାଧାରଣ ବାଣକୁ ମଧ୍ୟ ସବୁଜ ବାଣ କହି ଗ୍ରହକଙ୍କୁ ଭୁଆଁ ବୁଲାଇ ପାରନ୍ତି। ଏହାଛଡ଼ା ଲକ୍ଷଲକ୍ଷ ଲୋକ ରହୁଥିବା ଏତେବଡ଼ ସହରରେ ଯଦି ଲୋକେ ସବୁଜ ବାଣ ନାଁରେ ସାଧାରଣ ବାଣ ଆଣି ଫୁଟାନ୍ତି, ତେବେ କମିସନରେଟ୍ ପୁଲିସ ସେମାନଙ୍କୁ କେମିତି ଚିହ୍ନଟ କରିବ ଏବଂ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଆସନ୍ତାକାଲି ଏ ନେଇ କମିସନରେଟ୍‌ ପୁଲିସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି।

ଏଥର ସବୁଜ ବାଣ ମିଳିବା ଅସମ୍ଭବ: ବାଣ ବ୍ୟବସାୟୀ ସଂଘ
ଏ ନେଇ ଭୁବନେଶ୍ବର ବାଣ ବ୍ୟବସାୟୀ ସଂଘର ସମ୍ପାଦକ ଆକାଶ ପଟ୍ଟନାୟକଙ୍କ କହିବା କଥା ହେଲା, ବର୍ତ୍ତମାନ ସୁଦ୍ଧା ବଜାରକୁ ସବୁଜ ବାଣ ଆସି ନାହିଁ କି ଆସିବାର ସମ୍ଭାବନା ମଧ୍ୟ ନାହିଁ। ସବୁଜ ବାଣ ସାଧାରଣ ବାଣଠାରୁ ୪୦ ପ୍ରତିଶତ କମ୍‌ ପ୍ରଦୂଷଣ କରିଥାଏ। ତେବେ ଏହାର ଦାମ ମଧ୍ୟ ଅଧିକ। ତେଣୁ ଓଡ଼ିଶାରେ ଏଭଳି ବାଣ ତିଆରି ପାଇଁ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତାମିଲ୍‌ନାଡ଼ୁର ଶିବକାଶୀରେ ଥିବା କିଛି ବାଣ କାରଖାନାରେ ସବୁଜ ବାଣ ତିଆରି ହୁଏ। ଓଡ଼ିଶାର ବାଣ ବେପାରୀମାନେ ଅଧିକ ଅର୍ଥ ଦେଇ ଏହି ବାଣ ଶିବକାଶୀରୁ ଆଣିଥାନ୍ତି। ୨୦୧୯ ମସିହାରେ ଫନି ପାଇଁ କଟକଣା ଯୋଗୁଁ ପ୍ରଥମେ ଏହି ବାଣ ଓଡ଼ିଶାକୁ ଆସିଥିଲା। ତେବେ ଏ ବର୍ଷ ଦୀପାବଳିକୁ ଆଉ ଗୋଟାଏ ମାତ୍ର ଦିନ ବାକିଥିବାରୁ ଶିବକାଶୀ ଯାଇ ବାଣ ଆଣିବା ଅସମ୍ଭବ। ଅତିକମ୍‌ରେ ୧୦ଦିନ ପୂର୍ବରୁ ଜଣାପଡ଼ିଥିଲେ ଆମେ ହୁଏତ ‌ସବୁଜ ବାଣ ଆଣିପାରି ଥାଆନ୍ତୁ। ତେଣୁ ଏ ବର୍ଷ ସବୁଜ ବାଣ ରାଜଧାନୀରେ ମିଳିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।