ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୟା ୱେଷ୍ଟ୍ କେନାଲ୍ ବନ୍ଧ ଯା’ଆସର ଏକ ପ୍ରମୁଖ ରାସ୍ତା। ଦୈନିକ ଏହି ରାସ୍ତା ଦେଇ ଶହଶହ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଚଳାଚଳ କରୁଛି। ବଡ଼ ବଡ଼ ମାଲବାହୀ ଗାଡ଼ି ବି ଯା’ଆସ କରୁଛି। ଲକ୍ଷାଧିକ ଲୋକ ଏହା ଉପରେ ନିର୍ଭରଶୀଳ। ବଡ଼ଗଡ଼ଠାରୁ ଆରମ୍ଭ କରି ଲକ୍ଷ୍ମୀସାଗର, ବମିଖାଲ, କେଶୁରା, ପଳାଶୁଣି ପର୍ଯ୍ୟନ୍ତ ଯେଉଁ ସବୁ ୱାର୍ଡ ରହିଛି, ସବୁ ୱାର୍ଡର ଲୋକେ ଏହି ବାଟ ଦେଇ ଯା’ଆସ କରନ୍ତି। କିନ୍ତୁ ବଡ଼ଗଡ଼ ଛକ ନିକଟରେ କଲଭର୍ଟ ନିର୍ମାଣ ଆଳରେ ଏହାକୁ ଖୋଳି ଦିଆଯାଇଥିବାରୁ ପ୍ରତିଦିନ ଲୋକେ ଦହଗଞ୍ଜ ହେଉଛନ୍ତି। ପ୍ରାୟ ୫ ମାସ ହେଲାଣି ଭଗ୍ନ ଓ ଅର୍ଦ୍ଧନିର୍ମିତ ଅବସ୍ଥାରେ ଏହି କେନାଲ୍ ବନ୍ଧକୁ ଛାଡ଼ି ଦିଆଯାଇଛି। ଗାଡ଼ିଚାଳକଙ୍କ ପାଇଁ ବାଉଁଶବାଡ଼ା ଭରସା ସାଜିଛି। ଫଳସ୍ବରୂପ ଯେକୌଣସି ମୁହୂର୍ତ୍ତରେ ବି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି।
ସେପଟେ ନିର୍ମାଣ ଆଳରେ ଏହି ଚଉଡ଼ା ରାସ୍ତାକୁ ସଂକୁଚିତ କରି ଦିଆଯାଇଥିବାରୁ ପ୍ରତିଦିନ ଏଠାରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ରାସ୍ତା ଚଉଡ଼ା ମାତ୍ର ୬ରୁ ୭ ଫୁଟ ଥିବାରୁ ଗୋଟିଏ ଚାରିଚକିଆ ଗାଡ଼ି ପଶିଲେ, ଅନ୍ୟ ଗାଡ଼ି ରାସ୍ତାରେ ଯାଇପାରୁନି। ତଥାପି ଭୁବନେଶ୍ବର ମହାନଗର ନିଗମ ଡ୍ରେନେଜ୍ ବିଭାଗର ନିଦ ଭାଙ୍ଗୁନି। ନିର୍ମାଣ ପାଇଁ ରାସ୍ତାକୁ ତାଡ଼ି ଦେଇ ଚୁପ୍ ହୋଇବସିପଡ଼ିଛନ୍ତି। ସେପଟେ ୫ ମାସ ହେଲାଣି ଲୋକେ ଏହି ରାସ୍ତା ପାଇଁ ଯନ୍ତ୍ରଣା ଭୋଗୁଥିବା ବେଳେ ସିଟି ଇଂଜିନିୟର ଏହି ଅସୁବିଧା ସଂପର୍କରେ ଜାଣି ନଥିବା କହିଛନ୍ତି। ଦୟା ୱେଷ୍ଟ କେନାଲ୍ର ଦୁଇପାର୍ଶ୍ବରେ ଥିବା ରାସ୍ତାରେ ଲୋକେ ଯା’ଆସ କରୁଛନ୍ତି। ଦୁଇପାର୍ଶ୍ବରେ ବି ଜନବସତି ଗଢ଼ିଉଠିଛି। ଏଣୁ ଗୋଟିଏ ପାର୍ଶ୍ବ ରାସ୍ତାରୁ ଅପରପାର୍ଶ୍ବ ରାସ୍ତାକୁ ଯିବାକୁ ମଝିରେ ମଝିରେ ଛୋଟ ଛୋଟ କଲଭର୍ଟ କରାଯାଇଛି। ବଡ଼ଗଡ଼ ଛକଠାରୁ ପ୍ରାୟ ୫୦ ମିଟର ଦୂରରେ ଦୟାର ଆବର୍ଜନା ପାଣି ନିଷ୍କାସନ ପାଇଁ ଏକ କଲଭର୍ଟ ତଥା ପୋଲ କରାଯାଇଥିଲା। କିନ୍ତୁ ଚଳିତବର୍ଷ ବର୍ଷା ଋତୁ ଓ ଏହା ପୂର୍ବରୁ ଏକାଧିକ ଥର ଏହି କଲଭର୍ଟ ଦବିବାରୁ ଏହାକୁ ଭାଙ୍ଗି ଭୁବନେଶ୍ବର ମହାନଗର ନିଗମ ଡ୍ରେନେଜ୍ ବିଭାଗ ନୂଆ କଲଭର୍ଟ ନିର୍ମାଣ କରୁଛି । ଏଣୁ ପୂର୍ବର ରାସ୍ତାକୁ ସଂପୂର୍ଣ୍ଣ ତାଡ଼ି ଦିଆଯାଇଛି। ପ୍ରତି ବଦଳରେ ଅସ୍ଥାୟୀ ଭାବେ ଗୋଡ଼ି ଓ ଡଷ୍ଟ୍ ପକାଇ ଏକ ରାସ୍ତା କରାଯାଇଛି। ଆଉ ଅଘଟଣକୁ ରୋକିବାକୁ ରାସ୍ତା ଦୁଇପାର୍ଶ୍ବରେ ବାଉଁଶବାଡ଼ା ବନ୍ଧାଯାଇଛି। ସାମାନ୍ୟ ଅନ୍ୟମନସ୍କ ହେଲେ ବାଉଁଶବାଡ଼ା ଚାଳକଙ୍କ ଦେହରେ ବାଜି ଦୁର୍ଘଟଣା ଘଟିବାର ଆାଙ୍କା ରହିଛି। ଚାଳକମାନେ ବି ନାଳରେ ପଡ଼ିଯିବାର ଭୟ ରହିଛି। ଏ ସଂପର୍କରେ ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ କହିଛନ୍ତି, ଏ ସଂପର୍କରେ ମୁଁ ଜାଣିନି। ଡ୍ରେନେଜ୍ ବିଭାଗ ଏହା କରୁଥିବ। ଏ ନେଇ ମୁଁ ଆଲୋଚନା କରିବି ଓ ସ୍ଥିତି ଅନୁଧ୍ୟାନ କରିବି। କିନ୍ତୁ ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/untitled-4-2025-11-24-06-42-25.jpg)