ଭୁବନେଶ୍ବର: ବଦଳି ପାରିଲାନି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଦେଇ ଯାଇଥିବା ଦୟା ୱେଷ୍ଟ କେନାଲ୍ର ଚିତ୍ର। ଚାରିଆଡ଼େ ମାଳ ମାଳ ଜବରଦଖଲ, କୁଢ଼ କୁଢ଼ ଆବର୍ଜନା। ଫଳସ୍ବରୂପ ଦୟା ୱେଷ୍ଟ୍ କେନାଲ୍ ଦିନକୁ ଦିନ ସଂକୁଚିତ ହେବା ସହ ପୋତି ହୋଇଗଲାଣି। ନା ବିଏମ୍ସିର ଏଥିପ୍ରତି ନିଘା ଅଛି, ନା ଜଳସମ୍ପଦ ବିଭାଗର। ସ୍ଥିତି ଏପରି ଯେ କେନାଲ୍ ଭିତରେ ଲୋକେ ଘର କରି ଜଳପ୍ରବାହର ବାଟକୁ ସଂପୂର୍ଣ୍ଣ ଓଗାଳି ସାରିଲେଣି। ଫଳରେ ବର୍ଷା ସମୟରେ ଭୁବନେଶ୍ବର ସହରରୁ ସହଜରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ସାମାନ୍ୟ ବର୍ଷାରେ ସହର ଉବୁଟୁବୁ ହେଉଛି।
ରସୁଲଗଡ଼ ଜିଜିପି କଲୋନି ଛକରୁ ପାଣ୍ଡରା ପାର୍ଶ୍ବକୁ ଓ ଜିଜିପି କଲୋନି ଛକରୁ ବମିଖାଲ ଆଡ଼କୁ ଯିବା ରାସ୍ତାରେ ଦୟା ୱେଷ୍ଟ କେନାଲ୍ ଚିତ୍ର ଅତ୍ୟନ୍ତ ସଙ୍ଗିନ। ଜିଜିପି ଛକରେ ବ୍ରିଜ୍ ତଳେ କେନାଲ୍ ଭିତରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି। ସ୍ଥିତି ଏପରି ଯେ ଏହା ଭିତରେ ବଡ଼ ବଡ଼ ଫୁଲ ଓ ଫଳ ଗଛ ଉଠିଗଲାଣି। ଜିଜିପି ଛକରୁ ବମିଖାଲ କେନାଲ୍ ରାସ୍ତାରେ କେନାଲ୍ ଭିତରେ କଂକ୍ରିଟ୍ ଘର ନିର୍ମାଣ ସରିଲାଣି। ବହୁ ଜାଗା ଜବରଦଖଲକୁ ଚାଲିଗଲାଣି। ମାସେ ତଳେ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଓ ଭୁବନେଶ୍ବର ମହାନଗର ନିଗମ କମିସନର୍ ରାଜେଶ ପ୍ରଭାକର ପାଟିଲ୍ ଦୟା ୱେଷ୍ଟ କେନାଲ୍ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ ଜବରଦଖଲ ଓ ଆବର୍ଜନାମୁକ୍ତ କରିବାକୁ ଘୋଷଣା କରିଥିଲେ। ଅଦ୍ୟାବଧି କିଛି ହେଲାନି।
ନୂଆ କମିସନର ବୁଲି ଦେଖିଲେ, ପଦକ୍ଷେପକୁ ଅପେକ୍ଷା
କମିସନର ଯିବା ବେଳେ ସଫା କଲେ, ଫେରିବା ପରେ ବନ୍ଦ
ପୂର୍ବଭଳି ଜବରଦଖଲ ଓ କୁଢ଼କୁଢ଼ ଆବର୍ଜନା ଏବେ ବି ଦୟା ୱେଷ୍ଟ କେନାଲ୍ର ଗତିପଥକୁ ଅବରୋଧ କରି ରଖିଛି। ଆଜି ଭୁବନେଶ୍ବର ନୂଆ କମିସନର୍ ଚଞ୍ଚଳ ରାଣା ଦୟା ୱେଷ୍ଟ କେନାଲ୍ ବୁଲି ସ୍ଥିତି ପରଖିଛନ୍ତି। ଅଧିକାରୀଙ୍କଠାରୁ ଗତିପଥ ଓ ଅନ୍ୟାନ୍ୟ ସମସ୍ୟା ପଚାରି ବୁଝିଛନ୍ତି। ନକ୍ସା ବି ଦେଖିଛନ୍ତି। କିନ୍ତୁ ଶ୍ରୀ ରାଣା କେତେଦୂର ଦୟା ୱେଷ୍ଟ କେନାଲ୍କୁ ଜବରଦଖଲ ଓ ଆବର୍ଜନାମୁକ୍ତ କରି ପାରିବେ, ତାହା ଚର୍ଚ୍ଚା ହେଲାଣି। ଆଜି ଯେହେତୁ ଶ୍ରୀ ରାଣା କେନାଲ୍ ପରିଦର୍ଶନରେ ଯାଇଥିଲେ, ଲୋକ ଦେଖାଣିଆ ଭାବେ ଅଳ୍ପ କିଛି ବାଟ କେନାଲ୍ ସଫା କରାଯାଇଗଲା। କିନ୍ତୁ ଶ୍ରୀ ରାଣା ଫେରିବା ପରେ କେନାଲ୍ ସଫାକୁ ବନ୍ଦ କରି ବାବୁମାନେ ଫେରି ଆସିଥିଲେ।
ଜଳସଂପଦ ବିଭାଗ ସୂଚନା ମୁତାବକ, ଦକ୍ଷିଣରେ ଦୟା ଓ ଉତ୍ତରରେ କୁଆଖାଇରେ ମିଶିଥିବା ଦୟା ୱେଷ୍ଟ କେନାଲ୍ର ଲମ୍ବ ପ୍ରାୟ ୩୪.୮୬ କିଲୋମିଟର। ଏହାର ଚଉଡ଼ା ପ୍ରାୟ ୮.୨ ମିଟର ବା ପ୍ରାୟ ୩୦ ଫୁଟ। ୩୪.୮୬ କିଲୋମିଟରରୁ ୧୬.୧୦ କିଲୋମିଟର କେନାଲ୍ ଭୁବନେଶ୍ବର ମହାନଗର ନିଗମ ଦେଇଯାଇଛି। ଏହି କେନାଲ୍ ବିଶେଷ କରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନରେ ପ୍ରମୁଖ ଭୂମିକା ତୁଲାଉଛି। କିନ୍ତୁ ସରକାରୀ ଅବହେଳା କାରଣରୁ ଆଜି ଏହା ଚିନ୍ତାର କାରଣ ହେଲାଣି। ସିଏଜି ବି ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ କରି ସାରିଛନ୍ତି। ସିଏଜି କହିଛନ୍ତି, ଦୟା ୱେଷ୍ଟ କେନାଲ୍ର ବହୁ ଜାଗା ଜବରଦଖଲକୁ ଚାଲିଗଲାଣି। କୋଠାବାଡ଼ି ସବୁ ଏହା ଉପରେ ଗଢ଼ି ଉଠିଲାଣି। ୨୦୦୫ ମସିହାର ଦୟା ୱେଷ୍ଟ କେନାଲ୍ର ସ୍ଥିତି ଓ ବର୍ତ୍ତମାନର ସ୍ଥିତିରେ ଆକାଶପାତାଳ ତଫାତ୍।